ଭୁବନେଶ୍ୱର, (ରିପୋଟର୍ସ ପେନ୍): ବିଜୁ ଜନତା ଦଳ (ବିଜେଡି) ପାର୍ଟି ଅଫସ ତଥା ‘ଶଙ୍ଖ ଭବନ’ ବେଆଇନ ଭାବେ ନିର୍ମାଣ କରାଯାଇଛି । ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରାଯାଇଛି । ଏହାର ତଦନ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜରି କହିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟରେ ହଲଚଲ୍ ସୃଷ୍ଟି ହୋଇଛି ।
ମନ୍ତ୍ରୀ ଶ୍ରୀ ପୂଜାରି କହିଛନ୍ତି ଯେ, ସଡ଼କ କିସମର ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି । ଏହା ଏକ ବେଆଇନ ନିର୍ମାଣ । ଏହି ଜାଗାକୁ ସରକାରଙ୍କ ଠାରୁ କମ୍ ଦରରେ ବିଜେଡି କିଣି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ସରକାର ଘଟଣାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅଭିଯୋଗ ଅନୁସାରେ, ବିଜୁ ଜନତା ଦଳର ସରକାର ଥିବା ବେଳେ ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି । ରାଜଧାନୀ ଛାତି ଉପରେ ବେଆଇନ ଭାବେ ଏହି ନିର୍ମାଣ ହୋଇଛି । ଖାଲି ସେତିକି ନୁହେଁ, ସବୁ ନିୟମ କାନୁନକୁ ମୋଡ଼ି ମକଚି ଏହି ଜାଗାକୁ ସରକାରଙ୍କ ଠାରୁ ଶାଗମାଛ ଦରରେ କିଣି ନେଇଥିବା ଅଭିଯୋଗ ହୋଇଛି ।
୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ଶଙ୍ଖ ଭବନ ନିର୍ମାଣ ହୋଇଛି । ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭, ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮ । ପ୍ରଥମ ତିନୋଟି ପ୍ଲଟର କିସମ ଘରବାଡ଼ି ଥିଲା, ଆଉ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮ଜାଗାର କିସମ ହେଉଛି ରୋଡ୍ ବା ସଡ଼କ । ଏହି ଜାଗାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି ।
ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ଯାହାର ଲେଟର ମଧ୍ୟ ସାମ୍ନାକୁ ଆସିଛି, ମାତ୍ର ଏହି ପ୍ଲଟକୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି । ତାହା ପୁଣି ସରକାରଙ୍କ ଅନୁମୋଦନରେ । ଅର୍ଥାତ୍ ଏକ ପ୍ରାଇଭେଟ୍ ପାର୍ଟି ବା ବିଜେଡି ଦଳକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉର୍ଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । ଏଭଳି ଦୁର୍ନୀତିର ତଦନ୍ତ ପାଇଁ ଏବେ ରାଜ୍ୟ ସରକାର ଆଗଭର ହୋଇଛନ୍ତି ।
ଅନ୍ୟପଟେ ଶଙ୍ଖ ଭବନ ନିର୍ମାଣ ସମ୍ପୂର୍ଣ୍ଣ ଆଇନ ଅନୁସାରେ କରାଯାଇଛି । ସରକାରଙ୍କୁ ଉଚିତ ମୂଲ୍ୟ ଦେଇ ଦଳ ସେଠାରେ ଘର ନିର୍ମାଣ କରିଛି । ମନ୍ତ୍ରୀଙ୍କୁ କେହି ଭୂଲ ତଥ୍ୟ ଦେଇଥିବା ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ।