‘ରାଜସ୍ୱ ଗ୍ରାମର ମାନ୍ୟତା ନମିଳିଲେ ଭୋଟ ବର୍ଜନ’

0 375

ଭୁବନେଶ୍ୱର/କଟକ, (ରିପୋଟର୍ସ ପେନ୍‌): କଟକ ଜିଲ୍ଲା ପଡ଼ାଗ୍ରାମ ସୁଧାନଗରକୁ ରାଜସ୍ୱ ଗ୍ରାମର ମାନ୍ୟତା ନମିଳିଲେ ଗ୍ରାମବାସୀ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମବାସୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଦୀର୍ଘଦିନ ହେଲା ପଡ଼ାଗ୍ରାମ ସୁଧାନଗରକୁ ରାଜସ୍ୱ ଗ୍ରାମର ମାନ୍ୟତା ଲାଗି ଲୋକେ ଦାବି କରି ଆସୁଛନ୍ତି । ଲୋକଙ୍କ ଦାବିକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ୨୦୨୧ ଜୁଲାଇ ୨୮ ତାରିଖରେ (ଚିଠି ନିମ୍ବର-୨୧୯୧୨) ପଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ସର୍ତ୍ତାବଳୀକୁ ଅଧିକ ମାତ୍ରାରେ ପୂରଣ କରୁଥିଲେ ମଧ୍ୟ ଏହି ପଡାଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳୁନାହିଁ । ଏହି ପଡାଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ନିଆଳି ବିଧାୟକ ଡା. ପ୍ରମୋଦ ମଲ୍ଲିକ, ତତକାଳୀନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ନିଆଳି ତହସିଲଦାର ସୁପାରିଶ କରିଥିଲେ । ମାତ୍ର ଅଦ୍ୟାବଧି ଏହାକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରିନାହିଁ ।

ଏଣୁ ଏହି ପ୍ରଶାସନିକ ଅନ୍ୟାୟକୁ ବିରୋଧ କରି ପଡାଗ୍ରାମ ସୁଧାନଗରର ସମସ୍ତ ୩ଟି ଯାକ ୱାର୍ଡର ଜନସାଧାରଣ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy