କେନ୍ଦ୍ରାପଡା: ପଦ୍ମ ଧରିବେ କିଶୋର ତରାଇ, ସମର୍ଥନ କରିବେ ସିପ୍ରା!

0 2,909

ଭୁବନେଶ୍ୱର/କେନ୍ଦ୍ରାପଡ଼ା, (ରିପୋଟର୍ସ ପେନ୍‌): ନିର୍ବାଚନୀ ବିଗୁଲ ବାଜିବାକୁ ଆଉ ମାତ୍ର କେଇଟା ଦିନ ଥିବା ବେଳେ କେନ୍ଦ୍ରାପଡା ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ଅଣ-କଂଗ୍ରେସ ଗଡ ଭାବେ ପରିଚିତ କେନ୍ଦ୍ରାପଡାରେ ଏଥର ତୃଣମୂଳସ୍ତରରୁ ବିଜେଡି ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଛି । ଗାଁ ଗହଳି ଠାରୁ ଆରମ୍ଭ କରି ସଦର ମହକୁମା ପର୍ଯ୍ୟନ୍ତ ‘ଶଶୀ ହଟାଅ, କେନ୍ଦ୍ରାପଡା ବଞ୍ଚାଅ’ ନାରା ଗୁଞ୍ଜରିତ ହେଉଛି । ବିଜେଡି ବିରୋଧରେ ସ୍ୱର ଉଠିବାରୁ ପୂର୍ବତନ ବିଧାୟକ କିଶୋର ତରାଇ ଏବେ ଦଳ ଛାଡି ପଦ୍ମ ପୋଖରୀକୁ ଡିଆଁ ମାରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଚର୍ଚ୍ଚା ହେଉଛି, କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ଲଗାତର ଭାବେ ବିଜେଡି ବିଜୟୀ ଲାଭ କରୁଥିବାରୁ ରାଜ୍ୟ ନେତୃମଣ୍ଡଳ ଏହାକୁ ଥଇଥାନ କେନ୍ଦ୍ର ବନାଇ ଦେଇଛନ୍ତି । ନିର୍ବାଚନ ମଣ୍ଡଳୀ ବାହାରୁ ନେତାଙ୍କୁ ଆଣି ଏଠାରେ ବିଧାୟକ କରୁଛନ୍ତି । ତେଣୁ ଦଳରେ ଦୀର୍ଘଦିନ ଧରି ତୃଣମୂଳସ୍ତରରୁ କାମ କରୁଥିବା ନେତାଙ୍କୁ ଟିକେଟ ମିଳିବା ସମ୍ଭାବନା କମ୍ ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଥିଲା । ୨୦୦୯ରେ କେନ୍ଦ୍ରାପଡାରୁ ସିପ୍ରା ମଲ୍ଲିକ ଓ ୨୦୧୪ରେ କିଶୋର ତରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଏମାନେ ଟିକେଟ ଆଶାୟୀ ଥିଲେ । ହେଲେ ଦଳ ସେମାନଙ୍କୁ ଅଣଦେଖା କରି ଶଶୀଭୂଷଣ ବେହେରାଙ୍କୁ ଟିକେଟ ଦେଇଥିଲା । ଏହା ପରଠାରୁ ଦଳ ଉପରେ ସ୍ଥାନୀୟ ନେତାଙ୍କ ଭରସା ଉଠିଯାଇଛି ।

ବିରୋଧର ଶୀକାର ହେଉଥିଲେ ମଧ୍ୟ ଏଥର ପୁଣି ଥରେ ଶଶୀ ବେହେରାଙ୍କୁ କେନ୍ଦ୍ରାପଡାରୁ ଟିକେଟ ମିଳିପାରେ । ଶଶୀ ନିଜେ ନଲଢି ତାଙ୍କ ପୁଅକୁ ବିଜେଡି ଟିକେଟରୁ ପ୍ରାର୍ଥୀ କରିବାକୁ ଲବି ଚଳାଇଛନ୍ତି । ତାଙ୍କର ଉପର ମହଲରେ ହାତ ଥିବାରୁ ସେ ଟିକେଟ ହାତେଇବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ତେବେ ଚଳିତ ଥର ଟିକେଟ ମିଳିବା ଆଶା କମ୍ ଥିବାରୁ କିଶୋର ତରାଇ ବିଜେପିରେ ଯୋଗ ଦେବାକୁ ଏକ ପ୍ରକାର ମନସ୍ଥିର କରିସାରିଛନ୍ତି । ଏପରିକି ଏକାଧିକ ଥର ବିଜେପି ନେତାଙ୍କ ସହ ଗୁପ୍ତ ବୈଠକ କରିସାରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି । ତେବେ କିଶୋରକୁ ସିପ୍ରା ପୂର୍ଣ୍ଣ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି ।

ଯଦି ଏହି ଦୁଇ ନେତା ବିଜେପି ଶିବିରକୁ ଯାଆନ୍ତି, ତେବେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଏହାର ଫାଇଦା ମିଳିବା ପ୍ରାୟ ନିଶ୍ଚିତ । ଗତ ନିର୍ବାଚନରେ ଶ୍ରୀ ବେହେରା ମାତ୍ର ୬ହଜାର ୫୮୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଯଦି କିଶୋର ଓ ସିପ୍ରା ବିଜେଡିରୁ ୭ ହଜାର ଭୋଟ ଛଡାଇ ନିଅନ୍ତି, ତେବେ କଂଗ୍ରେସ ବାଜିମାତ କରିବ ଏଥିରେ ସନ୍ଦେହ ନାହିଁ । ତେବେ ସେ ଯାହା ହେଉ କେନ୍ଦ୍ରାପଡା ଏଥର ନୂଆ ଇତିହାସ ସୃଷ୍ଟି କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy