ସ୍ମରଣୀୟ: ରକ୍ଷା ବନ୍ଧନରେ ଭଉଣୀକୁ କିଡନୀ ଦାନ କଲା ଭାଇ

Reporterspen

ନୂଆଦିଲ୍ଲୀ : ଗତକାଲି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗୋଆରେ ଏକ ସ୍ମରଣୀୟ ଘଟଣା ଘଟିଛି । ରାକ୍ଷୀ ପାଉଣା ଭାବେ ଭାଇ ନିଜ ଭଉଣୀକୁ ଉପହାର ସ୍ୱରୂପ କିଡନୀ ଦାନ କରିଛନ୍ତି । ସାନଭାଇର କିଡନୀ ଉପହାର ଯୋଗୁଁ ଭଉଣୀର ଜୀବନ ବଞ୍ଚି ପାରିଛି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହିଳା ଜଣକ ପଲିସିଷ୍ଟିକ୍ କିଡନୀ ରୋଗରେ ପୀଡିତ ଥିଲେ
ଦକ୍ଷିଣ ଗୋଆର ଜଣେ ୪୩ ବର୍ଷ ବୟସ୍କା ମହିଳା ପଲିସିଷ୍ଟିକ୍ କିଡନୀ ରୋଗରେ ପୀଡିତ ଥିଲେ । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କିଡନୀ ରୋଗ ଶେଷ ପର୍ଯ୍ୟାୟରେ ଥିଲା । ଏହି ସମୟରେ ତାଙ୍କ ସାନଭାଇ (୩୫ ବର୍ଷ) ନିଜ କିଡନୀ ଦାନ କରିଥିଲେ । ଫଳରେ ସେ ଏକ ଜୀବନଦାନ ପାଇଥିଲେ । ଯଦିଓ ଭାଇ-ଭଉଣୀଙ୍କ ନାମ ପରିବାରର ଅନୁରୋଧ କ୍ରମେ ଗୁପ୍ତ ରଖାଯାଇଛି, ହେଲେ ସେମାନେ ଅଙ୍ଗ ଦାତାମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।

ରାକ୍ଷୀ ବାନ୍ଧିବା ବେଳେ ଭଉଣୀ ଭାବପ୍ରବଣ ହୋଇଗଲେ
ମହିଳାଙ୍କ ସ୍ୱାମୀ କହିଛନ୍ତି, ସେ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ବେଳେ ଭାବପ୍ରବଣ ହୋଇପଡିଥିଲେ । ପିଲାଦିନରୁ ସେମାନେ ଆଦର୍ଶ ଭାଇ ଏବଂ ଭଉଣୀ ହୋଇଆସୁଛନ୍ତି । ଘରୋଇ ଡାକ୍ତରଖାନାର ଜଣେ ନେଫ୍ରୋଲୋଜିଷ୍ଟ କହିଛନ୍ତି ଯେ ମହିଳା ଜଣକ ପଲିସିଷ୍ଟିକ୍ କିଡନୀ ରୋଗରେ ପୀଡିତ ଥିଲେ ଏବଂ ଶେଷ ପର୍ଯ୍ୟାୟରେ ଥିଲେ, ଯାହା ତୁରନ୍ତ ପ୍ରତିରୋପଣ ଆବଶ୍ୟକ କରୁଥିଲା ।

ରୋଗୀର ସାନଭାଇ ମଧ୍ୟ ତାଙ୍କ କିଡନୀ ଦାନ କରିବାକୁ ପ୍ରସ୍ତୁତ ଥିଲେ । ଡାକ୍ତର କହିଥିଲେ ଯେ ପ୍ରଥମେ ତାଙ୍କୁ କିଡନୀ ଷ୍ଟୋନ ଚିକିତ୍ସା କରାଯାଇଥିଲା ଏବଂ ଆବଶ୍ୟକ ଅନୁମତି ପରେ ଲାପାରୋସ୍କୋପିକ୍ କିଡନୀ ଦାନ ପ୍ରଣାଳୀ ମାଧ୍ୟମରେ ଅଙ୍ଗ ଦାନ କରାଯାଇଥିଲା ।


Reporterspen