ନନ୍ଦନକାନନକୁ ଆସିଲା ନୂଆ ଅତିଥି ଜିରାଫ

Reporterspen

ଭୁବନେଶ୍ୱର, (ଟୁଲୁ ପାତ୍ରଙ୍କ ସ୍ୱତନ୍ତ୍ର ରିପୋର୍ଟ): ଭୁବନେଶ୍ୱର ଉପକଣ୍ଠରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଆଉ ଜଣେ ନୂଆ ଅତିଥି ଆସିଛି । ଦୀର୍ଘ ବର୍ଷ ପରେ ଏକାକୀ ଜୀବନ ବିତାଉଥିବା ଖୁସି ପାଇଁ ସାଥିଟିଏ ଆସିଛି । ଏକ ହଳ ଜୀରାଫ ନନ୍ଦନକାନନକୁ ଆସିଛି । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପ୍ରାଣୀ ଉଦ୍ୟାନର ସୋନ୍ଦର୍ଯ୍ୟ ବଢାଇବ ।

ଏଣିକି ତିନୋଟି ଜିରାଫ ଦେଖିବାକୁ ମିଳିବ
ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକମାନେ ଗୋଟିଏ ନୁହେଁ ବରଂ ୩ ଟି ଜିରାଫ ଦେଖିବାର ସୁଯୋଗ ପାଇବେ । “ଗତକାଲି ମଧ୍ୟ ରାତିରେ କୋଲକାତା ଆଲିପୁର ଚିଡ଼ିଆଖାନରୁ ଏକ ହଳ ଜିରାଫ ଆସିଛନ୍ତି । ଅଣ୍ଡିରା ଜିରାଫର ବୟସ ଏକ ବର୍ଷ ୫ମାସ ଓ ମାଈ ଜୀରାଫର ବୟସ ପ୍ରାୟ ଏକ ବର୍ଷ ଏକ ମାସ” ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କେଉଁ ଖୁଆଡରେ ରହିବେ ଜିରାଫ
ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, “ବର୍ତ୍ତମାନ ସମୟରେ ଏହି ଦୁଇ ଜୀରାଫଙ୍କୁ ସଂଗରୋଧରେ ରଖାଯାଇଛି । ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଉପରେ ନଜର ରଖାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ କରାଯାଉଛି । ଏହା ପରେ ସମସ୍ତ ଜିରାଫ ‘ଖୁସି’ ରହୁଥିବା ୧୦୦ ନମ୍ବର ଖୁଆଡ଼ ପାଖରେ ରଖିବା ପାଇଁ ବ୍ୟବସ୍ଥା କରାଯିବ ।

ଦୀର୍ଘ ବର୍ଷର ଅପେକ୍ଷା ପରେ ଖୁସି ମିଳିଲା ସାଥୀ
“ଦୀର୍ଘ ୮ ବର୍ଷ ହେଲା ଏକୁଟିଆ ନିଃସଙ୍ଗ ଜୀବନ ବିତାଉଥିଲା ‘ଖୁସି’ । ସାଥିୀଟିଏ ପାଇଁ ଅନେକ ବାର କର୍ତ୍ତୃପକ୍ଷ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ଦୀର୍ଘ ବର୍ଷ ପରେ ଖୁସିକୁ ସାଥୀ ମିଳିଯାଇଛି । “୨୦୧୨ ମସିହାରେ ଖୁସିକୁ ପାଟନା ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ଏହାପୂର୍ବରୁ ୨୦୦୮ ମସିହାରେ ଆଲିପୁର ପ୍ରାଣୀ ଉଦ୍ୟାନରୁ ଜିରାଫ ଆଣିବା ପାଇଁ ଗୋଟିଏ ଚେଷ୍ଟା କରାଯାଇଥିଲା । କିନ୍ତୁ ବିଦ୍ୟୁତ୍ ତାର ଲାଗିବା ଯୋଗୁଁ ତା’ର ମୃତ୍ୟୁ ହୋଇଥିଲା । ଜିରାଫ ଆଣିବାର ଆଉ ଏକ ପ୍ରୟାସ ୨୦୧୬ ମସିହାରେ କରାଯାଇଥିଲା । ଏଥର ଅଣ୍ଡିରା ଜିରାଫ ସଫଳତାର ସହ ନନ୍ଦନକାନନକୁ ଆସିଥିଲା, କିନ୍ତୁ ଥିଏଲେରୋସିସ୍ ରୋଗ କାରଣରୁ ୬ଦିନ ପରେ ତା’ର ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ପରେ ଅନେକ ଚେଷ୍ଠା କରାଯାଇଥିଲେ ମଧ୍ୟ ଖୁସି ପାଇଁ ସାଥୀଟିଏ ଆସିପାରିନଥିଲା ।

ଜୀରାଫ ଆଣିବା ଏକ ଚ୍ୟାଲେଞ୍ଜ ଥିଲା
“ରାସ୍ତାରେ ଜିରାଫ ଆଣିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଏବଂ ଏକ ବଡ ଚାଲେଞ୍ଜ ଥିଲା । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ସତକର୍ତା ଅବଲମ୍ବନ କରିଛନ୍ତି । ଜିରାଫ ଆଣିବା ପୂର୍ବରୁ ନନ୍ଦନକାନନର ଏକ ଟିମ୍ ଏହି ମାର୍ଗର ପ୍ରାଥମିକ ସର୍ଭେ କରିଥିଲେ ଏବଂ ବିପଦ ସ୍ଥାନ ଚିହ୍ନଟ କରିଥିଲେ । ବ୍ୟବହାର ହେବାକୁ ଥିବା ନିମ୍ନ ଶଯ୍ୟା ବିଶିଷ୍ଟ ଟ୍ରେଲର ଏବଂ ସ୍ୱତନ୍ତ୍ର କ୍ରେଟ୍ ସହିତ ପରିବହନ ଯୋଜନା ଡିଜାଇନ୍ କରାଯାଇଥିଲା” ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତପକ୍ଷ କହିଛନ୍ତି ।

୨୫ ଘଣ୍ଟର ଯାତ୍ରା
ନନ୍ଦନକାନନର ଏକ ଟିମ୍ ଅଗଷ୍ଟ ୩୧ ତାରିଖ ମଧ୍ୟ ରାତିରେ କୋଲକାତା ଆଲିପୁର ଚିଡ଼ିଆଖାନରୁ ଜିରାଫକୁ ନେଇ ଯାତ୍ରା ଆରମ୍ଭ କରି ୨୫ ଘଂଟା ପରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନରେ ପହଞ୍ଚିଥିଲା । ପରିବହନ ସାମଗ୍ରୀ ଭୂମିରୁ ୧୬.୬ ଫୁଟ ଉଚ୍ଚରେ ଥିଲା ଏବଂ ଘଂଟା ପ୍ରତି ହାରାହାରି ୨୫ କିଲୋମିଟର ବେଗରେ ଗାଡି ଗତି କରୁଥିଲା । ନିୟମିତ କିଛି ସମୟ ବ୍ୟବଧାନରେ ଉଭୟ ଜିରାଫକୁ ଯାଂଚ କରାଯାଉଥିଲା । ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଉଥିଲା । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଦେଇ ଜିରାଫ ଆସିଥିଲା । ବର୍ତ୍ତମାନ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩କୁ ବୃଦ୍ଧି ଘଟିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।


Reporterspen