Cyclone dana: ବାତ୍ୟା ଶକ୍ତି ଦୁର୍ବଳ ହେବା ପଛରେ ଏହି ଦୁଇ ଶକ୍ତି, ଜାଣନ୍ତୁ

Reporterspen

Cyclone dana: ଭୁବନେଶ୍ୱର(ରିପୋଟର୍ସ ପେନ୍‌): ଗଲା ୫ ଦିନ ଧରି ଭୀଷଣ ବାତ୍ୟା ‘ଦାନା’କୁ ନେଇ ସାରା ରାଜ୍ୟ ପଡ଼ୁଥିଲା ଉଠୁଥିଲା। ୧୨୦ କିଲୋମିଟର ବେଗରେ ପବନ, ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ପ୍ରଭୃତି ଆକଳନ ଗଣମାଧ୍ୟମରେ ପ୍ରସାରିତ ହେଉଥିଲା। ଏହି ସୂଚନାକୁ ଆଖିରେ ରଖି ରାଜ୍ୟ ସରକାର କଳ, ବଳ, ଧନ ସବୁ କିଛି ଖର୍ଚ୍ଚ କରି ନିଜର ମାନ ଓ ଲୋକଙ୍କ ଜୀବନ ରକ୍ଷା କରିବାରେ ଲାଗିପଡ଼ିଲେ। ନେତା, ମନ୍ତ୍ରୀ, ଅଫିସର ସମସ୍ତ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ଲାଗି ନିୟୋଜିତ ହୋଇଥିଲେ। ହେଲେ ବାସ୍ତବରେ ଏହି ବାତ୍ୟା ସେତିକି ପ୍ରଭାବଶାଳୀ ହୋଇ ପାରି ନଥିଲା। ଏହାପରେ ଏବେ ପ୍ରଶ୍ନ ଗୁଞ୍ଜରିତ ହେଉଛି ଯେ, ଏ ‘ଦାନା’ ଏକ ଭୀଷଣ ବାତ୍ୟା ଥିଲା ନା  ବୈଦ୍ୟୁତିକ ଗଣମାଧ୍ୟମର ଚର୍ଚ୍ଚା ଏବଂ ଉପସ୍ଥାପନା ତାଠୁ ଭୀଷଣ ବାତ୍ୟା ଥିଲା?

ଆଜି ସକାଳୁ ସ୍ଥଳଭାଗରୁ ଅପସାରିତ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଳ ପ୍ରକ୍ରିୟା ଖୁବ୍‍ ବିଳମ୍ବ ଥିଲା। ଏହା ପ୍ରାୟ ୮ରୁ ୯ ଘଣ୍ଟା ସମୟ ଲାଗିଥିଲା। ଏହାଛଡ଼ା ବାତ୍ୟା ସମୟରେ ପବନର ବେଗକୁ ନେଇ ଯେଉଁ ଆକଳନ କରାଯାଇଥିଲା ତାହା ମଧ୍ୟ କମ୍‍ ରହିଥିଲା। ପୁଣି ସମୁଦ୍ରରେ ବଳ ଗୋଟାଇ ଅତ୍ୟଧିକ ବର୍ଷା ଏପରିକି ୨୦ରୁ ୨୫ ସେଣ୍ଟିମିଟର ଯାଏ ବର୍ଷା କରାଇବ ବୋଲି ଯାହା ଆକଳନ କରାଯାଇଥିଲା ତାହା ହୋଇ ନଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ କେନ୍ଦ୍ରାପଡ଼ାର ରାଜନଗରଠାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହା ହେଉଛି ୧୫.୬ ସେଣ୍ଟିମିଟର। ଅର୍ଥାତ୍‍ ଆକଳନଠାରୁ ଯଥେଷ୍ଟ କମ୍‍।

ବାତ୍ୟା ଧୀର ହେବା ପଛରେ ମଧ୍ୟ କାରଣକୁ ଖୋଜି ପାଇଛି ପାଣିପାଗ ବିଭାଗ । ସମୁଦ୍ର ମଧ୍ୟରେ ହିଁ ବାତ୍ୟାକୁ ଦୁଇଟି ଶକ୍ତି ଦୁର୍ବଳ କରିଥାଇପାରେ ବୋଲି ଆଶଙ୍କା କରାଯାଇଛି। ଏ ଦୁଇ ଶକ୍ତି କିଏ?

ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ବାତ୍ୟା ଦାନା’ ଉତ୍ତର ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଥିଲା। ଏଡିୀ ସମୟରେ ଦୁଇଟି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିଲା ଯାହାକୁ ବାତ୍ୟା ବିରୋଧୀ ଝଡ଼ ବୋଲି କୁହାଯାଉଛି। ଏହି ଦୁଇ ଝଡ଼ରୁ ଗୋଟିଏ ପୂର୍ବ ପଟକୁ ଥିବା ବେଳେ ଆଉ ଏକ ପଶ୍ଚିମ ପଟକୁ ଥିଲା। ଫଳରେ ଏହି ଦୁଇ ବାତ୍ୟା ବିରୋଧୀ ଶକ୍ତରେ ଦୁର୍ବଳ ହୋଇଥିଲା ଦାନା। ଏହି କାରଣରୁ ସମୁଦ୍ର ମଧ୍ୟରେ ୧୫ କିଲୋମିଟର ବେଗରେ ଆସୁଥିବା ବାତ୍ୟାର ବେଗ ହଠାତ୍‍ ୧୦ କିଲୋମିଟରକୁ ହ୍ରାସ ପାଇଥିଲା।

କିନ୍ତୁ ବାତ୍ୟାର ଆଖି ସୃଷ୍ଟି ନହେବାକୁ ସ୍ବଭାବିକ ବୋଲି କହିଛନ୍ତି ଡ. ମହାନ୍ତି। ସେ କହିଛନ୍ତି ଅତି ଭୀଷଣ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। କିନ୍ତୁ ଏହା ଭୀଷଣ ବାତ୍ୟାବୋଲି ଆକଳନ କରାଯାଥିଲା ଏଣୁ ଆଖି ସୃଷ୍ଟି ନହେବା  ସ୍ୱଭାବିକ। ଯାହା ହେଲେବି ଓଡ଼ିଶା ଏକ ବଡ଼ କ୍ଷତିରୁ ରକ୍ଷା ପାଇପାରିଛି। ସରକାରଙ୍କ ପ୍ରସ୍ତୁତି ଅପେକ୍ଷା ଲୋକଙ୍କ ଧନ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି ଏହି ଦୁଇ ସାମୁଦ୍ରିକ ଶକ୍ତି।


Reporterspen
!-- afp header code starts here -->