ଭାରତର ୟୁପିଆଇ: ଡିଜିଟାଲ ପେମେଣ୍ଟ ସିଷ୍ଟମରେ ବିଶ୍ୱରେ ଅଗ୍ରଣୀ

0 1,228

ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ । ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି । ସେଥିରୁ ଅଧିକାଂଶ କାରବାର ୟୁପିଆଇ ମାଧ୍ୟମରେ କରାଯାଉଛି । ଦେଶର ୩୦ କୋଟି ବ୍ୟକ୍ତି ବିଶେଷ ଓ ୫କୋଟିରୁ ଅଧିକ ବ୍ୟବସାୟୀ ୟୁପିଆଇ ବ୍ୟବହାର କରୁଛନ୍ତି ।

ରାସ୍ତାକଡର ଉଠାଦୋକାନଠାରୁ ଆରମ୍ଭ କରି ବୃହତ୍ ସପିଂ ମଲ୍ ପର୍ଯ୍ୟନ୍ତ ସମସ୍ତେ ଏବେ ୟୁପିଆଇ ବ୍ୟବହାର କରୁଛନ୍ତି । ବିଶ୍ୱର ସବୁ ଦେଶ ମଧ୍ୟରୁ ଭାରତରେ ଡିଜିଟାଲ କାରବାର ସଂଖ୍ୟା ସର୍ବାଧିକ । ୨୦୨୨ ତଥ୍ୟ ଅନୁସାରେ ଭାରତରେ ମୋଟ ଦେଣନେଣର ୪୬ ଶତାଂଶ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହୁଏ । ଭାରତ ପରେ ଏ କ୍ଷେତ୍ରରେ କ୍ରମଗତ ଭାବେ ପଛକୁ ପଛ ରହିଛନ୍ତି ବ୍ରାଜିଲ, ଚୀନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ । ୨୦୧୬ରେ ଭାରତରେ ମାତ୍ର ୧୦ଲକ୍ଷ ଡିଜିଟାଲ ଟ୍ରାଞ୍ଜାକସନ ହୋଇଥିବାବେଳେ ଏବେ ୟୁପିଆଇ ମାଧ୍ୟମରେ କାରବାର ସଂଖ୍ୟା ୧୦ବିଲିୟନ ବା ୧୦୦୦ କୋଟି ଅତିକ୍ରମ କରିଛି ।

ୟୁପିଆଇ ଯେଉଁ ସବୁଠୁ ବଡ ପରିବର୍ତ୍ତନ ଆଣିଛି ସେଇଟି ହେଲା ଭାରତୀୟମାନେ ଏହାର ବ୍ୟବହାର କରୁଥିବା ଢଙ୍ଗ ବା ଶୈଳୀ । ବୈଶ୍ୱିକ ଡାଟା ରିସର୍ଚ୍ଚର ତଥ୍ୟ ଅନୁସାରେ ୨୦୧୭ରେ ଭାରତରେ ନଗଦ ଅର୍ଥ କାରବାର ମୋଟ କାରବାରର ୯୦ ଶତାଂଶରୁ ହ୍ରାସ ପାଇ ୬୦ ଶତାଂଶରେ ପହଁଚି ଥିଲା ।
ଏହାର ଛ’ ମାସ ମଧ୍ୟରେ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ପ୍ରତ୍ୟାହୃତ ହେବା ପରେ ୟୁପିଆଇର ମୋଟ କାରବାର ପରିମାଣ ୨.୯ ନିୟୁତରୁ ୭୨ ନିୟୁତକୁ ବୃଦ୍ଧି ପାଇଥିଲା । ୨୦୧୭ ଶେଷ ସୁଦ୍ଧା ୟୁପିଆଇ ଟ୍ରାଞ୍ଜାକସନ୍ ତା’ ପୂର୍ବବର୍ଷ ତୁଳନାରେ ୯୦୦ ଶତାଂଶ ବଢିଥିଲା । ସେବେଠାରୁ ଭାରତରେ ୟୁପିଆଇ ଟ୍ରାଞ୍ଜାକସନ କାରବାର ହାର ବଢିବାରେ ଲାଗିଛି ।

ୟୁପିଆଇ ଅତ୍ୟନ୍ତ ବ୍ୟବହାର ଅନୁକୂଳ । ଏହାକୁ ବ୍ୟବହାର କରିବା ଏତେ ସହଜ ଯେ ଯାହା ବିଶ୍ୱାସ କରିବା କଷ୍ଟ । ଏକ ଭର୍ଚୁଆଲ ପେମେଣ୍ଟ ଆଡ୍ରେସ (ଭିପିଏ) ବ୍ୟବହାର କରି ବ୍ୟବହାରକାରୀ ୟୁପିଏ ମାଧ୍ୟମରେ ଅର୍ଥ ପ୍ରେରଣ କରିପାରିବେ । ଏହି ବ୍ୟବସ୍ଥାରେ ପ୍ରେରକଙ୍କୁ ନିଜର ସମ୍ବେଦନଶୀଳ ବ୍ୟାଙ୍କ
ତଥ୍ୟାବଳୀ ଦେବାର ଆବଶ୍ୟକତା ନାହିଁ । ଏହି ପ୍ରକ୍ରିୟାଟି ସ୍ମାର୍ଟଫୋନରେ ‘ଟେକ୍ସଡ ମେସେଜ୍‌’ ପଠାଇବା ଭଳି ଅତି ସହଜ । ଏହାର ପ୍ରଭାବ କେତେ ଅଧିକ ତାହାକୁ କଳନା କରିବା କଷ୍ଟ । ଏହା ମାଧ୍ୟମରେ ଲୋକଙ୍କ ଆର୍ଥିକ ସମାବେଶୀତା ବଢୁଛି, ଆର୍ଥିକ କାରବାରରେ ସ୍ୱଚ୍ଛତା ରକ୍ଷା ହେଉଛି ଓ ଅଣଆନୁଷ୍ଠାନିକ ଅର୍ଥନୀତିର ଆକାର ହ୍ରାସ ପାଉଛି ।

ୟୁପିଆଇ ଅଭିବୃଦ୍ଧି ଯୋଗୁଁ ନଗଦ କାରବାର ପରିମାଣ କେବଳ ହ୍ରାସ ପାଇନାହିଁ, ଏହା ମଧ୍ୟ ଅନ୍ୟାନ୍ୟ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଚାହିଦା ହ୍ରାସ କରିଛି । ଉଦାହରଣ ସ୍ୱରୂପ ମର୍ଚ୍ଚାଣ୍ଟ ପେମେଣ୍ଟ ପାଇଁ ଡେବିଟ କାର୍ଡର ବ୍ୟବହାର ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ୟୁପିଆଇ ମଧ୍ୟ ପ୍ରିପେଡ ୱାଲେଟର ଏବେକାର ଆକ୍‌ସେସ ଶୈଳୀକୁ ବଦଳାଇ ଦେଇଛି । ୟୁପିଆଇ ଦିନକୁ ଦିନ ବିକଶିତ ଓ ଉନ୍ନତ ହେଉଥିôବାରୁ ଏବଂ ଏଥିରେ ଇନୋଭେସନ ଅଣାଯାଉଥିବାରୁ ଏହା ଭାରତର ଡିଜିଟାଲ ଭବିଷ୍ୟତକୁ ନୂଆ ରୂପ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପ୍ରାୟ ନିଶ୍ଚିତ ।

ଡିଜିଟାଲ ପେମେଣ୍ଟ ସିଷ୍ଟମର ସଫଳତା କିନ୍ତୁ ଡିଜିଟାଲ ପେଣ୍ଟେ ଭିତ୍ତିଭୂମିର ବ୍ୟାପକତା ଓ ଦୃଢତା ଉପରେ ନିର୍ଭର କରେ ନାହିଁ । ଏହାର ବହୁଳ ବ୍ୟବହାର ହିଁ ଏହାକୁ ସଫଳ କରାଏ । ଲୋକେ ଯେତେ ଉତ୍ସାହିତ ହୋଇ ଏହି ଡିଜିଟାଲ କାରବାର ମାଧ୍ୟମକୁ ଗ୍ରହଣ କରିବେ । ତାହା ସେତେ ସଫଳ ହେବ ।
ଏହା ଅବଶ୍ୟ ସତ୍ୟ ଯେ ଉତ୍ତମ ଭିତ୍ତିଭୂମି ଓ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ବିନା ଏହା ଲୋକପ୍ରିୟତା ହାସଲ କରିବା କଷ୍ଟ । ତେଣୁ ଉତ୍ତମ ଭିତ୍ତିଭୂମି ଏ କ୍ଷେତ୍ରରେ ଏକ ମୌଳିକ ଆବଶ୍ୟକତା । ତେବେ ସେ ଯା’ ହେଉ ଏ କ୍ଷେତ୍ରରେ ଲୋକଙ୍କ ବ୍ୟବହାର ପରିବର୍ତ୍ତନ ଅଧିକ ଗୁୁରୁତ୍ୱ ରଖେ । ନଗଦ ପରିବର୍ତ୍ତେ ଲୋକେ
ଯଦି ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିର୍ଭର କରିବେ ତେବେ ଏହାର ଅଭିବୃଦ୍ଧି ସୁନିଶ୍ଚିତ ।

ବ୍ୟବହାର ପରିବର୍ତ୍ତନରେ ବ୍ୟବସ୍ଥାର ସୁବିଧା ସୁଯୋଗ ସହଜରେ ମିଳିବା ଏବଂ ଏହା ଭରସାଯୋଗ୍ୟ ହେବା ବିଶେଷ ଗୁରୁତ୍ୱ ରଖେ । ସେଥି ପାଇଁ ଏ କ୍ଷେତ୍ରରେ ଉନୋଭେସନରେ ଉପଯୁକ୍ତ ଦୂରଦୃଷ୍ଟି ରହିବା ବାଂଛନୀୟ । ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଏହାର ବ୍ୟବହାରକାରୀଙ୍କ ପାଇଁ ପ୍ରାସଙ୍ଗିକ ହେବା
ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସୁତରାଂ ଏକ ଭଏସ ବକ୍ସରୁ ‘ସିରି’ ସଦୃଶ ସ୍ୱରରେ ତତ୍କାଳ ଘୋଷଣା ହେବା ଉଚିତ ଯେ କ୍ୟୁଆର କୋଡରେ ଆପଣ ପଠାଇଥିବା ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପ୍ରାପ୍ତ ହୋଇଛି । ଏହା ଦ୍ୱାରା ଷ୍ଟ୍ରିଟ ଭେଣ୍ଡର ଓ କ୍ଷୁଦ୍ର ବ୍ୟବସାୟୀମାନେ ଦେଣନେଣ କ୍ଷେତ୍ରରେ ଉପୁଜୁଥିବା ଅବିଶ୍ୱାସର
ବାତାବରଣରୁ ମୁକ୍ତ ହୋଇପାରିବେ । କିଏ କେତେ ଟଙ୍କା ଦେଲା ତାହା ସ୍ମାର୍ଟ ଫୋନ ଘୋଷଣାରୁ ଜାଣିହେବ । ତେଣୁ ଏହି ବେପାରୀ ଓ ବ୍ୟବସାୟୀମାନେ ନଗଦ କାରବାର ଅପେକ୍ଷା ଡିଜିଟାଲ ପେମେଣ୍ଟ ଉପରେ ଅଧିକ ନିର୍ଭର କରିବେ ।

ୟୁପିଆଇରେ ବ୍ୟବହାରକାରୀଙ୍କୁ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ଡିଜାଇନ ପେମେଣ୍ଟ ଦେବାକୁ ପଡିବ । ସେଇଟି ହେଲା ଗ୍ରାହକଙ୍କୁ ସେବା ପ୍ରଦାନକାରୀ ବାଛିବାର ପସନ୍ଦ । ଏଥିରେ ଗ୍ରାହକଙ୍କର କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହାକୁ ବିଚାରକୁ ନେବା ଅନାବଶ୍ୟକ । ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିବା ବ୍ୟକ୍ତି
ୟୁପିଆଇ ପେମେଣ୍ଟକୁ ଆକ୍‌ସେସ୍ କରିପାରିବାର ସୁଯୋଗ ପାଇବା ଉଚିତ ।

