ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କ ମୃତ୍ୟୁ

0 677

ମହାରାଷ୍ଟ୍ରର ନାନ୍ଦେଡରେ ଥିବା ଡାକ୍ତର ଶଙ୍କରରାଓ ଚହ୍ୱାନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାରରୁ ରବିବାର ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୨ ନବଜାତ ଶିଶୁଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଅତ୍ୟାବଶ୍ୟକ ଔଷଧ ଯୋଗାଣରେ ରାଜ୍ୟ ସରକାର ବିଫଳ ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ୭୦ ଜଣ ରୋଗୀ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ଏସ୍ଆର୍ ଓ୍ବାକୋଡେ କହିଛନ୍ତି ଯେ, ହସ୍ପିଟାଲରେ ହାରାହାରି ମୃତ୍ୟୁ ସଂଖ୍ୟା ୧୦ରୁ ୧୨ ମଧ୍ୟରେ ରହିଛି। ନିକଟରେ କର୍ମଚାରୀଙ୍କ ବଦଳି ଏବଂ ଅତ୍ୟାବଶ୍ୟକ ଔଷଧର ଅଭାବ କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ସେ କହିଛନ୍ତି।

ଓ୍ବାକୋଡେ କହିଛନ୍ତି,କିଛି ଔଷଧ ହାଫକିନ ଇନଷ୍ଟିଚ୍ୟୁଟରୁ କିଣିବା କଥା କିନ୍ତୁ ତାହା ହୋଇ ନଥିଲା, ଯେଉଁଥିପାଇଁ କିଛି ସମସ୍ୟା ଦେଖାଦେଇଛି। ପଡ଼ୋଶୀ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଔଷଧ ପାଇଁ ମଞ୍ଜୁର ହୋଇଥିବା ବଜେଟ୍ ମଧ୍ୟ କମ୍ ରହୁଛି।

ଓ୍ବାକୋଡେ କହିଛନ୍ତି ଯେ, ଅତ୍ୟାବଶ୍ୟକ ଔଷଧ ଅଭାବରୁ ରୋଗୀ ଯେପରି ଜୀବନ ନ ହରାନ୍ତି ସେଥିପ୍ରତି ହସ୍ପିଟାଲ ସବୁବେଳେ ଧ୍ୟାନ ଦେଇଥାଏ। ଏଭଳି ପରିସ୍ଥିତିରେ ଡାକ୍ତରଖାନା ସ୍ଥାନୀୟ ବଜେଟରୁ ଔଷଧ କିଣିଥାନ୍ତି। ତେବେ ଗମ୍ଭୀର ରୋଗ ପାଇଁ ଔଷଧର ଅଭାବ ରହିପାରେ ବୋଲି ସେ ସ୍ୱୀକାର କରିଛନ୍ତି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତଦନ୍ତ ଦାବି ହୋଇଛି। ରାଜ୍ୟ ସରକାର ଏହି ମୃତ୍ୟୁ ପାଇଁ ନିଜକୁ ଦାୟୀ କରିବା ସହ ଏଭଳି ଘଟଣା ଯେପରି ଆଉ ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy