ଭୁବନେଶ୍ୱର (ରିପୋଟର୍ସ ପେନ୍) : ବିଜେପି ସରକାର କ୍ଷମତାକୁ ଆସିବା ପରେ ସଚିବାଳୟ ସମେତ ସମସ୍ତ ସ୍ଥାନକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ କଟକଣା ଉଠିଥିଲା । ହେଲେ ଏହି ସମୟରେ କେତେକ ବ୍ଲକ ଓ ଜିଲ୍ଲାରେ ବିରୋଧୀମାନେ ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟ ଓ ଗୁମର ଖୋଲିବା ଭୟରେ ଗଣମାଧ୍ୟମ ଉପରେ କଟକଣା ଲଗାଉଛନ୍ତି । ଏହି କ୍ରମରେ ଆଜି ସହର ଉପକଣ୍ଠ ବାଲିଅନ୍ତା ବ୍ଲକ ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡା ଯାଇନଥିଲା । ଫଳରେ ଏହାର ପ୍ରତିବାଦ କରି ସାମ୍ବାଦିକମାନେ ବ୍ଲକ ଆଗରେ ଧାରଣରେ ବସିଛନ୍ତି ।
ଆଜି ପୂର୍ବାହ୍ଣରେ ବାଲିଅନ୍ତା ବ୍ଲକରେ ବୈଠକ ବସିଥିଲା । ଏହି ବୈଠକରେ ବ୍ଲକ ଚେୟାରମ୍ୟାନ ସମେତ ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଓ ଅଧିକାରୀମାନେ ଯୋଗ ଦେଇଥିଲେ । ବ୍ଲକ ପକ୍ଷରୁ ବୈଠକ ନେଇ ସୂଚନା ମିଳିବା ପରେ ସାମ୍ବାଦିକମାନେ ସେଠାରେ ପହଞ୍ଚିଥିଲେ । ମାତ୍ର ସାମ୍ବାଦିକମାନଙ୍କୁ ବୈଠକକୁ ଛଡାଯାଇନଥିଲା । ପୂର୍ବରୁ ସବୁ ବୈଠକରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ନଥିବା ବେଳେ ଆଜି ହଠାତ ବାରଣ କରାଯିବାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ।
ହେଲେ ଚେୟାରମ୍ୟାନ ପ୍ରବେଶ ଉପରେ କଟକଣା ଲଗାଇଥିବା ଜଣାପଡିବା ପରେ ସାମ୍ବାଦିକମାନେ ଏହାର ପ୍ରତିବାଦ କରି ଧାରଣାରେ ବସିଛନ୍ତି । ସାମ୍ବାଦିକଙ୍କ କହିବା କଥା, କିଛିଦିନ ହେଲା ବ୍ଲକରେ ବ୍ୟାପକ ଅନିୟମିତତା ନେଇ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଚେୟାମ୍ୟାନ ରାଗିଯାଇ ଏଭଳି କରିଛନ୍ତି । ଏଥିସହିତ ବୈଠକରେ ହୋଇଥିବା ଦୁର୍ନୀତି ସମ୍ପର୍କୀତ କୌଣସି ଖବର ବାହାରକୁ ଯେପରି ନଯିବ, ସେଥିପାଇଁ ଏଭଳି କଟକଣା କରାଯାଇଥିବା ଜଣାପଡିଛି । ତେଣୁ ବିଜେପି ସରକାର ଏଦିଗରେ ଧ୍ୟାନ ଦେବା ସହ କଟକଣା ଉଠାଇବାକୁ ସାମ୍ବାଦିକମାନେ ଦାବି କରିଛନ୍ତି ।