ୟୁପିଆଇ ସହିତ ରୁପେ କ୍ରେଡିଟ୍ କାର୍ଡକୁ ସମନ୍ୱିତ କରାଯିବା ଫଳରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଏହା ଦ୍ୱାରା ଗ୍ରାହକ ୟୁପିଆଇ ଓ କ୍ରେଡିଟ୍ କାର୍ଡ ଉଭୟର ସୁବିଧା ପାଉଛନ୍ତି । ସେମାନେ ନିଜ ବ୍ୟାଙ୍କ ଜମା ଖାତାରୁ ଟଙ୍କା ଉଠାଇବା ପରିବର୍ତ୍ତେ କ୍ରେଡିଟ୍ କାର୍ଡ ମାଧ୍ୟମରେ ସ୍ୱଳ୍ପ ମିଆଦି କ୍ରେଡିଟ୍ (ଋଣ) ସୁବିଧା ଲାଭ କରୁଛନ୍ତି । ଏହା ମାଧ୍ୟମରେ ସେମାନେ ମଧ୍ୟ ୟୁପିଆଇ ଟ୍ରାଞ୍ଜାକସନ୍ ସୁବିଧା ପାଉଛନ୍ତି ।

ଭାରତର ପ୍ରକାଣ୍ଡ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଓ ଭିତ୍ତିଭୂମି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ୟୁପିଆଇ ସ୍ଥାନୀୟ ଭାବେ ସଫଳ ହେବା ପରେ ଭାରତୀୟ ନେଶନାଲ ପେମେଣ୍ଟ କର୍ପୋରେସନ (ଏନ୍‌ସିପିଆଇ) ଏନଆଇପିଏଲ ନାମରେ ଏକ ଶାଖା ଗଠନ କରିଛି । ଏହାର ପରିଚୟ ଏନ୍‌ସିପିଆଇ ଇଣ୍ଟର ନେସନାଲ ପେମେଣ୍ଟସ୍ ଲିମିଟେଡ । ୨୦୨୦ରେ ଏନ୍‌ଆଇପିଏଲ୍ ଗଠିତ ହେବା

ପରେ ଏହା ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଦେଶ ବାହାରକୁ ସମ୍ପ୍ରସାରିତ କରିଛି । ସେବେଠାରୁ ଏନ୍‌ଆଇପିଏଲ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ୩୦ଟି ଦେଶର ଆର୍ଥିକ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି କରି ଭାରତର ୟୁପିଆଇ ଭିତ୍ତିକ ଟ୍ରାଞ୍ଜାକସନ ବ୍ୟବସ୍ଥାକୁ ସମ୍ପୃକ୍ତ ଦେଶଗୁଡିକରେ ପ୍ରଚଳନ କରିଛନ୍ତି । ଫ୍ରାନ୍ସରେ ୟୁପିଆଇର ପ୍ରବେଶ ଅର୍ଥ ଏହା ୟୁରୋପ ମାଟିରେ ପ୍ରଥମଥର ପାଦ ଥାପିଛି ।

ବ୍ରିକ୍ସ ରାଷ୍ଟ୍ର ସମୂହରେ ୟୁପିଆଇ ପ୍ରଚଳନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ୍‌ତ୍ୱ ଦେଇଆସୁଛନ୍ତି । ଏବେ ବ୍ରିକ୍ସ ମେଣ୍ଟରେ ଆଉ ଛ’ଟି ଦେଶ ନୂଆ ସଦସ୍ୟଭାବେ ଯୋଗଦେଇଛନ୍ତି । ୨୦୧୬ରେ ଏକ ସାଧାରଣ ଅୟମାରମ୍ଭ କରିଥିବା ୟୁପିଆଇ ଏକ ଅଦ୍ଭୂତପୂର୍ବ ବିକାଶ ଓ ଲୋକପ୍ରିୟତା ହାସଲ କରି ଏକ ବିଶ୍ୱାସଯୋଗ୍ୟ ଡିଜିଟାଲ ଦେଣନେଣର ମାଧ୍ୟମ ପାଲଟିଛି । ଏହାର ସଫଳତା ଓ ପ୍ରଭାବ ଦେଖିଲେ ମନେ ହୁଏ ଯେ ୟୁପିଆଇ ଏପରି ଏକ ମାଧ୍ୟମ ଯାହାର ତୁଳନା ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy