ଭୁବନେଶ୍ୱର, (ରିପୋଟର୍ସ ପେନ୍): ୟୁନିଟ-୧ସ୍ଥିତ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ମୁଖ୍ୟ ଉପଦେଷ୍ଠା ପଦରୁ ଏକ ନମ୍ବର ହାଟ ବ୍ୟବସାୟୀ ସଂଘର ସମ୍ପାଦକ ଗୟାଧର ସ୍ୱାଇଁ ହଟିଛନ୍ତି । ଏପରିକି ତାଙ୍କୁ ପୂଜା କମିଟିରେ କୌଣସି ପଦପଦବୀ ଦିଆଯାଇନଥିବା କମିଟି ପକ୍ଷରୁ କୁହାଯାଇଛି ।
କମିଟି ପକ୍ଷରୁ କୁହାଯାଇଛି, ଦୀର୍ଘ ଦିନ ହେଲା ଗୟାଧର ସ୍ୱାଇଁ ମହାଦେବ ପୂଜା କମିଟି ସହ ଜଡିତ ଥିଲେ । ସେ ପୂଜା କମିଟିର ମୁଖ୍ୟ ଉପଦେଷ୍ଠା ପଦବୀରେ ରହିଥିଲେ । ତେବେ ସେ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ପୂଜା କମିଟିର କାର୍ଯ୍ୟକାରୀ ବୈଠକରେ ଗୃହୀତ କରାଯାଇଛି । ଏପରିକି ଏହା ପରଠାରୁ ଶ୍ରୀସ୍ୱାଇଁ ପୂଜା କମିଟିର କୌଣସି ପଦପଦବୀରେ ରହିବେ ନାହିଁ ବୋଲି ବୈଠକରେ ସ୍ଥିର ହୋଇଛି ।
ଉଲ୍ଲେଖଥାଉ କି, ବେଶ କିଛିଦିନ ପୂଜା କମିଟି ବିଭିନ୍ନ ବେଆଇନ କାର୍ଯ୍ୟ କରିବା ସହ ପରିବା ହାଟକୁ ଥିବା ଏକମାତ୍ର ରାସ୍ତାକୁ ଅବରୋଧ କରି ଆସୁଛି । ବିଶେଷ କରି ପୂଜା ସମୟରେ ଉକ୍ତ ରାସ୍ତାକୁ ପୂଜା କମିଟି ପକ୍ଷରୁ ସମ୍ପୂର୍ଣ୍ଣ ଦଖଲକୁ ନିଆଯାଉଛି । ଯାହାଫଳରେ ପରିବାର ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଏନେଇ ପରିବା ବ୍ୟବସାୟୀ ସଂଘ ଆନ୍ଦୋଳନର ଡାକରା ମଧ୍ୟ ଦେଇଥିଲା । ତେବେ ଏସବୁ କାର୍ଯ୍ୟ ପଛରେ ଗୟାଧର ସ୍ୱାଇଁଙ୍କର ପ୍ରମୁଖ ହାତ ଥିବା ଅଭିଯୋଗ ହେଉଥିଲା । ଏବେ ସେ କମିଟିରୁ ହଟିବା ପରେ ରାସ୍ତାକୁ ନେଇ ଦୀର୍ଘଦିନରୁ ଲାଗି ରହିଥିବା ବିବାଦର ସମାଧାନ ହେବ ବୋଲି କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଆଶା ପ୍ରକଟ କରିଛି ।