Habishyalis Registration: ୬ରୁ ହବିଷ୍ୟାଳୀ ଯୋଜନାରେ ପଞ୍ଜୀକରଣ

Reporterspen

Habishyalis Registration: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଚଳିତ ବର୍ଷ ମଧ୍ୟ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା। ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ଏହାକୁ ଅନୁମୋଦନ ଦେଇଛନ୍ତି। ଚଳିତବର୍ଷ ପ୍ରାୟ ୨,୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ଏଥି ପାଇଁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ଅକ୍ଟୋବର ୬ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖ ଯାଏ ଚାଲିବ। edistrict.odisha.gov.in ୱେବସାଇଟରେ ଆବେଦନ କରିପାରିବେ ହବିଷ୍ୟାଳୀ। ୨୫ ଶହ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ। ସବୁ ବର୍ଷ ଭଳି ସବୁ ସୁବିଧା ହବିଷ୍ୟାଳୀଙ୍କୁ ଯୋଗାଇ ଦିଆଯିବ।
ଆବେଦନ କରିନଥିଲେ ହଠାତ୍ ଆସି ପହଞ୍ଚିଲେ ହବିଷ୍ୟାଳୀ ଶିବିରରେ ରହିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ହବିଷ୍ୟାଳୀ ଶିବିରରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ। ତେବେ ଅଧିକ ତଥ୍ୟ ଜାଣିବା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଫୋନ୍ ନମ୍ୱର ୯୬୯୨୭୨୦୫୯୪, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଫୋନ ନମ୍ବର ୯୪୩୭୩୦୨୬୧୮, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ନମ୍ବର ୭୭୩୫୫୧୭୪୮୨ ଏବଂ ପୁରୀ ଜିଲ୍ଲା କାର୍ଯ୍ୟଳୟ (୦୬୭୫୨) ୨୨୨୬୬୪ ନମ୍ବରରେ ଯୋଗାଯୋଗ କରିବେ ।
ଚଳିତ ବର୍ଷ ପୁରୀରେ ମୋଟ ଚାରିଟି ସ୍ଥାନରେ ୨୫୦୦ ହବିଷ୍ୟାଳୀଙ୍କୁ ନେଇ ଏହି ଶିବିରର ବ୍ୟବସ୍ଥା ହୋଇଛି। ହବିଷ୍ୟାଳୀ ମା ମାନଙ୍କ ରହିବା ପାଇଁ ସେଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ମହାପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ସ୍ବତନ୍ତ୍ର ବସ୍ ଯୋଗେ ଶ୍ରୀମନ୍ଦିରକୁ ନିଆଯାଇ ଜଗନ୍ନାଥ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି। ହବିଷ୍ୟାଳୀ ମା ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସ୍ବେଛାସେବୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ହବିଷ୍ୟାଳୀ ଶିବିରରେ ୨୪ ଘଣ୍ଟିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ପୋଲିସ ସୁରକ୍ଷା ବ୍ୟବସ୍ଥା ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମୁତୟନ ରହିବେ। ପ୍ରତିଦିନ ସନ୍ଧ୍ୟା ରେ ପାଲା, ଦାଶକାଠିଆ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ଦୀର୍ଘ ଏକମାସ ଧରି ଏହି ହବିଷ୍ୟାଳୀ ଶିବିର ପରିଚାଳନା ହେବ । ପୁରୀ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ହବିଷ୍ୟାଳୀ ଶିବିରରେ ଉପସ୍ଥିତ ରହି ଏହାର ସୁପରିଚାଳନା କରିବେ ।

Reporterspen