food vlogger: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଚର୍ଚ୍ଚିତ ଫୁଡ ବ୍ଲଗର ସୋନାଲି ସଂଘମିତ୍ର ପରିଡ଼ାଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଠାବ ହୋଇଛି । ଏପରି ଏକ ଚାଂଚଲ୍ୟକର ଘଟଣା ଆଜି ରାଜଧାନୀ ଭୁବନେଶ୍ୱରର ପଟିଆ ଅଂଚଳରେ ଘଟିଛି । ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ । ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନ ଥିଲେ । ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିବାରୁ ଝିଅ ଗୁରୁତର ଥିବା କହିଥିଲେ । ମାତ୍ର ପରିବାର ଲୋକେ ପହଂଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ।
ତେବେ ସୋନାଲି ଜଣେ ଖୁସ୍ ମିଜାଜର ଝିଅ ହୋଇଥିବାରୁ ସେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି । ଖବରପାଇ ଇନଫୋସିଟି ଥାନା ପୁଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଂଟିଫିକ୍ ଟିମ୍ ପହଂଚି ତଥ୍ୟ, ପ୍ରମାଣ ସଂଗ୍ରହ କରୁଛନ୍ତି । ପରିବାର ଲୋକେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଏହା ପଛରେ ହତ୍ୟା ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି ।
ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ବିଲଡର ସଂସ୍ଥାରେ ପ୍ରାୟ ୨ବର୍ଷ ହେବ କାମ କରୁଥିଲେ । ଏଥିସହ ସେ ଜଣେ ଫୁଡ ବ୍ଲଗର ଭାବେ ସୋଶାଲ ମିଡିଆରେ ବେଶ୍ ଜଣାଶୁଣା ଥିଲେ । ସେ ସୋଶାଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ବେଳେ ନିୟମିତ ଭାବେ ଭିଡିଓ ପୋଷ୍ଟ କରୁଥିଲେ ।
ସୋନାଲି ନିଜେ ଭଲ ରୋଜଗାର କରୁଥିବା ବେଳେ ପରିବାର ତରଫରୁ ମଧ୍ୟ ତାଙ୍କ ଉପରେ କୌଣସି ଚାପ ନ ଥିଲା । ସେ ସବୁବେଳେ ହସଖୁସିରେ ରହୁଥିବା ବେଳେ ତାଙ୍କର ଏପରି ଅଚାନକ ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି ।