ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଆଜ୍ୟୋର କ୍ଲାଉଡ଼ ଓ ମାଇକ୍ରୋସଫ୍ଟ ୩୬୫ ସର୍ଭର ଆଜି ଡାଉନ ରହିଥିବା ନେଇ ବିଭିନ୍ନ ରାଷ୍ଟ୍ର ଆଜି ଏକ ଅଜବ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ହଠାତ୍ ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା କାରଣରୁ ସମଗ୍ର ବିଶ୍ୱ ଅନଲାଇନ ଯୋଗେ ହେଉଥିବା କାର୍ଯ୍ୟ ବ୍ୟାହତ ହୋଇଛି। ଫଳରେ ବିମାନ ସେବା ଠାରୁ ଆରମ୍ଭ କରି ଟ୍ରେନ୍ ସେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଏକ ପ୍ରକାର ଠପ ହୋଇଯାଇଛି। ରେଡିଓ, ଟିଭି ପ୍ରସାରଣ, ବ୍ୟାଙ୍କିଙ୍ଗ ଏବଂ ଟେଲିକମ୍ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ବ୍ରିଟେନରେ ସ୍କାଏ ନ୍ୟୁଜ୍ ଏବଂ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ସେବାଗୁଡିକର ସିଧା ପ୍ରସାରଣ ବନ୍ଦ ହୋଇଯାଇଛି। ବିମାନ ଗୁଡ଼ିକୁ ଅବତରଣ କରିବା ପାଇଁ ଅନୁମତି ମିଳୁନାହିଁ। ବିଭିନ୍ନ ଷ୍ଟେସନରେ ଟ୍ରେନ ଗୁଡ଼ିକ ଅଟକି ରହିଛି। ବିଳମ୍ବିତ ହୋଇଛି ଯାତ୍ରୀ ସେବା।
ଅବତରଣ ପାଇଁ ଅନୁମତି ମିଳୁନଥିବାରୁ ବିମାନ ମଧ୍ୟରେ ଯାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ରହିଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ ଜେଟ ସହିତ ଅନେକ ବିମାନ କମ୍ପାନୀ ଗୁଡ଼ିକ ମଧ୍ୟ ଏହି ସମସ୍ୟାର ସମ୍ମୁଖନ ହେଉଛନ୍ତି। ଦିଲ୍ଲୀ ବିମାନ ବନ୍ଦର ତରଫରୁ ମଧ୍ୟ ଯାତ୍ରୀମାନଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଛି।
କଣ ରହିଛି ସମସ୍ୟା
ଏଠାରେ କହି ରଖୁ କି ମାଇକ୍ରୋସଫ୍ଟର କ୍ଲାଉଡ଼ ସର୍ଭିସ ଏକ ପ୍ରକାର ଠପ ହୋଇଯାଇଛି। Windows 10ରେ ନୂଆ କ୍ରାଉଡ଼ଷ୍ଟ୍ରାଇ ଅପଡେଟ କାରଣରୁ ସର୍ଭରରେ ଏଭଳି ବୈଷୟିକ ସମସ୍ୟା ବା ଟେକନିକାଲ ସମସ୍ୟା ଦେଖାଦେଇଛି। ଇଞ୍ଜିନିୟରିଂ ଭାଷାରେ BSODରେ ୱିଣ୍ଡୋ ଏରର ଆସିବା କାରଣରୁ ଏହି ଗୁରୁତର ସମସ୍ୟା ଦେଖାଦେଇଛି। ମାଇକ୍ରୋସଫ୍ଟ ଏହାର ସମାଧାନ ବାହାର କରିବା ପୂର୍ବରୁ ସମଗ୍ର ଭାରତ ଆମେରିକା ସହିତ ଅଧିକାଂଶ ଦେଶ ଏହି ସମସ୍ୟାରେ ସାମ୍ନା କରିଥିଲେ। ଏପରିକି ଅଧିକାଂଶ ରାଷ୍ଟ୍ରରେ ଶତାଧିକ ସଂଖ୍ୟାରେ ବିମାନ ଉଡାଣକୁ ଅନୁମତି ମିଳିନାହିଁ। ଫ୍ଲାଇଟ ବୁକିଂ, କ୍ୟାନସଲେସନ, ଠାରୁ ଆରମ୍ଭ କରି ଚେକ ଇନ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।ଭାରତରେ ଇଣ୍ଡିଗୋ, ଆକାଶ ଏୟାରଲାଇନ୍ସ ଓ ସ୍ପାଇସଜେଟ ମଧ୍ୟ ସେବା ଠପ କରିଦେଇଛନ୍ତି।