ଭୁବନେଶ୍ୱର, (ରିପୋଟର୍ସ ପେନ୍): ଆଜି ଆମ ଦେଶରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଉଛି। କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଓ ସୁରକ୍ଷା ଦେବା ପାଇଁ ଏହା ଅବସର ଆଣିଥାଏ।
୧୯୯୯ ମସିହା ଆଜିର ଦିନରେ ଆମ ଉତ୍ତର ସୀମାର ଲଦାଖ ଅନ୍ତର୍ଗତ କାର୍ଗିଲ କ୍ଷେତ୍ରରେ ପାକିସ୍ତାନୀ ସେନାର ଅନୁପ୍ରବେଶକୁ ଆମ ଯବାନମାନେ ପଣ୍ଡ କରି ସେଠାରେ ଜାତୀୟ ପତାକା ତିରଙ୍ଗା ଉଡ଼ାଇଥିଲେ। ବରଫାଚ୍ଛନ୍ନ କାର୍ଗିଲ ଶୃଙ୍ଗରେ ଭାରତୀୟ ସେନାର ‘ବିଜୟ’ ନାମକ ଏହି ତିନିମାସିଆ ସଶସ୍ତ୍ର ଅଭିଯାନରେ ପାକିସ୍ତାନ ରେଞ୍ଜର୍ସର ସୈନିକମାନେ ସଂପୂର୍ଣ୍ଣ ଧରାଶାୟୀ ହୋଇଥିଲେ। ନିୟନ୍ତ୍ରଣ ରେଖା ନିକଟରେ ସଂଘଟିତ ଏହି କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଅଦମ୍ୟ ଉତ୍ସାହ ଓ ସାହସ ପ୍ରଦର୍ଶନ କରି ଦେଶର ସୀମାକୁ ସୁରକ୍ଷିତ ରଖିଥିବା ଯବାନମାନଙ୍କ ସ୍ମୃତିରେ ଏପରି ‘କାର୍ଗିଲ ବିଜୟ ଦିବସ’ ପାଳନର ପରିକଳ୍ପନା କରାଯାଇଛି।
କାର୍ଗିଲ୍ ଯୁଦ୍ଧ ୧୯୯୯ ମେ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା। ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ। ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ।
ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ଵୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନାର ମିଗ୍-୨୭, ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼। କାରଗିଲ୍ ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍ ବିକ୍ରମ ବତ୍ରା, ରାଇଫଲମ୍ୟାନ୍ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ। ଆଉ ଏହି ସହିଦଙ୍କ ଭିତରେ ଓଡିଶାର ୮ ଓଡ଼ିଆ ଯବାନ ମଧ୍ୟ ସହିଦ୍ ହୋଇଥିଲେ।