ଆଇନଶୃଙ୍ଖଳା ରକ୍ଷାରେ ମଞ୍ଚେଶ୍ୱର ଥାନା ବିଫଳ!

0 1,253

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଇନଶୃଙ୍ଖଳା ରକ୍ଷାକ୍ଷେତ୍ରରେ କମିଶନରେଟ ପୋଲିସର ମଞ୍ଚେଶ୍ୱର ଥାନା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଅନଭିଜ୍ଞ ତଥା ନବାଗତ ଅଫିସରଙ୍କୁ ମଞ୍ଚେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଥାନା ଦାୟିତ୍ୱ ନେବା ଡିସିପିଙ୍କୁ ଏବେ ମହଙ୍ଗା ପଡିଛି । ଦୁର୍ଗାପୂଜା ଭସାଣୀ ବେଳେ ରସୁଲଗଡ ଛକରେ ଗୋଷ୍ଠୀ ସଂଘର୍ଷ ଓ ଖଣ୍ଡା ବୁଲିବା ପରେ ଏବେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣ କରିଛି । ଦୀର୍ଘ ୪ଘଣ୍ଟା ଧରି ସେଠାରେ ଠେଲା-ପଥର ଓ ବୋମା ମାଡ ଘଟିଥିଲେ ମଧ୍ୟ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିନଥିଲା । ଯାହା ମଞ୍ଚେଶ୍ୱର ପୋଲିସର ଏକ ବଡ ବିଫଳତା ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ବେଶ କିଛିଦିନ ହେଲା ପୂର୍ବ ବିବାଦକୁ ନେଇ ପଟିଆ ପଦ୍ମକେଶରୀପୁରର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଉକ୍ତ ଘଟଣାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ କଥାକଟାକଟି ଓ ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀର ୬୦ରୁ ଅଧିକ ଲୋକ ହାତରେ ଠେଙ୍ଗା-ବାଡିରେ ପରମ୍ପରକୁ ଆକ୍ରମଣ କରିଥିଲେ । ପରେ ଢେଲା-ପଥର ଓ ବୋତଲ ବୋଡ ମାଡ କରାଯାଇଥିଲା । ରାତି ପ୍ରାୟ ୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଏଥିରେ ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି ।

ଖବରପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଗାଁ ଭିତରକୁ ପଶିବାକୁ ସାହାସ ଜୁଟାଇପାରିନଥିଲା । ପରେ ଏସିପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଫୋର୍ସ ସହିତ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏଥିସହିତ ଆହତମାନଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ଧାରା ୧୪୪ ଲାଗୁ କରାଯାଇଛି । ଗାଁରେ ଫୋର୍ସ ମୁତୟନ ସହ ପୋଲିସ ଟିମ୍ ଘନଘନ ପଇଁନ୍ତରା ମାରୁଛି । ଏନେଇ ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଉଲ୍ଲେଖଥାଉ କି, ଗତ ସେପ୍ଟେମ୍ବର ୧ ତାରିଖରେ ସେଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ଉଭୟ ପକ୍ଷରୁ ୨୦ ଜଣରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା । ଏପରିକି ଘଟଣା ପାଇଁ ଦାୟୀ କରି ତତକାଳୀନ ଥାନା ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଥିଲା ।

ସେହିପରି ଗତ ବୁଧବାର ଦିନ ଦୁର୍ଗାପୂଜା ଭସାଣୀ ବେଳେ ରସୁଲଗଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏପରିକି ବିଚ୍ ରାସ୍ତାରେ ଖଣ୍ଡା-ଭୂଜାଲି ବୁଲିଥିଲା । ପୋଲିସ ଘଟଣାକୁ ନିୟନ୍ତ୍ରଣ କରିବା ବଦଳରେ ପରିସ୍ଥିତି ଦେଖି ନିଜକୁ ଅସହାୟ ମନେ କରିଥିଲା । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏଭଳି ଦୁଇଟି ଘଟଣା ପୋଲିସର ବାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ତେବେ ଅପରିପକ୍ୱ ତଥା ନବାଗତ ପୋଲିସ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଅନଭିଜ୍ଞ ଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ସମାନ ଘଟଣା ପାଇଁ ଜଣେ ଥାନା ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଏଥିପାଇଁ ଥାନା ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଉପରେ ସମସ୍ତର ନଜର ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy