Durga Puja : ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ ହେବ ଦଶହରା

Reporterspen

Durga Puja ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଆସନ୍ତା ଦୁର୍ଗାପୂଜା ବା ଦଶହରାକୁ ସୁରୁଖୁରୁରେ ସମାପନ କରିବା ଲାଗି ଆଜି (ମଙ୍ଗଳବାର) ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ରାଜଧାନୀର ସମସ୍ତ ପୂଜା କମିଟି ମୁଖ୍ୟ, ପୋଲିସ, ବିଏମସି ଅଧିକାରୀଙ୍କ ସମେତ ସବୁ ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ଚଳିତଥର ପୂଜାରେ ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆହ୍ୱାନ ଦିଆଯାଇଛି ।

ଚଳିତ ଥର ରାଜଧାନୀ ଭୁବନେଶ୍ୱରରେ ୧୭୧ଟି ସ୍ଥାନରେ ମା’ ଦୁର୍ଗା ପୂଜା ପାଇବେ । ଏହା ରାଜଧାନୀର ସବୁଠାରୁ ବଡ ପୂଜା ହୋଇଥିବାରୁ ଏହାକୁ ସୁରୁଖୁରୁରେ ଶେଷ କରିବାକୁ ପୋଲିସ ଠାରୁ ଆରମ୍ଭ କରି ପୂଜା କମିଟି ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇଉଠିଛନ୍ତି । ଏହିକ୍ରମରେ ଆଜି ପ୍ରସ୍ତୁତି ବୈଠକରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଦ୍ୟୁତ ଯୋଗାଣ ଓ ନିଶା ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୋଲିସ କମିଶନରଙ୍କ ପରାମର୍ଶ କ୍ରମେ ଏଥିର ପୁଷ୍ପାଞ୍ଜଳି ଦେବା ବେଳେ କମିଟି ସଦସ୍ୟ ମାଆଙ୍କ ନିକଟରେ ମଦ ମୁକ୍ତର ଶପଥ ପାଠ କରିବେ । ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି ।

ସେହିପରି ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେକୁ ବାରଣ କରାଯାଇଛି । ଅପରାଧ କାର୍ଯ୍ୟକଳାପ ରୋକିବାକୁ ପୋଲିସ ସ୍ପେଶାଲ ଡ୍ରାଇଭ୍ କରିବ । ଦଶହରାରେ ରାଜଧାନୀରେ ଟ୍ରାଫିକ, ଆଇନ ଶୃଙ୍ଖଳା, ମେଲୋଡି ଓ ରାବଣପୋଡି ସମୟରେ ସବୁକିଛି କିଭଳି ସୁରୁଖୁରୁରେ ସଂପନ୍ନ ହୋଇପାରିବ ତାକୁ ନେଇ ହୋଇଛି ବିସ୍ତୃତ ଆଲୋଚନା ।

ବିଶେଷ କରି ପୂଜା ସମୟରେ ଅନେକ କମିଟି ପକ୍ଷରୁ ବ୍ୟବସାୟୀ ଓ ଲୋକଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରାଯାଇଥାଏ । ଯାହାକୁ ପୋଲିସ ବିରୋଧ କରିଛି । କୌଣସି ପୂଜା କମିଟି ପକ୍ଷରୁ ଯେପରି ଚାନ୍ଦା ଆଦାୟ କରାନଯାଏ, ସେଥିପ୍ରତି ଦୃଷ୍ଟି ଦେବାକୁ କମିଟିଙ୍କୁ ଅନୁରୋଧ କରାଯାଇଛି । ସେପଟେ ଚାନ୍ଦା ଆଦାୟକାରୀଙ୍କ ଉପରେ ଦୃଷ୍ଟି ରଖିବାକୁ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯିବ ବୋଲି ପୋଲିସ କହିଛି । ଏପରିକି ଚାନ୍ଦା ଜୁଲମକାରୀଙ୍କ ବିରୋଧରେ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି ।


Reporterspen