ପୋଲିସ ଆଗରେ ଧମକ ଦେଲା, ରାସ୍ତାରେ ମୁଣ୍ଡ-ଗଣ୍ଡି ଅଲଗା କଲା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିିଦିନ ପରେ ରାଜଧାନୀରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ରାସ୍ତା ମଝିରେ ମୁଣ୍ଡ-ଗଣ୍ଡି ଅଲଗା କରି ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ଜଗା ମଲ୍ଲିକ । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ବିଶେଷ କରି ଥାନା ଭିତରେ ପୋଲିସ ଆଗରେ ହତ୍ୟା ଧମକ ଦେଇ ରାସ୍ତାରେ ମୁଣ୍ଡ-ଗଣ୍ଡି ଅଲଗା କରିବ ଘଟଣା କମିଶନରେଟ ପୋଲିସର ଅସଲ ମୁଖା ଖୋଲି ଦେଇଛି ।

ସୂଚନା ଅନୁସାରେ, ଖଣ୍ଡଗିିରି ଥାନା ଶୁକ ବିହାର ରଘୁନାଥନଗରରେ ଜଗତପ୍ରସାଦ ମଲ୍ଳିକ ଓରଫ ଜଗା ପରିବାର ରହୁଥିଲେ । ଜଗାଙ୍କ ବଡ ଭାଇଙ୍କ ଝିଅ (ନାବାଳିକା)କୁ ସେହି ଅଞ୍ଚଳର ବାପୁନି ପୃଷ୍ଟିଙ୍କ ପୁଅ ଚିନୁ ଏକତରଫା ପ୍ରେମ କରୁଥିଲା । ଅନେକ ସମୟରେ ତାଙ୍କ ଝିଆରୀକୁ ରାସ୍ତାରେ ଅଟକାଇ ହଇରାଣ ହରକତ କରୁଥିଲା । ଏହା ଜାଣିବା ପରେ ଜଗା ଅଭିଯୁକ୍ତ ଚିନୁକୁ ତାଗିଦ କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଚିନୁ ବାଟକୁ ଆସିନଥିଲା । ପରେ ଜଗା ତାକୁ ମାଡ ମାରିଥିଲା । ଏନେଇ ବାପୁନି ଥାନାରେ ଏତଲା ଦେଇଥିଲା । ଖଣ୍ଡଗିରି ପୋଲିସ ଉଭୟଙ୍କୁ ଥାନାକ ଡାକି ଆପୋଷ ସମାଧାନ କରିବାକୁ ଚେଷ୍ଠା କରିଥିଲା । ହେଲେ ଥାନା ଭିତରେ ଚିନୁ ଖୋଲାଖୋଲି ଭାବେ ହତ୍ୟା ଧମକ ଦେଇଥିଲା । ହେଲେ ପୋଲିସ କହିଲା ସେ କିଛି ପାରିବନି, ତୁମେ ଯାଅ କହି ଫେରାଇ ଦେଇଥିଲା ।

ପ୍ରେମ ରାସ୍ତାରେ କଣ୍ଟା ସାଜିବାରୁ ଚିନୁ ରକ୍ତମୁଖା ପାଲଟି ଯାଇଥିଲେ ଓ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତକାଲି ରାତିରେ ଜଗା ବାଇକ୍‌ରେ ଘରକୁ ଫେରୁଥିଲା, ଏହି ସମୟରେ ଚିନୁ ଓ ତାର ସହଯୋଗୀମାନେ ଲୁଚି ରହିଥିଲେ । ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ବେକ ଅଧା କଟି ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ଅତି କ୍ଷୀପ୍ର ଗତିରେ ଯାଇ ଘର ଆଗରେ ଚିତ୍କାର କରି ପଡିଯାଇଥିଲେ ।

ପରିବାର ଲୋକେ ତାଙ୍କୁ ତୁରନ୍ତ ଏମ୍ସ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଖଣ୍ଡଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ସିସିିଟିଭି ଫଟେଜକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ସହ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ରାଜଧାନୀ ଭୁବନେଶ୍ୱରରେ କୋକୁଆ ଭୟ ସୃଷ୍ଟି ହୋଇଛି ।


Reporterspen