ବିବାଦରେ ପୁରୁଣା ଚେହେରା, ସ୍ୱଚ୍ଛ ଓ ନୂଆ ମୁହଁ ସପକ୍ଷରେ ଭଦ୍ରକବାସୀ

0 6,578

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ସବୁ ଦଳ ପକ୍ଷରୁ ପ୍ରାର୍ଥୀତ୍ୱକୁ ନେଇ ଅଙ୍କକଷା ଜୋର ଧରିଥିବା ବେଳେ ରାଜ୍ୟର ଏକ ନମ୍ବର ଦଳ ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ଭଦ୍ରକ ବିଧାନସଭା ଆସନ ଲାଗି ଏକାଧିକ ଆଶାୟୀ ନିଜ ସପକ୍ଷରେ ଲବି ଚଳାଇଥିବା ବେଳେ ଲୋକେ କିନ୍ତୁ, ସ୍ୱଚ୍ଛ, ର୍ନିବିବାଦୀୟ ଓ ନୂଆ ମୁହଁ ସପକ୍ଷରେ ରହିଛନ୍ତି ।

ଭଦ୍ରକ ବିଧାନସଭା ଆସନରୁ ପୁଣି ଥରରେ ସଞ୍ଜୀବ ମଲ୍ଲିକ ଲଢିବାକୁ ଇଚ୍ଛା ରଖିଥିବା ବେଳେ ଦଳ ଓ ସ୍ଥାନୀୟ ନେତୃବୃନ୍ଦ ତାଙ୍କ ସପକ୍ଷରେ ନାହାନ୍ତି । ପିସି କାରବାରରେ ଲିପ୍ତ ଓ ସଙ୍ଗଠନ ସଦୃଢ କରିବାରେ ବିଫଳ ହେବା ଯୋଗୁଁ ଦଳ ତାଙ୍କୁ ଆଉ ଥରେ ଟିକେଟ ଦେଇ ରିସ୍କ ନେବାକୁ ଚାହୁଁନାହିଁ । ଲୋକେ ମଧ୍ୟ ତାଙ୍କୁ ଆଉ ଥରେ ବିଧାୟକ କରିବା ସପକ୍ଷରେ ନାହାନ୍ତି । ଏଥିସହିତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଭଦ୍ରକ ପୌର ପରିଷଦ ଅଧ୍ୟକ୍ଷା ଗୁଲ୍ଲମକୀ ପର୍ଯ୍ୟନ୍ତ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । ଖାଲି ଏତିକି ନୁହେଁ ବରଂ ପୂର୍ବତନ ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକଙ୍କ ଗୋଷ୍ଠୀ ମଧ୍ୟ ତାଙ୍କ ସପକ୍ଷରେ ନାହାଁନ୍ତି ।

ଭଦ୍ରକରେ ସଞ୍ଜୀବଙ୍କ ସ୍ଥିତିକୁ ଦେଖି ଦଳ ତାଙ୍କ ବଦଳରେ ସେଠାରୁ ପ୍ରଫୁଲ ସାମଲଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିଲା । ମାତ୍ର ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ଇଡି ଚଢାଉ ପରେ ତାଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ସର୍ବଦା ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀକୁ ଗୁରୁତ୍ୱ ଦେଉଥିବା ନବୀନ ପଟ୍ଟନାୟକ ପ୍ରଫୁଲଙ୍କୁ ଟିକେଟ ଦେଇ ବଦନାମ ମୁଣ୍ଡାଇବାକୁ କେବେ ଚାହିଁବେ ନାହିଁ । ଏପରିକି ଇଡି ଚଢାଉ ଓ ବାପ-ପୁଅଙ୍କୁ ଇଡି ସମନ ପରେ ଲୋକେ ମଧ୍ୟ ତାଙ୍କୁ ବିରୋଧ କରିବା ଆରମ୍ଭ କଲେଣି ।

