ଥାନା ମୁହଁରୁ ମୋବାଇଲ ଝାମ୍ପି ନେଲା ଲୁଟେରା

0 785

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମହାବଳଶାଳୀ ବୋଲାଉଥିବା କମିଶନରେଟ ପୋଲିସକୁ ଅପରାଧି ଆଉ ଖାତିର କରୁନାହାନ୍ତି । ରାସ୍ତା ହେଉ ଅବା ଘର ଭିତରୁ ଲୁଟପାଟ କରିବା ଅପରାଧୀଙ୍କ ନିତିଦିନିଆ ଘଟଣା ପାଲଟିଥିବା ବେଳେ ଏବେ ଥାନା ଦୁଆର ମୁହଁରୁ ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପି ନେବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ଘଟଣାଟି ଆଜି ଅପରାହ୍ଣରେ ମଞ୍ଚେଶ୍ୱର ଥାନା ସାମ୍ନାରେ ଘଟିଛି ।

ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ସାମ୍ବାଦିକ ଜ୍ୟୋତିରଂଜନ ମହାପାତ୍ର ହଣା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଫଟୋ ପାଇଁ ମଞ୍ଚେଶ୍ୱର ଥାନା ଆଗରେ ମିଡିଆର ଗହଳି ଲାଗିଥିଲା । ଗେଟ ପାଖରେ ପୋଲିସ କର୍ମଚାରୀମାନେ ମଧ୍ୟ ବୁଲାବୁଲି କରୁଥିଲେ । ଆଖପାଖରେ ଦୋକାନ ବଜାର ଖୋଲା ଥିଲା ଓ ଗହଳୀ ବି ଥିଲା । ଏହି ସମୟରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀ ମୋବାଇଲରେ କଥା ହୋଇ ଯାଉଥିଲେ । ଠିକ୍ ଥାନା ଫାଟକ ଆଗରେ ଦୁଇ ଯୁବକ ଏକ ବାଇକରେ ଆସି ତାଙ୍କ ଠାରୁ ଫୋନ ଛଡାଇଥିଲେ । ଏପରିକି ଟଣା-ଓଟରା ମଧ୍ୟ ହୋଇଥିଲା । ପରେ ଲୁଟେରାମାନେ ମୋବାଇଲ ଝାମ୍ପି ଚମ୍ପଟ ମାରିଥିଲେ । ଥାନା ସମ୍ମୁଖ ତଥା ଫାଟକ ଆଗରୁ ଏଭଳି ଲୁଟ୍ ହେବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ଖାଲି ଯେ ଏହି ମୋବାଇଲ ଲୁଟ୍ ନୁହେଁ ବରଂ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଘନଘନ ଲୁଟ, ଚୋରି ଓ ଅପରାଧୀକ କାର୍ଯ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପୋଲିସର ନିୟମିତ ପାଟ୍ରୋଲିଂ ଓ ପୋଲିସ ଅଧିକାରୀଙ୍କ ଅପରିପକ୍ୱତା ଏଥିପାଇଁ ଦାୟି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଜଣେ ବରିଷ୍ଠ ନାଗରିକ କହିଛନ୍ତି, ଗାଁ ଛକରେ ରାତି ୧୦ଟା ପରେ ଦୋକାନ ଖୋଲିଲେ ପୋଲିସ ଆସି ତାଗିଦ କରୁଛି । ଜୋରଜବରଦସ୍ତ ଦୋକାନ ବନ୍ଦ ମଧ୍ୟ କରୁଛି । ହେଲେ ଠିକ୍ ଥାନା ସମ୍ମୁଖରେ ଥିବା ଏକ ଚା-ପାନ ଦୋକାନ କିପରି ରାତି ୩ଟା ପର୍ଯ୍ୟନ୍ତ ଖୋଲା ରହୁଛି? ସେ ଦୋକାନ କ’ଣ ୨୪ ଘଣ୍ଟିଆ ଖୋଲିବାକୁ ଅନୁମତି ପାଇଛି କି? ନା ପୋଲିସ ନିଜର ସ୍ୱାର୍ଥ ପାଇଁ ତାକୁ ଖୋଲିବାକୁ ଅନୁମତି ଦେଇଛି? ଉକ୍ତ ଦୋକାନ ଯୋଗୁଁ ମଞ୍ଚେଶ୍ୱର ଅଞ୍ଚଳରେ ଅନେକ ଅପରାଧ ଘଟୁଛି । ଏଥିପ୍ରତି ପୋଲିସ କମିଶନର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy