ଗୁଳିମାଡ଼ ଘଟଣା: ସୁଟର ଚିହ୍ନଟ, ପିଛା କରୁଛି ପୋଲିସ ଟିମ୍‌

0 635

କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଘଟିଥିବା ଗୁଳିମାଡ ଘଟଣାରେ ପୋଲିସ ସୁଟରଙ୍କୁ ଚିହ୍ନଟ କରିଛି । ଗୁଳିମାଡ ପରେ ଦୁହେଁ ପାରାଦ୍ୱୀପ ଅଭିମୁଖେ ପଳାଇଯାଇଥିଲେ । ଅଭିଯୁକ୍ତଦ୍ୱୟଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡାର ହୋଇଥିବା ବେଳେ ଅନ୍ୟ ଜଣେ ନୟାଗଡର ବୋଲି ଜଣାପଡିଛି । ତେବେ ଘଟଣା ପଛରେ ଥିବା ମାଷ୍ଟରମାଇଣ୍ଡକୁ ପୋଲିସ ଅଟକ ରଖିଥିବା କାରଣ ପୂର୍ବ ବିବାଦ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଦୃଢକ୍ତିର ସହ କହିଛି ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଗୁଳିକାଣ୍ଡ ଘଟିଥିଲା । ୫୩ ନମ୍ବର ଜାତୀୟ ରାଜପଥର ମାର୍ଶାଘାଇ ନିକଟସ୍ଥ ମଙ୍ଗଳା ଛକ ଦେଇ ଯାଉଥିବା ଜଗତସିଂହପୁର ମହିରା ଅଞ୍ଚଳର ଶକ୍ତି ପ୍ରସାଦ ମହାନ୍ତିଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ମାଡ କରିଥିଲେ । ସେ ଜଣେ ଠିକାଦାରଙ୍କ ପାଖରେ ସୁପରଭାଇଜର ଭାବେ କାମ କରନ୍ତି । କାମ ସାରି ଘରକୁ ଫେରୁଥିବା ବେଳେ ଏକ ବୁଲେଟରେ ଦୁଇଜଣ ଯୁବକ ଆସି ତାଙ୍କ ଉପରକୁ ଗୁଳି ମାଡ ମାରିଥିଲେ । ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିବା ବେଳେ ଅନ୍ୟଟି ଖସି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ପରେ କେନ୍ଦ୍ରପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ ଓ ମାର୍ଶାଘାଇ ଥାନା ଅଧିକାରୀ ତଥା ଲେଡି ଦବଙ୍ଗ ଇନ୍ସପେକ୍ଟର ପ୍ରଜ୍ଞାପରମିତା ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆହତଙ୍କ ବୟାନ ଓ ପାରିପାଶ୍ୱିର୍କ ଅବସ୍ଥାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ପୂର୍ବ ବିବାଦରୁ ଏଭଳି ଗୁଳିକାଣ୍ଡ ଘଟିଥିବା ଜଣାପଡିଥିଲା । ଏପରିକି ଗୁଳିମାଡ କରିଥିବା ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଚିହ୍ନଟ କରିଛି । ସେମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଟିମ ଜିଲ୍ଲା ବାହାରକୁ ଯାଇଛି । ଅଭିଯୁକ୍ତ ଲୁଚିଥିବା ସ୍ଥାନକୁ ପୋଲିସ ଟିମ୍ ଏକ ପ୍ରକାର ଘେରାବନ୍ଦୀ କରିସାରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy