ଦଳକୁ ଧମକ ଦେବା ଆରମ୍ଭ କଲେ ବୁନୁ!

0 2,189

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦଳୀୟ ଟିକେଟକୁ ନେଇ ଅଙ୍କ ଛିଡୁନଥିବା ବେଳେ ଏବେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଧମକ ଦେବା ଆରମ୍ଭ କରିଛନ୍ତି । ଗୁରୁବାର ରାତିରେ ଜଣେ ମଙ୍ଗୁଆଳଙ୍କ ଘରକୁ ଯାଇ ବୁନୁ ପରୋକ୍ଷରେ ତାଙ୍କୁ ଧମକ ଦେବା ଘଟଣା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଭୁବନେଶ୍ୱରର ଦୁଇଟି ଆସନରେ ବିଜେଡି ପୁରୁଣାଙ୍କୁ ରିପିଟ୍ କରିଛି । ଏକାମ୍ରରେ ଅଶୋକ ପଣ୍ଡା ଓ ଉତ୍ତରରେ ସୁଶାନ୍ତ ରାଉତଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି । ହେଲେ ମଧ୍ୟ ଆସନରେ ବିଧାୟକ ବୁନୁଙ୍କୁ ଘୋର ବିରୋଧ କରାଯାଉଥିବାରୁ ଏହି ଆସନକୁ ନେଇ ଅଙ୍କ ଛିଡି ପାରୁନି । ଟିକେଟ ଆଶାୟୀ ଥିବା କର୍ପୋରେଟର ତଥା ବୌଦ୍ଧ ଜିଲ୍ଲା ପର୍ଯ୍ୟପେକ୍ଷକ ଅମରେଶ ଜେନା ଓରଫ ବାଇଁଆ ଓ ଯୁବନେତା ରୁଦ୍ରନାରାୟଣ ସାମନ୍ତରାୟ ବୁନୁଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ସମସ୍ତ ୧୯ଟି ଯାକ ୱାର୍ଡରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟକୁ ଯିବା ସହ ବୁନୁ ବିରୋଧିଙ୍କୁ ଏକଜୁଟ କରୁଛନ୍ତି । ଯାହା ବୁନୁଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।

ବିରୋଧରେ ଶୀକାର ହେଉଥିବାରୁ ଦଳ ବୁନୁଙ୍କ ଉପରେ ଆଉ ଭରସା କରିପାରୁନି । ମଧ୍ୟରେ ଦଳ ନୂଆ ଚେହେରାକୁ ସୁଯୋଗ ଦେବାକୁ ଚିନ୍ତା କରୁଥିବା ବେଳେ ବୁନୁ ଦଳକୁ ଧମକ ଦେବା ଆରମ୍ଭ କରିଛନ୍ତି । ୨୦୧୯ରେ ଯେମିତି ଧମକ ଦେଇ ଟିକେଟ ହାତେଇ ନେଇଥିଲେ, ଠିକ୍ ସେହିପରି ରଣନୀତି ଆପଣାଇଛନ୍ତି । ଗତକାଲି ରାତିରେ ୫/୬ଜଣ କର୍ପୋରେଟରଙ୍କୁ ନେଇ ବୁନୁ ବିଜେଡିର ଜଣେ ମଙ୍ଗୁଆଳଙ୍କ ଘରକୁ ଯାଇଥିଲେ । ତାଙ୍କୁ ନିଜ ସପକ୍ଷରେ ଟିକେଟ କଥା କହିଥିଲେ । ନେତା ଜଣକ ତାଙ୍କୁ ଶତପ୍ରତିଶତ ପ୍ରତିଶ୍ରୁତି ନଦେବାରୁ ସେ ତାଙ୍କୁ ପରୋକ୍ଷରେ ଧମକ ମଧ୍ୟ ଦେଇଥିଲେ ।

ଆଜି ଏହି ଘଟଣା ଜଣାପଡିବା ପରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ କହୁଛନ୍ତି, କାହା ବଳିଆନ୍‌ରେ ବୁନୁ ଦଳକୁ ଧମକ ଦେଉଛନ୍ତି? ଯାହାକୁ ଦଳର ତୁଙ୍ଗ ନେତାମାନେ ମଧ୍ୟ ତାଙ୍କ ଧମକକୁ ଡରି ଯାଉଛନ୍ତି? ତେବେ ଦେଖାଯାଉ ୨୦୧୯ ଭଳି ଦଳ ବୁନୁଙ୍କ ଧମକକୁ ଡରି ଟିକେଟ ଦେଉଛି, ନା ନୂଆ ଚେହେରାକୁ ସୁଯୋଗ ଦେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy