ସ୍କୁଲରେ ପିଲାଙ୍କୁ ଦିଆଯାଉଛି ନିର୍ଯାତନା, ପାଣି ପିଇବା ମନା!

0 402

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍କୁଲକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ଏଥିସହିତ ୫-ଟି ଓ ମୋ ସରକାର ମାଧ୍ୟମରେ ସ୍କୁଲର ଉନ୍ନତିକରଣ କରାଯାଉଛି । ପିଲାଙ୍କୁ ସଠିକ୍ ଶିକ୍ଷାଦାନ ଲାଗି କୋଟି କୋଟି ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରାଯାଉଛି । ହେଲେ ଖୋଦ ରାଜଧାନୀର ଛାତି ଉପରେ ଥିବା ଏକ ସରକାରୀ ୫-ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଝାଡୁ ମାରିବା ଠାରୁ ଆରମ୍ଭ କରି ଯାବତୀୟ କାମ କରିବାକୁ ଦିଆଯାଉଛି । ଏଥିସହିତ ଥଣ୍ଡପାଣି ପିଇବାକୁ ବାରଣ କରାଯାଉଛି । ଏଭଳି ଅଭିଯୋଗ ଆସିବା ପରେ ୫-ଟି ସ୍କୁଲର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱରର ନୂଆପଲ୍ଲୀ ଅଞ୍ଚଳରେ ଥିବା ସୟଦ ମମତାଜ୍ ଅଲ୍ଲୀ ସରକାରୀ ସ୍କୁଲଟି ୫-ଟି ଅଧିନରେ ରହିଛି । ହେଲେ ସ୍କୁଲର ଅବ୍ୟବସ୍ଥା ଦେଖିଲେ କେଉଁ ଉପାନ୍ତ ଅଞ୍ଚଳର ଏକ ଗାଁ ଗହଳି ସ୍କୁଲ ଭଳି ମନେ ହେଉଛି । ତେବେ ସ୍କୁଲରେ ପାଠପଢା କମ୍ ହୁଏ ଓ ପିଲାମାନଙ୍କୁ ନେଇ କାମ ଅଧିକ କରାଯାଉଛି ବୋଲି ଅଭିଯୋଗ ହେଉଛି । ଏଭଳି ଅଭିଯୋଗ କରିଛନ୍ତି ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍କୁଲର ସଭାପତି । ସେମାନଙ୍କ ଅଭିଯୋଗ ଅନୁସାରେ, ଖରା ସମୟରେ ପିଲାମାନଙ୍କୁ ଥଣ୍ଡା ପାଣି ପିଇବା ବାରଣ କରାଯାଉଛି । ଯଦି କେଉଁ ଛାତ୍ରଛାତ୍ରୀ ଏହାକୁ ଅବମାନନା କରୁଛନ୍ତି ତେବେ ତାଙ୍କୁ କଠୋର ଦଣ୍ଡ ମିଳୁଛି । କେବଳ ସେତିକି ନୁହେଁ ସ୍କୁଲରେ ଝାଡୁ ମାରିବା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟେବୁଲ୍ ପୋଛିବା ଆଦି କାମ ମଧ୍ୟ କରୁଛନ୍ତି ।

ପିଲାମାନେ କହିଛନ୍ତି ଯେ, ସ୍କୁଲ ଆରମ୍ଭରୁ ସ୍କୁଲ ଘର ଓଲାଇବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଟେବୁଲ ପୋଛିବା କାମ କରୁଛନ୍ତି । ଏହାସହ ଯଦି ପାଣି ପିଇବାକୁ ଯାଆନ୍ତି ତେବେ ସ୍କୁଲର ଶିକ୍ଷକମାନେ ଥଣ୍ଡା ପାଣି ମେସିନକୁ ବନ୍ଦ କରିଦିଅନ୍ତି । ଏପଟେ ଯଦି ଅଧିକ ପିଲାମାନେ ଥଣ୍ଡା ପାଣି ପାଇଁ ଯାଇଥାନ୍ତି ସେମାନଙ୍କୁ କ୍ଲାସ ରୁମ୍ ସମ୍ମୁଖରେ ସ୍କୁଲର ଶିକ୍ଷକ ଦଣ୍ଡ ଦେଇଥାନ୍ତି । ସେପଟେ ସ୍କୁଲର ସଭାପତି କହିଛନ୍ତି ଯେ, ସ୍କୁଲକୁ ଟଙ୍କା ଆସୁଥିଲେ ମଧ୍ୟ ଏହାର କାର୍ଯ୍ୟକାରୀ ହେଉନାହିଁ । ପିଲାଙ୍କୁ କାମରେ ଲଗାଯାଉଛି । ସ୍କୁଲକୁ ବିଭିନ୍ନ ସମୟରେ ଟଙ୍କା ଆସୁଛି । ଖର୍ଚ୍ଚ ମଧ୍ୟ କରାଯାଉଛି ହେଲେ ପ୍ରଧାନ ଶିକ୍ଷୟତ୍ରୀ ହିସାବର ତଥ୍ୟ ରଖୁନାହାନ୍ତି । ଏପରିକି ପିଲାମାନେ ତଳେ ଦରି ପକାଇ ବସି ପାଠ ପଢୁଛନ୍ତି ।

ସେହିପରି ସ୍କୁଲରେ ଜଣେ ନାଇଟ ୱାଚମ୍ୟାନକୁ ନିଯୁକ୍ତି ମିଳିଛି । ନାଇଟ ୱାଚମ୍ୟାନ ଜଣକୁ ପରିବାର ସହ ସ୍କୁଲର ଏକ କ୍ଲାସରୁମକୁ ପାଟିସନ୍ କରି ସେଠାରେ ରହୁଛି । ଯାହା ସ୍କୁଲ ପରିବେଶକୁ ନଷ୍ଟ କରୁଛି । ଯଦି ବି ନାଇଟ ୱାଚମ୍ୟାନ ଜଣକ ସେଠାରେ ରହୁଛି, ତେବେ ତାକୁ ସରକାରଙ୍କ ପକ୍ଷରୁ ଘର ଭଡା କାହିଁକି ପ୍ରଦାନ କରାଯାଉଛି? ସ୍କୁଲ ଘରେ ମାଗଣା ରହିବାର ସୁବିଧା ମିଳିବା ପରେ ମଧ୍ୟ ନାଇଟ ୱାଚମ୍ୟାନଙ୍କୁ ଘରଭଡା ଦିଆଯିବା ସରକାରୀ ଅର୍ଥର ହେରାଫେରି ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟ ଜଣେ ଅଭିଭାବକ କହିଛନ୍ତି, ପିଲାଙ୍କୁ ଉଚିତ ଜ୍ଞାନ ଆହରଣ ପାଇଁ ଅନେକ ସମୟରେ ପ୍ରତିଯୋଗିତା ମୂଳକ ପଦକ୍ଷେପ ନିଆଯାଉଥିଲା, ହେଲେ ବର୍ତ୍ତମାନ ତାହାର ଦେଖାଦର୍ଶନ ନାହିଁ । ସ୍କୁଲ ପିଲାଙ୍କର କୌଳିକ ଶିକ୍ଷା ମୌଳିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରୁନି । ସ୍କୁଲରେ ବ୍ୟାପକ ହେରଫେର ହେବା ସହ ପିଲାଙ୍କୁ ନିର୍ଯାତନା ଦିଆଯାଉଥିଲେ ମଧ୍ୟ ଏନେଇ କେହି ପଦକ୍ଷେପ ନେଉନାହାନ୍ତି । ଯାହା ଚିନ୍ତାର ବିଷୟ ବୋଲି ଅଭିଭାବକମାନେ ମତ ଦେଇଛନ୍ତି ।

ଏଭଳି ଅଭିଯୋଗ ସମ୍ପର୍କରେ ଆମେ ସ୍କୁଲର ପ୍ରଧାନ ଶିକ୍ଷଯାତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ । ତେବେ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ୫-ଟି ଅଧ୍ୟକ୍ଷ, ଶିକ୍ଷା ସଚିବ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy