Political news: ଭୁବନେଶ୍ୱର (ରିପୋଟର୍ସ ପେନ୍): ଆଜି ନବମଥର ଲାଗି ନବୀନ ପଟ୍ଟନାୟକ ବିଜେଡିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ଆଜି ଶଙ୍ଖ ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହେଲେ ଏହି କାର୍ଯ୍ୟକ୍ରମକୁ ବିବାଦୀୟ ତଥା ୱାକଫ ବିଲକୁ ନେଇ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ବରିଷ୍ଠ ନେତା ଆସିନଥିଲେ । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଜି ଦଳର ସଭାପତି ଭାବେ ନବୀନଙ୍କୁ ଔପଚାରିକ ଭାବେ ପୁଣିଥରେ ଅଧିଷ୍ଠିତ କରିବା ଲାଗି ରାଜ୍ୟ ପରିଷଦର ବୈଠକ ଡକାଯାଇଥିଲା। ବିଧାୟକ, ସାଂସଦ ଏପରିକି ପୂର୍ବତନ ବିଧାୟକ ଓ ସାଂସଦଙ୍କ ଭିତରୁ ଅନେକ ଏହି ପରିଷଦର ସଦସ୍ୟ। କିନ୍ତୁ ଅନେକ ଏଥିରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଭିତରେ ରହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସସ୍ମିତ ପାତ୍ର, ଭୂପିନ୍ଦର ସିଂହ, ସୁଲତା ଦେଓ, ନିରଞ୍ଜନ ବିଶି, ସନାତନ ମହାକୁଡ଼, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ। ଏହି ନେତାମାନେ ବିଭିନ୍ନ କାରଣରୁ ବିଗତ ଦିନମାନଙ୍କରେ ଚର୍ଚ୍ଚାରେ ରହିଥିଲେ।
କିଛିଦିନ ତଳେ ରାଜ୍ୟସଭାରେ ୱକଫ୍ ବିଧେୟକ ପାଇଁ ଭୋଟ ଦେବାବେଳେ ଦଳରେ ବିଭାଜନ ସାମ୍ନାକୁ ଆସିଥିଲା। ନବୀନଙ୍କ ନିଷ୍ପତ୍ତିକୁ ଖୋଲାଖଷାଲି ଭାବେ ରାଜ୍ୟସଭାରେ ଦଳର ନେତା ସସ୍ମିତପାତ୍ର ବିରୋଧ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅନେକ ଦଳର ଦ୍ୱଇତୀୟ କ୍ଷମତା କେନ୍ଦ୍ରଙ୍କ ଇଙ୍ଗିତକୁ ଆଙ୍ଗୁଠି ଦେଖାଇଥିଲେ। କିଛି ନେତା ତ ସିଧାସଳଖ ଭିକେ ପାଣ୍ଡିଆନ୍ଙ୍କୁ ଏଥିଲାଗି ଦାୟୀ କରିଥିଲେ। ବିବାଦ ଏତେ ଉତ୍କଟ ହୋଇଥିଲା ଯେ ଖୋଦ୍ ସଭାପତି ମଧ୍ୟ କର୍ମୀ ଓ ନେତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ ହୋଇ ପାରି ନଥିଲେ। ବିବାଦକୁ ଅନ୍ୟ ଦିଗ ଦେବା ଲାଗି ଚିରା ଚରିତ ଭାବେ ଜଣେ ବରିଷ୍ଠ ନେତାଙ୍କୁ ଦଳରେ ବିଶୃଙ୍ଖଳା ପାଇଁ ଦାୟୀ କରିବାକୁ ଚାହିଁଲେ। କିନ୍ତୁ ତାହା କାଟୁ କରି ନଥିଲା। କିଛିଦିନ ବିବାଦ ଥମିଥିଲେ ମଧ୍ୟ ଆଜି ସଭାପତିଙ୍କ ନିର୍ବାଚନ ବେଳେ ଅନେକ ବରିଷ୍ଠ ନେତା ଓ ସାଂସଦ ଅନୁପସ୍ଥିତ ରହିବା ଦଳରେ ଥିବା ଫାଟ ଏଯାଏ ମୁଜିବା ସମ୍ଭବ ହୋଇ ନଥିବା ସ୍ପଷ୍ଟ କରିଛି।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଭାଜନ ଭୋଟ ବେଳେ ବିଜେପି ସମର୍ଥନରେ ଭୋଟ ଦେଇଥିଲେ। ଏହାକୁ ବିବେକାନୁସାରେ ଭୋଟ ବୋଲି ସେ ଚିତ୍ରଣ କରିଥିଲେ। ଦଳର ହ୍ୱିପ୍ ନଥିବାରୁ ଯିଏ ଯାହାକୁ ଚାହିଁବେ ଭୋଟ ଦେବା ପାଇଁ ଯୋଗ୍ୟ ବୋଲି ସେତେବଳେ ଏକ ଧାରଣା ସେ ସୋଶାଲ ମିଡିଆରେ ଚିତ୍ରଣ କରିଥିଲେ। ଏହାକୁ ନେଇ ବିଜେଡିରେ ବିବାଦ ଆରମ୍ଭ ହୋଇଥିଲା। ଦଳର କର୍ମୀମାନେ ନବୀନ ନିବାସରେ ପାଣ୍ଡିଆନ୍ ବିରୋଧୀ ସ୍ଲୋଗାନ ଦେଇଥିଲେ। ସଂଖ୍ୟାଲଘୁ ନେତାମାନେ ନବୀନ ନିବାସରେ ନବୀନଙ୍କୁ ନାଲିଆଖି ଦେଖାଇଥିଲେ। ବିଜେଡିରେ ନବୀନ ନୁହଁନ୍ତି ଆଉ ଏକ କ୍ଷମତା କେନ୍ଦ୍ର ରହିଛି ବୋଲି ଚର୍ଚ୍ଚା ହୋଇଥିଲା। ବରିଷ୍ଠ ନେତାମାନେ ଘରୋଇ ହୋଟେଲରେ ମେଳି କରିଥିଲେ। ଏହାପରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି ବୋଲି ନବୀନ କହିଥିଲେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଖୋଲା ଚିଠି ଲେଖି ଦଳକୁ ହାଇଜାକ୍ ହେବାରୁ ରକ୍ଷା କରିବାକୁ ନିତବେଦନ କରିଥିଲେ। ଅର୍ଥାତ୍ ନୂଆଠୁ ପୁରୁଣା ନେତାଙ୍କ ଭିତରେ ନବୀନଙ୍କ ପ୍ରତି ଶ୍ରଦ୍ଧା, ଭୟ ତଥା ସମ୍ମାନ ବିଚ୍ୟୁତ ହୋଇଥିବାର ପ୍ରମାଣ ମିଳିଥିଲା।
ଆଜି ସଭାପତିଙ୍କ ନିର୍ବାଚନ ବେଳେ ତାଙ୍କୁ ଦଳ ଡାକି ନଥିବା ଏହି ଅନୁପସ୍ଥିତ ଥିବା ନେ;ତାଙ୍କ ଭିତରୁ କିଛି ସ୍ପଷ୍ଟ କରିଛନ୍ତି। ସେମାନେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିଲେ ମଧ୍ୟ ତାଙ୍କୁ ଡକା ନଯିବା ଆଗକୁ ଦଳ ଭିତରେ ଓ ବାହାରେ ନୂଆ ସମୀକରଣକୁ ସ୍ପଷ୍ଟ କରିଛି। ଏହା ପୁଣିଥରେ ପ୍ରମାଣିତ କରିଛି ଯେ, ନବୀନଙ୍କ ବିରୁଦ୍ଧରେ ଶବ୍ଦଟିଏ ବି ଚିନ୍ତା କଲେ ବିଜେଡିରେ ନାଁ ରହିବ ନାହିଁ। ଅର୍ଥାତ୍ ନବୀନ କ୍ଷମତାରେ ରହନ୍ତୁ ବା ନରନ୍ତୁ ଦଳରେ ରହିବାକୁ ହେଲେ ନବୀନଙ୍କ ନୀରବତାକୁ ବି ଆଦେଶ ବୋଲି ମାନିବାକୁ ହେବ।