ରାସ୍ତା ଜାମରେ କଲବଲ ଲୋକେ, ପୋଲିସ ବେପରୁଆ

0 1,130

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଯାତ୍ରା ମହାସମର ବେଳେ ପୋଲିସର ବେପରୁଆ ମନୋଭାବ ଏବେ ପଦାରେ ପଡିଯାଇଛି । ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ଆଖିବୁଜି ଦେଇ ପୋଲିସ ବାବୁ ଥାନାରେ ଆରାମରେ ବସି ବନ୍ଧୁ-ପ୍ରିୟଜନ ଓ ସମ୍ପର୍କୀୟଙ୍କୁ ଯାତ୍ରା ଟିକେଟ ବାଣ୍ଟି ସାବାସୀ ନେଉଛନ୍ତି । ଏକଥା ଆମେ ଏଥିପାଇଁ କହୁଛୁ, ଶନିବାର ଦିନ ଡବଲ ସୋ’ ପାଇଁ ଜାତୀୟ ରାଜପଥର ଖଣ୍ଡଗିରି ଛକରେ ଲୋକେ କଲବଲ ହେଉଥିବା ବେଳେ ଥାନା ବାବୁ ଯାତ୍ରା ପାସ୍ ବାଣ୍ଟୁଥିବାର ଫଟୋ ଭାଇରାଲ ପରେ ଘଟଣା ପଦାରେ ପଡିଯାଇଛି ।

ଗତକାଲି ଠାରୁ ଖଣ୍ଡଗିରିରେ ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ମହାସମର ଆରମ୍ଭ ହୋଇଛି । ପ୍ରଶାସନ ଓ କମିଟି ନିଷ୍ପତ୍ତି ବିରୋଧରେ ଯାଇ ଶନିବାର ଦୁଇଟି ଯାତ୍ରା କମିଟି ଡବଲ ସୋ’ ଯାତ୍ରା ପରିବେଷଣ କରିଥିଲେ । ହଠାତ ଏଭଳି ଯାତ୍ରା ପରିବେଷଣ ଯୋଗୁଁ ଖଣ୍ଡଗିରିରେ ନାହିଁନଥିବା ଲୋକଙ୍କ ସମାଗମ ହୋଇଥିଲା । ଅପରାହ୍ଣରୁ ଖଣ୍ଡଗିରି ରାସ୍ତା ଦେଇ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା । ଲୋକେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଥିଲେ । ଏପରିକି ଜରୁରୀ କାମରେ ଯାଉଥିବା ଲୋକେ ମଧ୍ୟ ଭିଡ ଭିତରେ କଲବଲ ହୋଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ, ଡ୍ୟୁଟିରେ ଥିବା ପୋଲିସ ହାତ ଟେକି ଦେଇଥିଲେ ।

ଡବଲ ସୋ’ ଯୋଗୁଁ ଲୋକେ କଲବଲ ହେଉଥିବା ବେଳେ ଖଣ୍ଡଗିରି ଥାନା ଅଧିକାରୀ ଏହାକୁ ଆଖିବୁଜି ଦେଇଥିଲେ । ମାତ୍ର କେଇ ମିନିଟ ପାଇଁ ଛକକୁ ଯାଇ ପୁଣି ଥାନାକୁ ଫେରି ଆସିଥିଲେ । ଲୋକେ ଭିଡରେ ଫସି ଯନ୍ତ୍ରଣାରେ କଲବଲ ହେଉଥିବା ବେଳେ ଥାନା ଅଧିକାରୀ ଯାତ୍ରା ପାସ୍ ବାଣ୍ଟିବାରେ ବ୍ୟସ୍ତ ରହିଥିଲେ । ଏକ ତାଲିକା ପ୍ରସ୍ତୁତ କରି ଥାନାବାବୁ ନିଜ ପ୍ରିୟଜନ, ସମ୍ପର୍କୀୟମାନଙ୍କୁ ଜଣକ ପରେ ଜଣକୁ ପାସ୍ ଦେଇଚାଲିଥିଲେ । ଥାନା ବାବୁଙ୍କ ଏଭଳି କାମକୁ ସେଠାରେ ଉପସ୍ଥିତ ଲୋକେ ସହଜରେ ଗ୍ରହଣ କରିପାରିନଥିଲେ । ପରେ ଥାନା ବାବୁଙ୍କ ପାସ୍ ବାଣ୍ଟୁଥିବାରୁ ଫଟୋ ଉଠାଇ ଭାଇରାଲ କରିଥିଲେ ।

ଯଦି ବାସ୍ତବରେ ଥାନା ବାବୁ ନିଜ କର୍ତ୍ତବ୍ୟ ପଥରୁ ଓହରୀ ଏଭଳି କାମ କରିଥିବେ, ତେବେ ଏହା ନିଶ୍ଚିତ ପକ୍ଷେ ନିନ୍ଦନୀୟ ଘଟଣା । ଭୁବନେଶ୍ୱର ପାଇଁ ଅନଭିଜ୍ଞ ଥାନା ବାବୁଙ୍କ ଏଭଳି କାମକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପେଟ ଡବଲ ସୋ’ ଅନୁମତି ପାଇଁ ମଧ୍ୟ ଲୋକେ ଖଣ୍ଡଗିରି ପୋଲିସକୁ ଦାୟି କରିଛନ୍ତି । ଡିସିପିଙ୍କୁ ନପଚାରି ଥାନା ନିଜେ ଏଭଳି ଅନୁମତି ନେଇଥିବା କୁହାଯାଉଛି । ଯଦି ଏହା ସତ୍ୟ, ତେବେ ଥାନା ବାବୁଙ୍କ ମନମାନୀ ତାଙ୍କୁ ଦିନେ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy