cyclone: ଭୁବନେଶ୍ୱର (ରିପୋଟର୍ସ ପେନ୍) : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି କ୍ରମଶଃ ଘନିଭୂତ ହୋଇ ବାତ୍ୟାର ରୂପ ନେବ । ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ । ୨୪ ସକାଳ ସୁଦ୍ଧା ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ( ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି ।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତାକାଲି ଏହା ଲୁଘଚାପ କ୍ଷେତ୍ରରେ ପରିଣତ ହେବ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ । ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ନିକଟରେ ଉପକୂଳ ଛୁଇଁବ । ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ । ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ଅଧିକ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ । କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ । ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ମତ୍ସ୍ୟଜୀବୀ ମାନେ ଆଣ୍ଡାମାନ ସାଗରରୁ ୨୧ ତାରିଖ ପର୍ଯ୍ୟନ୍ତ ଯିବାକୁ ବାରଣ କରାଯାଇଛି । ସେହିପରି ୨୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଓ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଅଛନ୍ତି ସେମାନେ ୨୧ ତାରିଖ ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।
ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାଟି କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହେବ । ପ୍ରାଥମିକ ଆକଳନ ଅନୁସାରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ ଜଣାପଡ଼ିଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ରୋଡ ଆଲର୍ଟ ଜାରି କରାଯାଇଥିବା ବେଳେ କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ନୟାଗଡ, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।