Kendrapara News: ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍) : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ନିକଟରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀମାନେ ଆତଙ୍କରାଜ ସୃଷ୍ଟି କରିଛନ୍ତି । ପୂର୍ବସାହି କାର୍ତ୍ତକେଶ୍ୱର ପୂଜା କମିଟି ପକ୍ଷରୁ ମେଲୋଡି ଚାଲିଥିବା ବେଳେ ଆକ୍ରୋଶମୂଳକ ଭାବେ ସେଠାରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୪ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ଏକାଧିକ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଚାପରେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଛି ।
ସୂଚନା ଅନୁସାରେ, ଆଜି ପୂର୍ବ ନିକିରାଇର ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ହନୁମାନଜୀଉ ପଡିଆରେ ମେଲୋଡି କାର୍ଯ୍ୟକ୍ରମ କରାଯାଉଥିଲା । ଏହି ମେଲୋଡି କାର୍ଯ୍ୟକ୍ରମରେ ଈର୍ଷାନ୍ୱିତ ହୋଇରହିଥିବା ନିକିରାଇ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ପ୍ରଭାତ ଉଡାଣସିଂହ ଓ ତାର ସହଯୋଗୀମାନେ ବିଭ୍ରାଟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଘୂରି ବୁଲୁଥିଲେ । ଏହି ସମୟରେ କଣ୍ଟାରେ ଲୁଗା ପକାଇ ଚିରିବା ଭଳି ପୂର୍ବ ନିକିରାଇର ଦୁଇ/ତିନି ଜଣ ଯୁବକ ମେଲୋଡି କାର୍ଯ୍ୟକ୍ରମ ଠାରୁ କିଛି ଦୂରରେ ବସିଥିବା ବେଳେ ସରପଞ୍ଚ ସ୍ୱାମୀଙ୍କ ସହଯୋଗୀମାନେ କମେଣ୍ଟ ମାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ସେଠାରୁ ପଳାଇଯାଇଥିଲେ ।
ଏହାର କିଛି ସମୟ ପରେ ପ୍ରଭାତ ୧୫ରୁ ଅଧିକ ସହଯୋଗୀଙ୍କ ସହ ମେଲୋଡି ପାଖରେ ପହଞ୍ଚି ଟେକା-ପଥର ମାଡ କରିଥିଲେ । ଏହାକୁ ପୂଜା କମିଟି ପକ୍ଷରୁ ବିରୋଧ କରାଯିବାରୁ ସେମାନେ ମେଲୋଡି ଭିତରେ ପଶି ସଂଘବଦ୍ଧ ଆକ୍ରମଣ କରିଥିଲେ । ଯାହାକୁ ପାରିଲେ ଗୋଡାଇ ଗୋଡାଇ ପିଟିଲେ । ଏଥିରେ ପୂର୍ବସାହିର ୧୦ରୁ ଅଧିକ ଯୁବକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ବାବାଜୀ, ପଙ୍କଜ, ଚଗଲା, ଟୁବୁଲି ଗୁରୁତର ଆହତ ହୋଇଛନ୍ତି । ଖବରପାଇ ନିକିରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ ।
ପରେ ପୋଲିସ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିବା ସହ ହସପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ଆକ୍ରମଣକାରୀ ସରପଞ୍ଚଙ୍କ ସ୍ୱାମୀ ହୋଇଥିବାରୁ ପୋଲିସ ଘଟଣାକୁ ହାଲକା ଭାବେ ନେଇ ମାମଲାକୁ ସମାଧାନ କରିବାକୁ ଉଦ୍ୟମ କରୁଛି । ସେପଟେ ପୂର୍ବ ନିକିରାଇର ଶତାଧିକ ଯୁବକ ଥାନାରେ ପହଞ୍ଚି ମାମଲା ରୁଜୁ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଥାନା ଘେରାଉ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି । କେନ୍ଦ୍ରପଡା ଏସପି ଏଦିଗରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି ।