Fake liquor : ଲାଇସେନ୍ସପ୍ରାପ୍ତ ଦୋକାନରେ ନକଲି ମଦ, ଅବକାରୀ ବିଭାଗର ଧରିଲା

Reporterspen

ଭୁବନେଶ୍ୱର (ରିପୋଟର୍ସପେନ୍‌),: ରାଜଧାନୀ ଭୁବନେଶ୍ୱରରେ ନକଲି ମଦ (fake liquor) କାରବାର ବଢିଛି । ଚୋରା ନୁହେଁ ବରଂ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଏଭଳି ନକଲି ମଦ କାରବାର ହେଉଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି । ଚଢାଉ ବେଳେ ଶହଶହ ବୋତଲ ମଦକୁ ଜେସିବି ସାହାର୍ଯ୍ୟରେ ଭାଙ୍ଗି ଗୁଣ୍ଡ କରିଦେଇଛି । ଏହି ଘଟଣାରେ ମଦ୍ୟପମାନଙ୍କ ମଧ୍ୟ ଛନକା ପଶିଯାଇଛି ।

ସୂଚନା ଅନୁସାରେ, ବରମୁଣ୍ଡାରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଦୀର୍ଘ ଦିନ ଧରି ନକଲି ମଦ ବିକ୍ରି ହେଉଥିଲା । ଏ ସଂପର୍କରେ ଅଭିଯୋଗ ପାଇବା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଆଜି ଅଚାନକ ସେହି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ମଦ ଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ରହିଛି ଦେଶୀ-ବିଦେଶୀ ହାଇଫାଇ ମଦ ଓ ବିଭିନ୍ନ ବ୍ରାଣ୍ଡର ବିଅର । ଅଭିଯୋଗ ଅନୁସାରେ ନାମୀଦାମୀ ମଦ ବୋତଲର ଲେବୁଲ୍ ଓ ଠିପି ଖୋଲାଯାଇ ସେଥିରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଉଥିଲା । ଆଉ ତା’ପରେ ତାକୁ ଉଚ୍ଚା ଦରରେ ବିକ୍ରି କରାଯାଉଥିଲା । ମଦୁଆମାନେ ନକଲି ଜାଣିନପାରି ଢକ ଢକ କରି ପିଇ ଯାଉଥିଲେ ।

ଅବକାରୀ ବିଭାଗ ସେହି ମଦ ଦୋକାନକୁ ଆଜି ସିଲ୍ କରିଛି । ଏଥିସହ ମଦ ଦୋକାନରେ ଥିବା ସବୁ ମଦକୁ ଯାଂଚ କରାଯାଉଛି । ନକଲି ମଦକୁ ଡୋଜର ମଡ଼ାଇ ଭଙ୍ଗା ଯାଉଛି । ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ମଦ ଭଙ୍ଗା ଯାଇଥିବା ଅନୁମାନ କରାଯାଉଛି । ହେଲେ ମଦ ଦୋକାନ ମାଲିକ ଫେରାର ହୋଇଯାଇଛି । ମଦ ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ଅବକାରୀ କମିଶନର ନରସିଂହ ଭୋଳ ଘଟଣା ସ୍ଥଳରେ ପହଂଚିଥିଲେ । ସେ କହିଛନ୍ତି, ଅସଲି ମଦ ପାଇବା ପାଇଁ ଗ୍ରାହକଟିଏ ସରକାରୀ ମଦ ଦୋକାନକୁ ଆସିଥାଏ । ଯାହାକୁ ପିଇଲେ ଶରୀର ପ୍ରତି ବିଶେଷ କିଛି ହାନୀକାରକ ହେବନାହିଁ । ଯଦି ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଡୁପ୍ଲିକେଟ୍ ମଦ ବିକ୍ରି ହୁଏ, ତାହାହେଲେ ତାକୁ ଆମେ ସହ୍ୟ କରିପାରିବୁ ନାହିଁ । ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସେହି ଦୋକାନରେ ଥିବା ଅସଲି୍ ମଦ ସମେତ ନକଲି ମଦକୁ ନଷ୍ଟ କରିବୁ । ନୂଆ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ସେମାନେ ଯେମିତି ଜେଲ୍ ଦଣ୍ଡ ଭୋଗିବେ, ସେହି ଦିଗରେ ପଦକ୍ଷେପ ନିଆଯିବ । ତାଙ୍କର ରାଇସେନ୍ସ ରଦ୍ଦ ପାଇଁ ବ୍ୟବସ୍ଥା କରିବୁ ବୋଲି ଭୋଳ କହିଛନ୍ତି ।

ସେ କହିଛନ୍ତି, ଆଗାମୀ ଦିନରେ ସବୁ ଲାଇସେନ୍ସପ୍ରାପ୍ତ ଦୋକାନରେ ଯାଂଚକୁ କଡ଼ାକଡ଼ି କରାଯିବ । ଏଥିସହ ଅଚାନକ ଚଢ଼ଉ କରାଯିବ । ଯେଉଁମାନେ ନକଲି ମଦ ବିକ୍ରି କରୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଭୋଳ କହିଛନ୍ତି ।


Reporterspen