ଭୁବନେଶ୍ୱର, (ରିପୋଟର୍ସ ପେନ୍): ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ମାଧ୍ୟମରେ ଯୁବତୀ ଏବଂ ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ସହ ଚାଟ୍ କରି ପ୍ରଥମେ ସମ୍ପର୍କ ଗଢିବା ପରେ ସେମାନଙ୍କଠାରୁ ଲୁଟ୍ କରୁଥିବା ଜଣେ ରସିକିଆ ପ୍ରେମିକ ବା ‘ଦୁହ୍ଲେ ରାଜା’ଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାମ ସତ୍ୟଜିତ ମାନଗୋବିନ୍ଦ ସାମଲ ଏବଂ ତାଙ୍କ ବୟସ ୩୪। ସତ୍ୟଜିତଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ କିଛି ମାସ ଧରି ରହୁଥିଲେ।
ଅଭିଯୁକ୍ତ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ଏକ ଧଳା ରଙ୍ଗର ବୋଲେନୋ କାର, ଏକ ବୁଲେଟ୍, ଏକ ଛୋଟ ବନ୍ଧୁକ, ଗୁଳି, ତିନିଟି ମୋବାଇଲ ଫୋନ୍ ଓ ୨ଟି ବିବାହ ଏଗ୍ରିମେଣ୍ଟ ପେପର ଜବତ କରାଯାଇଛି। ଏହା ସହିତ ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ବିଭିନ୍ନ ଟ୍ରାଭେଲ୍ସରେ ଲାଗିଥିବା ତାଙ୍କର ଆହୁରି ୩ଟି କାରକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ମଧ୍ୟ ଜବତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।
ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଅଭିଯୁକ୍ତଙ୍କ ନାଁରେ କ୍ୟାପିଟାଲ ଥାନାରେ ଦୁଇ ଜଣ ମହିଳା ଏତଲା ଦେଇଥିଲେ। ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ଜରିଆରେ ଅଭିଯୁକ୍ତଙ୍କ ସହିତ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କ ସହିତ ଚାଟିଂ କରିବା ପରେ ସେ ସେମାନଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ଏହା ପରେ ଅଭିଯୁକ୍ତ ସେମାନଙ୍କ ସହିତ ସଂପର୍କ ରଖିଥିଲେ ଓ ସେମାନଙ୍କ ଠାରୁ ପଇସାପତ୍ର ସହିତ ଗାଡ଼ି ନେଇଥିଲେ। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଅଭିଯୁକ୍ତ ଜଣଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ନେଇଥିବା ବେଳେ ଅନ୍ୟ ଜଣଙ୍କଠାରୁ ୮ ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ଏହି ଦୁଇ ମହିଳାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମାଟ୍ରିମୋନିଆଲ ସାଇଟ୍ରେ ଯାଞ୍ଚ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଟ ୪୯ ଜଣ ମହିଳାଙ୍କ ସହ ଚାଟିଂ ବା ବିଭିନ୍ନ ସ୍ତରରେ ସଂପର୍କରେ ଅଛନ୍ତି। ଦୁଇ ଜଣ ଆନୁଷ୍ଠାନିକ ଭାବେ ଏତଲା ଦେଇଥିବା ବେଳେ ଆମେ ଫୋନ୍ କରି ଆଉ ଦୁଇ ଜଣ ମହିଳାଙ୍କୁ ପଚାରିବାରେ ଅଭିଯୁକ୍ତ ସେମାନଙ୍କ ସହିତ ଏଗ୍ରିମେଣ୍ଟ କରି ବାହା ହୋଇଥିବା ଜଣାପଡ଼ିଛି। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୋଲାକାତାର ଓ ଅନ୍ୟ ଜଣେ ଦିଲ୍ଲୀର ବୋଲି ଜଣାପଡ଼ିଛି।
ବିଶେଷ କରି ଛାଡ଼ପତ୍ର ପାଇଥିବା ମହିଳାମାନଙ୍କୁ ଅଭିଯୁକ୍ତ ଟାର୍ଗେଟ କରୁଥିଲେ। ମାଟ୍ରିମୋନିଆଲ ସାଇଟ୍ ଜାରଆରେ ସେମାନଙ୍କୁ ଜାଣିବା ପରେ ସେମାନଙ୍କ ସହିତ ଚାଟିଂ କରୁଥିଲେ ଓ ବିବାହ କରିବାକୁ ପ୍ରତିଶ୍ରୁତି ଦେଉଥିଲେ। ଏନେଇ ଏଗ୍ରିମେଣ୍ଟ ମଧ୍ୟ କରୁଥିଲେ। ଏଗ୍ରିମେଣ୍ଟ କଲା ପରେ ଅଭିଯୁକ୍ତ ସେମାନଙ୍କ ଠାରୁ ପଇସା ଓ ଗାଡ଼ି ନେଉଥିଲେ। ଗାଡ଼ିଗୁଡ଼ିକୁ ଟ୍ରାଭେଲ୍ ଏଜେନ୍ସୀ ଜରିଆରେ ଭଡ଼ାରେ ଲଗାଉଥିଲେ। ଯେତେବେଳେ ପୀଡ଼ିତାମାନେ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହୁଥିଲେ, ସେତେବେଳେ ସେ ଦୁବାଇ ପଳାଉଥିଲେ। ସେଠାରେ ବୁଲାବୁଲି କରି ଫେରି ଆସୁଥିଲେ। ଯେଉଁ ଦୁଇ ଜଣ ମହିଳା ଅଭିଯୋଗ କରିଛନ୍ତି, ସେମାନେ କହିଛନ୍ତି ଯେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲେ। ଯେହେତୁ ଅଭିଯୁକ୍ତ ୪୯ ଜଣ ମହିଳାଙ୍କ ସହିତ ସଂପର୍କରେ ଥିଲେ, ତେଣୁ ଅନ୍ୟ ପୀଡ଼ିତାମାନଙ୍କୁ ସହିତ ଆମେ ଯୋଗାଯୋଗ କରିଛୁ। ତାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ମହିଳାଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଏହି ୪୯ ଜଣଙ୍କ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରର ମହିଳା ଅଛନ୍ତି। ଏ ନେଇ ଆହୁରି ତଦନ୍ତ ହେବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ।
ସତ୍ୟଜିତଙ୍କ କଳାକାରନାମା ନେଇ ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ତାଙ୍କୁ ଧରିବା ପାଇଁ ଫାସ ପକାଇଥିଲା। କାରଣ ସେ ଏମିତି ଠକେଇ କରିବା ପରେ ଦୁବାଇ ପଳାଉଥିଲେ। ସେ ସେଠାରେ ଷ୍ଟାର ବକ୍ସରେ ଚାକିରି ମଧ୍ୟ କରୁଥିଲେ। ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କ ସହିତ ଚାଟିଂ କରି ତାଙ୍କୁ ଡକାଇଥିଲେ। ତା’ପରେ ତାଙ୍କୁ ଧରାଯାଇଥିଲା। ମାଟ୍ରିମୋନିଆଲ ସାଇଟ୍ରେ ସତ୍ୟଜିତ ନିଜକୁ ଆଇବି ଇନ୍ସପେକ୍ଟର ଭାବେ ପରିଚୟ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ନିଜକୁ ଜଣେ ପୋଲିସ କର୍ମଚାରୀ ବୋଲି କହୁଥିଲେ।