Murder: ଜେଲରୁ ଫେରି ହାଣିଦେଲେ, ମହିଳାଙ୍କ ସମେତ ୩ ଗିରଫ

Reporterspen

Murder: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ରସୁଲଗଡ ବିଭତ୍ସ ହତ୍ୟାକାଣ୍ଡ ପଛରେ ପୋଲିସର ମିତ୍ର ହୋଇ ନିଶା ବେପାରକୁ ବିରୋଧ କରିବା ଓ ସୁଇପରରୁ ବିଦା କରିବା ମୁଖ୍ୟ କାରଣ ବୋଲି ଜଣାପଡିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣଙ୍କ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେଦାରପଲ୍ଲୀ ବସ୍ତିର ଲକ୍ଷ୍ମୀଧର ନାୟକ, ପତ୍ନୀ ଲିପିକା ନାୟକ ଓ ସହଯୋଗୀ ରକି ନାୟକ । ଏମାନଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ପୋଲିସ ସୂଚନା ଅନୁସାରେ, ମୃତ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଭାବେ କାର୍ଯ୍ୟ କରନ୍ତି । ଏଥିସହିତ ପୋଲିସ ମିତ୍ର ହୋଇ ବସ୍ତିକୁ ଅପରାଧ ମୁକ୍ତ କରିବା ଲାଗି ପ୍ରଶାସନକୁ ସହଯୋଗ କରୁଥିଲା । ତେବେ ଅଭିଯୁକ୍ତ ଲକ୍ଷ୍ମୀଧରର ପତ୍ନୀ ଲିପିକା ସୁଇପର ଭାବେ ନିଯୁକ୍ତ ହୋଇଥିଲା । ହେଲେ ଠିକ୍‌ରେ କାମ କରୁନଥିବାରୁ ତା’ ବିରୋଧରେ ଅଭିଯୋଗ ଆସିଥିଲା । ଏଥିପାଇଁ ସହଦେବର ସୁପାରିଶ କ୍ରମେ ତାକୁ ୩ମାସ ତଳେ ସଫେଇ କର୍ମଚାରୀରୁ ବିଦା କରାଯାଇଥିଲା । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଇତି ମଧ୍ୟରେ ଲକ୍ଷ୍ମୀଧର ଓ ଲିପିକା ବସ୍ତିରେ ନିଶା କାରବାର ଆରମ୍ଭ କରିଦେଇଥିଲେ । ବ୍ରାଉନସୁଗର ଆଣି ବସ୍ତିରେ ବିକ୍ରି କରୁଥିଲେ । ଏହାକୁ ସହଦେବ ବିରୋଧ କରିବା ସହ ପୋଲିସକୁ ଅବଗତ କରିଥିଲା ।

ତେବେ ଡିସେମ୍ବର ୪ ତାରିଖରେ ପୋଲିସ ଏମାନଙ୍କୁ ନିଶା କାରବାର ମାମଲାରେ ଗିରଫ କରିଥିଲା । ଏମାନେ ଜେଲରେ ଥିବା ବେଳେ ସହଦେବକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ । ଏପରିକି ତାଙ୍କୁ ପୂର୍ବରୁ ଖୋଲାଖୋଲି ଭାବେ ଧମକ ମଧ୍ୟ ଦେଇଥିଲେ । ଗତ ୫ ତାରିଖ ଦିନ ଏମାନେ ଜେଲରୁ ମୁକୁଳିଥିଲେ । ସେହିଦିନ ଠାରୁ ସହଦେବକୁ ରାସ୍ତାରୁ ହଟାଇବା ଲାଗି ଯୋଜନା ରଚିଥିଲେ । ପ୍ରାୟ ସବୁଦିନ ତାଙ୍କୁ ପିଛା କରୁଥିଲେ, ହେଲେ ସୁଯୋଗ ମିଳୁନଥିଲା ।

ଆଜି ସକାଳ ପ୍ରାୟ ୮ଟା ବେଳେ ସହଦେବ ଝିଅକୁ ସ୍କୁଲରେ ଛାଡି, ସଫେଇ କାମ ତଦାରଖ କରି ଭୋଜି ପାଇଁ ମାଂସ ଆଣିବାକୁ ରସୁଲଗଡ ଆଡକୁ ଯାଉଥିଲେ । ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ସେ ଭିଏସଏସ ନଗର ପଟୁ ରସୁଲଗଡ ଆଡକୁ ଯାଉଥିଲେ । ଏହି ସମୟରେ ଗୋଟିଏ ବାଇକରେ ରକି ଓ ଅନ୍ୟ ଏକ ବାଇକରେ ଲକ୍ଷ୍ମୀଧର ଓ ଲିପିକା ତାଙ୍କୁ ପିଛା କରିଥିଲେ । ରସୁଲଗଡ ବ୍ରିଜ ନିକଟରେ ରକି ତା’ ବେକକୁ ଲକ୍ଷ୍ୟ କରି ଏକ ଚୋଟ ମାରିଥିଲା । ଯାହା ଠିକ ତା’ ବେକରେ ବାଜିବାରୁ ତାହା ଛିଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା । ଚୋଟ ମାରିବା ପରେ ରକି ବାଇକ ନ ଅଟକାଇ ପଳାଇଯାଇଥିଲା । ହେଲେ ଧାରୁଆ ଅସ୍ତ୍ରଟି ତଳେ ପଡି ଯାଇଥିଲା । ପଛରେ ଆସୁଥିବା ଲକ୍ଷ୍ମୀଧର ଓ ପତ୍ନୀ ଖଣ୍ଡାକୁ ଗୋଟାଇ ବ୍ୟାଗରେ ପୁରାଇ ଚମ୍ପଟ ମାରିଥିଲେ ।

ଖବରପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଓ ଅଭିଯୁକ୍ତଙ୍କ ମୋବାଇଲକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇ ସେମାନଙ୍କୁ ପିଛା କରିଥିଲା । ଅପରାହ୍ଣରେ ସ୍ପେଶାଲ ସ୍କ୍ୱାର୍ଡ ୩ ଅଭିଯୁକ୍ତଙ୍କୁ ନୟାଗଡରୁ କାବୁ କରିବାରେ ସକ୍ଷମ ହୋଇଥିଲା । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ଖୋଳତାଡ କରୁଛି ।


Reporterspen