ସଞ୍ଜୀବ ଓ ପ୍ରଫୁଲଙ୍କ ପରେ ଅନ୍ୟତମ ଦାବିଦାର କୁହାଯାଉଥିବା ଅସିତ ପଟ୍ଟନାୟକଙ୍କ ବିରୋଧରେ ଦଳବିରୋଧି କାର୍ଯ୍ୟର ଅଭିଯୋଗ ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ସେ ସଞ୍ଜୀବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ବିରୋଧରେ ଯାଇ କେତେକ ସ୍ଥାନରେ ସ୍ୱାଧିନ ପ୍ରାର୍ଥୀ ଦେଇଥିଲେ । ଫଳରେ ତାଙ୍କ ଯୋଗୁଁ ଦଳକୁ କ୍ଷତି ସହିବାକୁ ପଡିଥିଲା । ତେଣୁ ଦଳ ତାଙ୍କୁ ମଧ୍ୟ ପୂର୍ଣ୍ଣ ଭରସା କରୁପାରୁନାହିଁ । ତେଣୁ ଟିକେଟ ପାଇବା ଆଶା କମ ଥିବା ଜାଣିବା ପରେ ଅସିତ ଏବେ ବିକଳ୍ପ ସନ୍ଧାନରେ ଥିବା ଜଣାପଡିଛି । ନିକଟରେ ଅସିତ ନିଜ ଘରେ ସମର୍ଥକଙ୍କୁ ନେଇ ଏକ ଗୁପ୍ତ ବୈଠକ କରିଥିଲେ । ବୈଠକରେ ବିଜେଡି ଟିକେଟ ନମିଳିଲେ, ସ୍ୱାଧିନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଏସବୁ ଘଟଣାକୁ ଅନୁଧ୍ୟାନ କଲେ ଦଳ ଏବେ ସ୍ୱଚ୍ଛ ଓ ନୂଆ ମୁହଁ ସନ୍ଧାନରେ ରହିଛି । ଏହି ନୂଆ ଚେହେରା ମଧ୍ୟରେ କଂଗ୍ରେସ ରାଜନୀତିରୁ ବିଜେଡିକୁ ଆସିଥିବା ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନାଁ ରହିଛି । ମାତ୍ର ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନାଁ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆସିଛି । କାରଣ ରାଜନୀତି ପରିବାରରୁ ଆସିଥିବା ଓ ଛୋଟ ବେଳରୁ ଲୋକଙ୍କ ସେବା କରିବା ମନୋବୃତ୍ତିି ରଖିଥିବା ଜ୍ୟୋତି ପ୍ରକାଶ ମହାନ୍ତିଙ୍କୁ ତୃଣମୂଳସ୍ତରରୁ ଲୋକେ ଚାହୁଁଛନ୍ତି । ଗତ ୫ବର୍ଷ ହେଲା ସେ ନିର୍ବାଚନ ମଣ୍ଡଳୀର ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଲୋକଙ୍କ ଦୁଃଖ-ସୁଖର ସାଥି ପାଲଟୁଛନ୍ତି । ତାଙ୍କର ସେବା ମନୋବୃତ୍ତି ଯୋଗୁଁ ତୃଣମୂଳସ୍ତରର ଲୋକେ ତାଙ୍କୁ ହିଁ ନିଜର ନେତା ଭାବେ ବାଛି ନେଇଛନ୍ତି । ତେଣୁ ବିଜେଡି ତାଙ୍କୁ ଅଣଦେଖା କରିପାରୁନାହିଁ ।

ଜ୍ୟୋତି ପ୍ରକାଶ ମହାନ୍ତି ପୂର୍ବରୁ ଜିଲ୍ଲା କଂଗ୍ରେସର ଛାତ୍ର ଓ ଯୁବ ସଙ୍ଗଠନରେ କାର୍ଯ୍ୟ କରିସାରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ତାଙ୍କ ଟିକେଟ୍ ଦେଇଥିଲେ ବି ଶେଷ ମୁହୂର୍ତ୍ତରେ କାଟ ଯାଇଥିଲା । ଟିକେଟ କଟିବା ପରେ ସେ କଂଗ୍ରେସରୁ ଅସନ୍ତୋଷ ହୋଇ ବିଜେଡିକୁ ସମର୍ଥନ କରିଥିଲେ । ସେବେଠାରୁ ସେ ବିଜେଡି ସପକ୍ଷରେ ପ୍ରଚାର ପ୍ରସାର କରୁଛନ୍ତି । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ଚେଷ୍ଠା କରୁଥିବା ବେଳେ ଲୋକଙ୍କ ଦୁଃଖସୁଖରେ ସାମିଲ ହୋଇ ବେଶ୍ ପ୍ରସଂଶିତ ହୋଇଛନ୍ତି । ତେଣୁ ବିଜେଡି ତାଙ୍କ ନାଁକୁ ନେଇ ତର୍ଜମା କରୁଥିବା ଜଣାପଡିଛି । ଯଦି ଜ୍ୟୋତି ପ୍ରକାଶଙ୍କୁ ଟିକେଟ ମିଳେ, ତେବେ ଲୋକେ ଅକୁଣ୍ଠ ସମର୍ଥନ କରିବେ ବୋଲି କୁହାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy