ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

0 201

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ୍‌ସୁଗର କାରବାରରେ ସମ୍ପୃକ୍ତ ଥିବା ଦୁଇ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର କରିସ୍ମା ରାଉତ । ସେମାନଙ୍କ ନିକଟରୁ ୨୬୫ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ ଜବତ କରାଯାଇଛି । ଯାହାର ଦାମ ପାଖାପାଖି ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏଥିସହ ୩ଟି ମୋବାଇଲ୍ ଏବଂ ଗୋଟିଏ ଲାପଟପ ମଧ୍ୟ ଜବତ ହୋଇଛି ।

ପୋଲିସ କହିଛି ଯେ, ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ ଭୁବନେଶ୍ୱରସ୍ଥିତ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ । ରାଜଧାନୀର ଖଣ୍ଡଗିରି ଥାନା ଅଧୀନ ଯଦୁପୁର ଗାଁରେ ଏକ ଭଡା ଘରେ ରହୁଥିଲେ । ପ୍ରଜ୍ଞା ଓ କରିଶ୍ମା ଯଦିଓ ବୃତ୍ତିରେ ଚାକିରି କରୁଥିଲେ, ତଥାପି ସେମାନଙ୍କର ପେଶା ଥିଲା ବ୍ରାଉନ୍‌ସୁଗାର କାରବାର । ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କମିସନରେଟ୍ ପୋଲିସ ଶୁକ୍ରବାର ରାତିରେ ଅତର୍କିତ ଚଢାଉ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଜଧାନୀର ଏକ ବ୍ରାଉନ୍‌ସୁଗର ବେପାରୀଠାରୁ ଆଣି କାରବାର କରୁଥିଲେ ।

କମିସନରେଟ୍ ପୋଲିସ ଓ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ମିଳିତ ଭାବେ ଶୁକ୍ରବାର ଉକ୍ତ ଘରେ ଚଢଉ କରିଥିଲା । ଚଢଉ ସମୟରେ ଭଡାଘରୁ ୨୬୫ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ଟଙ୍କା ହେବ । ଉଭୟଙ୍କଠାରୁ ପୋଲିସ ୩ଟି ମୋବାଇଲ୍ ଓ ଗୋଟିଏ ଲାପ୍‌ଟପ୍ ଜବତ କରିଥିଲା । ବ୍ରାଉନ୍‌ସୁଗର ଯୋଗାଉଥିବା କିଙ୍କପିନ୍‌ଙ୍କୁ ଧରିବା ପାଇଁ କମିସନରେଟ୍ ପୋଲିସ ଉଦ୍ୟମ ଚଳାଇଛି ।

ପୋଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, କଟକ ଓ ଭୁବନେଶ୍ୱରରେ ସେଫ୍ ସିଟି ଡ୍ରାଇଭ୍ ଜାରି ରହିଛି । ଏହି କାର୍ଯ୍ୟ ଆଗକୁ ମଧ୍ୟ ଚାଲୁ ରହିବ । ଚଳିତବର୍ଷ ଆଜି ସୁଦ୍ଧା କମିସନରେଟ୍ ପୋଲିସ ଓ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଭୁବନେଶ୍ୱର ଅଞ୍ଚଳରୁ ୯୮୪ ଗ୍ରାମ ବ୍ରାଉନ୍‌ସୁଗର ଓ ୫୪୩ କିଗ୍ରା ଗଞ୍ଜେଇ ଜବତ କରିଛି । ୨୦୨୩ ମସିହାରେ ଭୁବନେଶ୍ୱରରୁ ପ୍ରାୟ ୩ କିଗ୍ରା ବ୍ରାଉନ୍‌ସୁଗର ଓ ୨୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା ବୋଲି ସେ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy