Cyclone Dana: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଅତି ଭୟଙ୍କର ରୂପରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଏହାର ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ବି ପୁରା ସଜାଗ ରହିଛି । ତେବେ ବାତ୍ୟା ଯୋଗୁଁ କିଛି ଅସାଧୁ ବେପାରୀ ସକ୍ରିୟ ହୋଇଉଠିଛନ୍ତି । ବିଶେଷ କରି ପନିପରିବା ଦର ବଢାଇଦେଇଛନ୍ତି । ଆଳୁ ୫୦ ଟଙ୍କା ଛୁଇଁଥିବା ବେଳେ ପିଆଜ ୮୦ ଟଙ୍କାରେ ବିକ୍ରି ହେଉଛି । ଖାଉଟି ହନ୍ତସନ୍ତ ହେଉଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ଆସିବା ପରେ, ଖାଉଟି କଲ୍ୟାଣ ବିଭାଗ ସଜାଗ ହୋଇଉଠିଛି । ଏନେଇ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ହେଉଛି ୦୬୭୪-୨୩୯୬୨୨୭ । ଏହି ଟୋଲ ଫ୍ରି ନମ୍ବରରେ ଖାଉଟୀ ଅଭିଯୋଗ କରିପାରିବେ । କଲ୍ କରି ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ । ଅଭିଯୋଗ ଅନୁସାରେ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକସ୍ଥଳେ ସେହି ବ୍ୟବସାୟୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ଏଥିସହ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ସୁବିଧା ଅସୁବିଧା ବୁଝିବାକୁ ସେଂଟ୍ରାଲ୍ ୟୁନିଟ୍ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ସହ ଚୁଡ଼ା, ଗୁଡ଼ ଆଦି ସବୁ ସ୍ଥାନରେ ଯେପରି ପହଂଚି ପାରିବ, ସେନେଇ ବିଭାଗ ସଜାଗ ଅଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।