୪ଟି କଣ୍ଟେନରରୁ ୨ ହଜାର କୋଟି ଟଙ୍କା ଜବତ

0 528

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆନ୍ଧ୍ରପ୍ରଦେଶରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୪ଟି କଣ୍ଟେନରରୁ ୨ ହଜାର କୋଟି ଟଙ୍କା ଜବତ କରିଛି । କେରଳରୁ ଆନ୍ଧ୍ରପ୍ରଦେଶକୁ ଟଙ୍କା ଯାଉଥିବା ସମୟରେ ଅନନ୍ତପୁର ପାମିଡ଼ି ଚେକ୍ ଗେଟ୍ ନିକଟରେ କଣ୍ଟେନର ଯାଞ୍ଚ କରିଥିଲା ପୋଲିସ । ଗାଡିରୁ ଏତେ ମାତ୍ରାରେ ଟଙ୍କା ଜବତ ହେବା ଦେଖି ପୋଲିସ କର୍ମଚାରୀ ମଧ୍ୟ ତାଜୁବ ହୋଇଥିଲେ ।

ସୂଚନା ମୁତାବକ, ୪ଟି କଣ୍ଟେନରରୁ ଟଙ୍କା ଜବତ ହେବା ବିଷୟରେ ତୁରନ୍ତ ରାଜ୍ୟ ପୋଲିସ ଡିଜି, ନିର୍ବାଚନ ଅଧିକାରୀ ଏବଂ ଇନକମ୍ ଟ୍ୟାକ୍ସ ଅଫିସରଙ୍କୁ ସୂଚନା ଦିଆଯାଇଥିଲା । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।  ଇନକମ୍ ଟ୍ୟାକ୍ସ ଏବଂ ନିର୍ବାଚନ ଅଧିକାରୀ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ, ଟ୍ରକରୁ ଜବତ ହୋଇଥିବା ଟଙ୍କା ବ୍ୟାଙ୍କର । ଉକ୍ତ ଟଙ୍କା ରଳର କୋଚି ଆଞ୍ଚଳିକ କାର୍ଯ୍ୟାଳୟରୁ ହାଇଦ୍ରାବାଦ ଆରବିଆଇ କାର୍ଯ୍ୟାଳୟକୁ ଯାଉଥିଲା। ଅଧିକାରୀଙ୍କ କହିବାନୁଯାୟୀ, ୨ ହଜାର କୋଟି ଟଙ୍କା ମଧ୍ୟରୁ ୫ଶହ କୋଟି ICICI ବ୍ୟାଙ୍କର, ୫୦୦ କୋଟି IDBI ବ୍ୟାଙ୍କର ଏବଂ ୧ ହଜାର କୋଟି ଫେଡେରାଲ ବ୍ୟାଙ୍କର ଟଙ୍କା । ଡକ୍ୟୁମେଣ୍ଟ ଯାଞ୍ଚ ହେବା ପରେ କଣ୍ଟେନର ଗୁଡିକୁ ଛାଡିଦିଆଯାଇଥିବା ଜଣାପଡିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ଏବଂ ଚେକିଂ ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଯାଞ୍ଚ ସମୟରେ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଅନ୍ତର୍ଗତ ଗୋପାଳପୁରମ ପଞ୍ଚାୟତର ଜଗନ୍ନାଧପୁରମ ଗାଁ ନିକଟରେ ଏକ ଘରୋଇ ବସରୁ ନଗଦ ୨.୪୦ କୋଟି ଟଙ୍କା ଜବତ କରିଥିଲା ପୋଲିସ । ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରେ ପୋଲିସ ଚେକିଂ କରୁଥିବା ସମୟରେ ବସ୍‌ ଭିତରୁ ମିଳିଥିଲା ଟଙ୍କା । ଘରୋଇ ଟ୍ରାଭେଲ ବସଟି ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିଲା ଆଉ ସେହି ସମୟରେ ପୋଲିସ ଯାଞ୍ଚ କରିଥିଲା । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ଯେ, ବାହାର ରାଜ୍ୟରେ ଟଙ୍କା ଧରାପଡିଥିବା ଉକ୍ତ ବସର ନମ୍ୱର OD 10 DW 4387 । ଅର୍ଥାତ ଏହି ବସଟି ଓଡ଼ିଶାରେ ପଞ୍ଜୀକରଣ ହୋଇଥିଲା ।

ପୋଲିସ କହିବା ମୁତାବକ, ବସ କ୍ୟାବିନରୁ ବ୍ୟାଗ ଭର୍ତ୍ତି ଟଙ୍କା ମିଳିଛି । କୁର୍ନୁଲର ଆୟୁଲା ଚିନା ଚେନ୍ନାୟା ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିଲେ । ତେବେ ସେ କେଉଁଠୁ ଏବଂ କେଉଁ ସ୍ଥାନକୁ ଏତେ ପରିମାଣର ଟଙ୍କା ନେଇ ଯାଉଥିଲେ ତାହା ପୋଲିସ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ପୋଲିସର ସନ୍ଦେହଘେରକୁ ଆସିଥିଲେ ବ୍ୟକ୍ତିଜଣକ । ପୋଲିସ ବର୍ତ୍ତମାନ ଉକ୍ତ ଟଙ୍କାକୁ ଜବତ କରିଛି । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy