ଦୁଇ ଫେରାର ବ୍ରାଉନସୁଗାର ବେପାରୀ ଗିରଫ, ବନ୍ଧୁକ ଓ ଗୁଳି ଜବତ
ଭୁବନେଶ୍ୱର, (ରିପୋଟର୍ସ ପେନ୍): ଦୀର୍ଘଦିନ ହେଲା ପୁଲିସ ଆଖିରେ ଧୂଳି ଦେଇ ଖସି ବୁଲୁଥିବା ଦୁଇ ନିଶା ମାଫିଆଙ୍କୁ ଏସ୍ଟିଏଫ କାବୁ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପିପିଲି ଦାନଗୋହିରିର ମହମ୍ମଦ ସଦାମ ଓ ନୟାଗଡ ଫତେଗଡର ଚିତ୍ତରଂଜନ ବେହେରା । ଏସଟିଏଫ ଏମାନଙ୍କ ଠାରୁ ଟଙ୍କା, ବନ୍ଧୁକ ଓ ଗୁଳି ଜବତ କରିଛି ।
ଏସଟିଏଫ ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସଟିଏଫ୍ ଟିମ୍ ଖୋର୍ଦ୍ଧା ଅଞ୍ଚଳରେ ଲୁଚିଥିବା ଫେରାର ବ୍ରାଉନସୁଗାର ବେପାରୀ ମହମ୍ମଦ ସଦାମକୁ କାବୁ କରିଥିଲା । ତାର ଘର ପିପିଲି ଥାନା ଅଧୀନ ଦାନଗୋହିରି ଗାଁରେ ବୋଲି ଜଣାଯାଇଛି । ତା ନିକଟରୁ ୩ କେଜି ୧୧୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଏହାଛଡା ତା ନିକଟରୁ ୩ଟି ୭ ଏମଏମ୍ ପିସ୍ତଲ, ଗୁଳି, ଗୋଟିଏ ଖୋକା ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଅଭିଯୁକ୍ତ ମହମ୍ମଦ ସଦାମ ଆଗରୁ ଏକାଧିକ ବାର ଏସଟିଏଫକୁ ଚକମା ଦେଇ ଖସିପଳାଇବାରେ ସକ୍ଷମ ହୋଇଥିଲା । ସେ ଅନ୍ୟତମ ଅଭିଯୁକ୍ତ ଶିବ ପ୍ରସାଦ ଦାସର ଅସ୍ତ୍ରଶସ୍ତ୍ର ଏବଂ ଗୁଳିର ମୁଖ୍ୟ ଯୋଗାଣକାରୀ ଥିବା ଜଣାଯାଇଛି । ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।
ସେହିପରି ଗୁପ୍ତଚର ଆଧାରରେ ଏନଡିପିଏସ୍ ଆକ୍ଟ ୧୯୮୫ ଆଧାରରେ ଆଉ ଜଣେ ଫେରାର ବ୍ରାଉନସୁଗାର ବେପାରୀକୁ ବି ଗିରଫ କରିଛି । ଅଭିଯୁକ୍ତ ହେଲେ ଚିତ୍ତରଂଜନ ବେହେରା । ତା ନିକଟରୁ ୧୦୯୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ପୂର୍ବରୁ ଘଟଣାସ୍ଥଳରୁ ପଳାଇ ଯାଇଥିଲା । ହେଲେ ଏଥର ଧରାପଡିବା ପରେ ଚିତ୍ତରଂଜନ ବେହେରାକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।