ଅଶୋକ, ସୁର ଓ ବିଭୂତି ବଳରେ ବଳିଆନ୍‌ ବୁନୁ !

0 790

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ‘କିଚକ ବାହୁବଳେ ବିରାଟ ରାଜା’ ଭଳି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ଅଶୋକ, ସୁର, ବିଭୂତି ଓ ରାଜୁଙ୍କ ବଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ଏବେ ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ଟାହି ଟାପରା କରି କହୁଛନ୍ତି ‘ମୋର ସିନା ନିଶ ନାହିଁ, ହେଲେ ମୋ ଭାଇର ଅଛି…..’ ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଲକ୍ଷ୍ମୀସାଗର ମେଲଣ ପଡିଆରେ ଅନନ୍ତ ନାରାୟଣ ଜେନା ଶକ୍ତି ପ୍ରଦର୍ଶନ କରିଥିଲେ । ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ସଭା ନାଁରେ ସେ ନିଜର ଦମ୍ ଦେଖାଇବାକୁ ଚେଷ୍ଠା କରିଥିଲେ । ଅମରେଶ ଜେନା ଓରଫ ବାଇଁଆ ନିର୍ବାଚନ ମଣ୍ଡଳୀରେ ବାରମ୍ବାର ଶକ୍ତି ପ୍ରଦର୍ଶନ, ସମାବେଶ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ବୁନୁଙ୍କ ନିଦ ହଜାଇବା ପରେ ଆଜି ସେ ଏଭଳି ପ୍ରୟାସ କରିଥିଲେ । ମାତ୍ର ଏକୁଟିଆ ଶକ୍ତି ପ୍ରଦର୍ଶନ କରିବାକୁ ସାହାଶ ଜୁଟାଇ ପାରିନଥିଲେ । ସାଙ୍ଗରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ମେୟର ସୁଲୋଚନା ଦାସ ଭଳି ଅନେକ ନେତାଙ୍କୁ ମଧ୍ୟ ନେଇଥିଲେ ।

ଏହି ସଭାକୁ ସଫଳ କରିବା ସହ ନିଜର ଶକ୍ତି ଦେଖାଇବା ଲାଗି ନିର୍ବାଚନ ମଣ୍ଡଳୀ ବାହାରୁ ହଜାର ହଜାର ଲୋକଙ୍କୁ ଅଣାଯାଇଥିଲା । ଜଟଣୀରୁ ସୁର ରାଉତରାୟ, ବିଭୂତି ବଳବନ୍ତରାୟ, କାଟକପୁର ରାଜୁ ମଲ୍ଲିକ ଓ ଏକାମ୍ରରୁ ଅଶୋକ ପଣ୍ଡାଙ୍କ ସମର୍ଥକଙ୍କୁ ବସ୍ ଯୋଗେ ସଭାସ୍ଥଳକୁ ଅଣାଯାଇଥିଲା । ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଆସିଥିବା ଲୋକଙ୍କ ସଂଖ୍ୟା ନଗନ୍ୟ ଥିଲା । ସର୍ବାଧିକ ଲୋକ ଅଶୋକ ପଣ୍ଡା, ସୁର ରାଉତରାୟ ଓ ବିଭୂତିଙ୍କ ନିର୍ବାଚନ ମଣ୍ଡଳିରୁ ଆସିଥିଲେ । ଜଟଣୀରୁ ୧୨ଟି ବସ୍‌, କାକଟପୁର ୫, ଏକାମ୍ରରୁ ୧୦ଟି ବସ୍ ସମେତ ଅନ୍ୟାନ୍ୟ ଗାଡିରେ ଲୋକଙ୍କୁ ବୁହାଯାଇଥିଲା । ବିଶେଷ କରି ଏହି ସଭା କାର୍ଯ୍ୟଟି ମନ୍ମଥଙ୍କ ଉଦ୍ୟମରେ କରାଯାଇଥିଲା । ଏଥିପାଇଁ ସମସ୍ତ ଖର୍ଚ୍ଚ ମଧ୍ୟ ମନ୍ମଥ କରିଥିବା ତାଙ୍କ ବାପା ସୁର ରାଉତରାୟଙ୍କ ସମର୍ଥକମାନେ କହୁଛନ୍ତି ।

ଲକ୍ଷ୍ମୀସାଗରେ କରାଯାଇଥିବା ସଭାକୁ ମଧ୍ୟ ନିର୍ବାଚନ ମଣ୍ଡଳୀ ବାହାରୁ ଲୋକ ଆସିବା ଓ ଖର୍ଚ୍ଚ ମନ୍ମଥ କରିବା ଦର୍ଶାଉଛି ଯେ, ବୁନୁ ଏଠି ‘ବିରାଟ ରାଜା’ ସାଜିଥିବା ବେଳେ ଏହା ପଛରେ ଅଶୋକ, ସୁର, ବିଭୂତି ଓ ରାଜୁ ‘କିଚକ’ ଭଳି ବଳ ଯୋଗାଇଛନ୍ତି । ନିଜର ବଳ ନଥାଇ ଅନ୍ୟ ବଳରେ ଦମ୍ ଦେଖାଇବା ପରେ ବୁନୁଙ୍କୁ ଏବେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ବିରୋଧୀ କହୁଛନ୍ତି ‘ମୋର ସିନା ନିଶ ନାହିଁ, ହେଲେ ମୋ ଭାଇର ଅଛି’ । ଏହା ଉକ୍ତିଟି ବୁନୁଙ୍କ ଉର୍ଦ୍ଦେଶ୍ୟରେ କୁହାଯାଉଥିବା ସ୍ପଷ୍ଟ ବାରିହୋଇପଡୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy