cyclone update: ବାତ୍ୟା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା

Reporterspen

cyclone update: ଭୁବନେଶ୍ୱର (ରିପୋଟର୍ସ ପେନ୍‌), ଅକ୍ଟୋବର ୨୨: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ । ମୋଟ ୧୪ଟି ଜିଲ୍ଲାରେ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ କରିବା ପାଇଁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ପ୍ରଭାବିତ ଅଞ୍ଚଳରେ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ । ଉକ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସରକାର ଛୁଟି ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ ଏକ ଚିଠି ଲେଖି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଏ ସମ୍ପର୍କରେ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ, ଲୋକସେବା ଭବନ ଠାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କିତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ଯରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ବାତ୍ୟାର ସଠିକ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଯୋଗାଯୋଗ, ବିଦ୍ୟୁତସେବା, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ରିଲିଫ ସାମଗ୍ରୀ ଯୋଗାଣ, କଳାବଜାରୀ ନିୟନ୍ତ୍ରଣ ଭଳି ବିଷୟକୁ ବିଶେଷ ଗୁରୁତ୍ଵ ଦିଆଯିବ।

ଲୋକଙ୍କ ସରକାର ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି। ପ୍ରତିଟି ଜୀବନକୁ ସୁରକ୍ଷିତ ରଖିବା ଏବଂ ଜିରୋ କାଜୁଆଲିଟିକୁ ନିଶ୍ଚିତ କରିବା ପାଇଁ ଆମ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସରକାର ଆପଣଙ୍କ ସହ ସବୁବେଳେ ସବୁ ସମୟରେ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ସମସ୍ତେ ସଚେତନ ରହିବା ସହ ଭୟଭୀତ ନହୋଇ ସରକାରୀ ସ୍ତରରେ ଜାରି ହୋଇଥିବା ସୂଚନା ଆଧାରରେ ନିଜକୁ ପ୍ରସ୍ତୁତ ରଖନ୍ତୁ ବୋଲି ସମୀକ୍ଷା ବୈଠକରେ କୁହାଯାଇଛି ।


Reporterspen