Mahashivratri: ଭୁବନେଶ୍ୱର (ରିପୋଟର୍ସ ପେନ୍) : ମହାପ୍ରଭୂ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ପରେ ଅଘଟଣ ଘଟିଛି । ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା ବେଳେ ଜଣେ ସେବାୟତ ପ୍ରାୟ ୧୫ଫୁଟ ଉପରୁ ତଳକୁ ଖସିପଡିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉକ୍ତ ସେବାୟତଙ୍କ ନାଁ ଜଣାପଡିନାହିଁ ।
ସୂଚନା ଅନୁସାରେ, ନିର୍ଦ୍ଧାରିତ ସମୟରେ ମହାପ୍ରଭୂ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପରମ୍ପରା ଅନୁସାରେ ରିତିନୀତି ପରେ ସେବାୟତ ମହାଦୀପ ବେଢା ପରିକ୍ରମା କରିଥିଲେ । ପରେ ମହାଦୀପ ନେଇ ସେବାୟତ ମନ୍ଦିର ଉପରକୁ ଉଠିଥିଲେ । ସେବାୟତ ଜଣକ ଗୋଟିଏ ହାତରେ ମହାଦୀପ ଧରି ମନ୍ଦିର ଉପରକୁ ଉଠୁଥିବା ବେଳେ ହଠାତ ତାଙ୍କ ଗୋଡ ଖସିଯିବାରୁ ପ୍ରାୟ ୧୫ଫୁଟ ଉପରୁ ସେ ତଳକୁ ଖସିପଡିଥିଲେ । ତଳେ ଉପସ୍ଥିତ ଥିବା ଅନ୍ୟ ସେବାୟତ, ସ୍ୱେଚ୍ଛାସେବୀମାନେ ଆହତ ସେବାୟତଙ୍କୁ ଉଦ୍ଧାର କରି ହସପିଟାଲ ପଠାଇବାକୁ ବ୍ୟବସ୍ଥା କରିଥିଲେ । ପରେ ତୁରନ୍ତ ଅନ୍ୟ ସେବାୟତମାନେ ମହାଦୀପ ମନ୍ଦିର ଉପରକୁ ଉଠାଇଥିଲେ ।
ଅନ୍ୟପକ୍ଷରେ ମନ୍ଦିର ବେଢା ଓ ଚାରିପାଖରେ ପ୍ରବଳ ଭିଡ଼ ଲାଗି ରହିଛି । ଭିଡକୁ ନିୟନ୍ତ୍ରଣ କରିବା ପୋଲିସ ପ୍ରଶାସନ ପକ୍ଷରେ ସମ୍ଭବପର ହେଉନାହିଁ । ଫଳରେ ଆହତ ସେବାୟତକଙ୍କୁ ଉଦ୍ଧାର କରି ହସପିଟାଲ ପଠାଇବାରେ ଅହେତୁକ ବିଳମ୍ବ ହୋଇଥିଲା । ତେବେ ଆହତ ସେବାୟତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଜଣାପଡିଛି । ସେହିପରି ଏହି ଅଘଟଣ ପରେ ୧୦୮ ଗରା ପାଣିରେ ମନ୍ଦିର ପରିସରକୁ ସ୍ୱଚ୍ଛ କରାଯାଉଛି ।