ଏକ ବିକଶିତ ଓଡ଼ିଶା ଗଠନ ଦିଗରେ ସରକାର କାର୍ଯ୍ୟ କରିବେ : ରାଜ୍ୟପାଳ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜିଠାରୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଗୃହକୁ ସମର୍ଥନ ଜଣାଇଥିଲେ। ଏକ ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରିବେ ବୋଲି ଅଭିଭାଷଣରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି। ତାଙ୍କ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି କି ରାଜ୍ୟରେ ନୂଆ ସରକାର ଗଠନ ହେବା ମାତ୍ରେ କିଛିଟା ପ୍ରତିଶୃତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବୁ। କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ କିଶାନ ଯୋଜନା ଲାଗୁ କରିବୁ। ଓଡ଼ିଶାରେ ଆୟୁଷ୍ମାନ ଭାରତକୁ ମଧ୍ୟ ଲାଗୁ କରାଯିବ। ମତ୍ସ୍ୟଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। 

ମୋ ସରକାର ନିରପେକ୍ଷତାର ସହ କାମ କରିବ। ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା। ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ। ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର। ବଲାଙ୍ଗୀର କଳାହାଣ୍ଡି ବରଗଡ଼ ଓ ନୂଆପଡ଼ାରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ। ଓଡ଼ିଶାରେ କିପରି ବାଜରା ଚାଷର ବୃଦ୍ଧି ହେବ ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ବାଜରା ଚାଷରେ ଓଡ଼ିଶାକୁ ହବ କରିବାକୁ ସରକାର ପ୍ରୟାସ କରିବେ। ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସିକୁ ମଧ୍ୟ ଲାଗୁ କରାଯିବ। ବୈଦୁତିକ ଯାନବାହାନକୁ ପ୍ରୋତ୍ସାହନ ପାଇଁ ଚାରି ଓ ଛ ଚକିଆ ଯାନକୁ ସବସିଡି ଦେବେ ସରକାର। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯଥା ୪୮୦ କିଲୋମିଟରକୁ ବନୀକରଣ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସରକାର ହାତକୁ ନେବାର ଯୋଜନା କରିଛନ୍ତି। 

ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି କି ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବ। ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଜିଲ୍ଲା ମେଡିକାଲରେ ପ୍ରସୂତୀ, ଶିଶୁ ରୋଗ ବିଶେଷଜ୍ଞ ନିଶ୍ଚିତ ରହିବେ। ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାଁ ‘ଆରୋଗ୍ୟ ମନ୍ଦିର’ କରାଯିବ। ପ୍ରତି ସିଏଚ୍‌ସିରେ ରହିବ ଗୋଟିଏ ଭ୍ରାମ୍ୟମାଣ୍ୟ ୟୁନିଟ୍। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରାଯିବ। ଓଡ଼ିଶାରେ ଲାଗୁ କରାଯିବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହା ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ। ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ।

ସେପଟେ ଆଜି ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା। ରାଜ୍ୟପାଳ ଅଭିଭାଷଣକୁ ବିରୋଧ କରି ବିରୋଧୀ ବିଜେଡ଼ି ଓ କଂଗ୍ରେସ ଗୃହ ତ୍ୟାଗ କରିଥିଲେ। ରାଜ୍ୟପାଳ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। 


Reporterspen

Leave a Reply