Navratri 2024: ଆଜିଠୁ ନବରାତ୍ରୀ ଆରମ୍ଭ ହୋଇଛି। ଯାହା ୧୨ ତାରିଖରେ ଶେଷ ହେବ। ଏହି ୯ ଦିନ ମା ଦୁର୍ଗାଙ୍କୁ ପୂଜା କରାଯାଏ। ଶକ୍ତି ସ୍ୱରୂପା ଦେବୀ ଦୁର୍ଗାଙ୍କର ୯ଟି ରୂପ ରହିଛି । ଏହି ୯-ରୂପଙ୍କ ଆରାଧନା ଦ୍ୱାରା ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ଆଶ୍ୱିନ ଶୁକ୍ଳ ପ୍ରତିପଦାରେ ଆରମ୍ଭ ହୋଇଥାଏ ଶାରଦୀୟ ନବରାତ୍ରୀ । ପ୍ରତିବର୍ଷ ଆଶ୍ୱିନ ମାସରେ ଶୁକ୍ଲ ପକ୍ଷର ପ୍ରତିପଦା ତିଥିରେ ଆରମ୍ଭ ହୋଇ ନବରାତ୍ରୀ ଦଶମୀ ତିଥିରେ ସମ୍ପୂର୍ଣ୍ଣ ହୋଇଥାଏ । ଦଶମୀ ତିଥିରେ ମାଆ ଙ୍କ ବିସର୍ଜନ ହୋଇଥାଏ । ୯ ଦିନରେ ୯ ଦେବୀଙ୍କ ସ୍ୱରୂପ ପୂଜା କରିବା ଦ୍ୱାରା ଅଲଗା ଫଳ ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଦେବୀଙ୍କୁ ପୂଜା କଲେ କ’ଣ ଫଳ ପ୍ରାପ୍ତି ହୋଇଥାଏ।…
ଶୈଳପୂତ୍ରୀଙ୍କ ପୂଜା : ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୂତ୍ରୀଙ୍କ ପୂଜା କରାଯାଇଥାଏ ।ଶୈଳପୂତ୍ରୀଙ୍କ ପୂଜା ଦ୍ୱାରା ଚନ୍ଦ୍ର ସମ୍ବନ୍ଧିତ ସବୁ ଦୋଶ ଦୁର ହୋଇଥାଏ । ଏହି ଦେବୀଙ୍କ ବାହାନ ହେଉଛନ୍ତି ବୃଶଭ । ପୂଜା ପୂର୍ବରୁ କଳଶ ସ୍ଥାପନ କରାଯାଇଥାଏ । ମା’ଙ୍କ ଡାହାଣ ହାତରେ ତ୍ରିଶୂଳ ଓ ବାମ ହସ୍ତରେ ପଦ୍ମଫୁଲ ଥାଏ । ମା’ ଶୈଳପୂତ୍ରୀ ହେଉଛନ୍ତି ପର୍ବତ ରାଜା ହିମାଳୟଙ୍କ କନ୍ୟା । ମା’ଙ୍କ ପାଖରେ ବିଶୁଦ୍ଧ ଘିଅ ଅର୍ପଣ କରିବା ଦ୍ୱାରା ରୋଗ ବ୍ୟାଧି ଦୂର ହୋଇଥାଏ ।
ବ୍ରହ୍ମଚାରିଣୀଙ୍କ ପୂଜା: ନବରାତ୍ରୀର ଦ୍ୱିତୀୟ ଦିନ ଅର୍ଥାତ ଦ୍ୱିତୀୟା ତିଥିରେ ମା’ ବ୍ରହ୍ମଚାରିଣୀଙ୍କ ପୂଜା ହୋଇଥାଏ । ଏଠାରେ ବ୍ରହ୍ମା,ତପସ୍ୟାକୁ ବୁଝାଇଥାଏ । ମା’ଙ୍କ ଦକ୍ଷୀଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳ ଥାଏ । ମହାଦେବଙ୍କୁ ପତି ରୂପେ ପାଇବା ପାଇଁ ଦେବୀ ତପସ୍ୟା କରିଥିବାରୁ ତାଙ୍କୁ ବ୍ରହ୍ମଚାରିଣୀ ବୋଲି କୁହାଯାଇଥାଏ । ବ୍ରହ୍ମଚାରିଣୀଙ୍କ ପୂଜା ଦ୍ୱାରା ଜାତକରେ ଥିବା ମଙ୍ଗଳ ଗ୍ରହ ସମ୍ବନ୍ଧିତ ଦୋଷ ଦୁର ହୋଇଥାଏ । ବ୍ରହ୍ମଚାରିଣୀଙ୍କ ନିକଟରେ ଚିନି ନୈବେଦ୍ୟ ଅର୍ପଣ ଦ୍ୱାରା ପରିବାର ସଦସ୍ୟଙ୍କ ଆୟୁଶ ବୃଦ୍ଧି ପାଇଥାଏ ।
ଚନ୍ଦ୍ରଘଣ୍ଟାଙ୍କ ପୂଜା: ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା ହୋଇଥାଏ । ଏହାଦ୍ୱାରା ଜାତକରେ ଶୁକ୍ରଗହ ଶକ୍ତିଶାଳୀ ହୋଇଥାନ୍ତି । ଶୁକ୍ରଗହ ସମ୍ବନ୍ଧିତ ସବୁ ଦୋଷ ଦୁର ହୋଇଥାଏ । ମା’ଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କର ଏପରି ନାମକରଣ ହୋଇଛି । ସେ ଶାନ୍ତି ପ୍ରଦାୟିନି ଓ କଲ୍ୟାଣକାରୀ । ମା’ଙ୍କ ଦଶ ହସ୍ତରେ ଖଡ୍ଗ ସହିତ ପଦ୍ମ ଫୁଲ ରହିଥାଏ । ମା’ଙ୍କୁ ଖିର ଭୋଗ ଭାବେ ସମର୍ପଣ କରାଯିବା ଦ୍ୱାରା ସବୁ ପୀଡା଼ ଦୁର ହୋଇଥାଏ ।
କୁଷ୍ମାଣ୍ଡାଙ୍କ ପୂଜା: ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମଣ୍ଡାଙ୍କ ପୂଜା କରାଯାଏ । ସୂର୍ଯ୍ୟ ସମ୍ବନ୍ଧିତ ସମସ୍ତ ଦୋଷରୁ ମା’ଙ୍କ ଆରାଧନା ଦ୍ୱାରା ମୁକ୍ତି ମିଳିଥାଏ । ନିଜ ସ୍ମିତହାସ୍ୟ ଦ୍ୱାରା ଅଣ୍ଡ ଅର୍ଥାତ ବ୍ରହ୍ମାଣ୍ଡର ଉତ୍ପନ କରିଥିବାରୁ ତାଙ୍କୁ ମା’ କୁଷ୍ମାଣ୍ଡ କୁହାଯାଏ ।କୁହାଯାଏ ଯେତେବେଳେ ବ୍ରହ୍ମାଣ୍ଡ ବୋଲି କିଛି ନଥିଲା ,ଚାରିଆଡେ ଅନ୍ଧକାର ହିଁ ଅନ୍ଧକାର ଥିଲା ସେତେବେଳ ମା’ ନିଜ ସ୍ମିତହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡକୁ ଗଢିଥିଲେ । ତେଣୁ ସେ ସୃଷ୍ଟିର ଆଦି ସ୍ୱରୂପା ଆଦି ଶକ୍ତି ଭାବେ ପରିଚିତ । ନିଜ ବୁଦ୍ଧି ଓ ନିର୍ଣ୍ଣୟ ନେବା କ୍ଷମତା ବିକଶିତ କରିବା ପାଇଁ ଭକ୍ତ ମା’ଙ୍କୁ ମାଲପୁଅ ଭୋଗ ଭାବେ ଅର୍ପମ କରିଥାନ୍ତି ।
ସ୍କନ୍ଧମାତାଙ୍କ ପୂଜା : ନବରାତ୍ରୀର ପଂଚମ ଦିନରେ ମା’ ସ୍କନ୍ଧମାତାଙ୍କ ପୂଜା ହୋଇଥାଏ । ସ୍କନ୍ଧମାତାଙ୍କ ଆରାଧନା ଦ୍ୱାରା ଜାତକରେ ବୁଧ ଗ୍ରହ ସମନ୍ଧିତ ଦୋଶ ଦୁର ହୋଇଥାଏ । ଭଗବାନ ସ୍କନ୍ଧଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା କୁହାଯାଏ । ମାଆଙ୍କର ଏହା ହେଉଛି ଉଦାର ଓ ସ୍ନେହଶୀଳ ରୂପ । ମା’ଙ୍କ ପ୍ରିୟ ଭୋଗ ହେଉଛି କଦଳି।
କାତ୍ୟାୟନୀଙ୍କ ପୂଜା : ନବରାତ୍ରୀର ଷଷ୍ଠଦିନରେ ମା’ କାତ୍ୟାୟନୀଙ୍କ ପୂଜା ହୋଇଥାଏ । ମା’ କାତ୍ୟାୟନୀ ଗୁରୁ ଦୋଷ ପ୍ରଭାବକୁ ଦୁର କରିଥାନ୍ତି । ଋଶି କାତ୍ୟାୟନଙ୍କ ଆଶ୍ରମରେ ପ୍ରଥମ ଥର ପାଇଁ ଦର୍ଶନ ଦେଇଥିବାରୁ ମା’ଙ୍କର ଏଭଳି ନାମ । ମା’ ଫଳଦାୟିନୀ । ଦ୍ୱାପର ଯୁଗରେ ଗୋପି ମାନେ ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ମା’ କାତ୍ୟାୟନୀଙ୍କ ଆରାଧନା କରିଥିଲେ । ମାଙ୍କୁ ଭୋଗ ଭାବେ ମହୁ ଅର୍ପଣ କରାଯାଏ ।
କାଳରାତ୍ରୀଙ୍କ ପୂଜା : ମା’କାଳରାତ୍ରୀଙ୍କ ପୂଜା ସପ୍ତମୀ ତିଥିରେ ହୋଇଥାଏ । ମା’ କାଳରାତ୍ରୀଙ୍କ ପୂଜା ଦ୍ୱାରା ଶନି ଗ୍ରହ ଶାନ୍ତ ହୋଇଥାଏ । ମା’ କାଳରାତ୍ରୀଙ୍କୁ ଭୋଗ ଭାବେ ଗୁଡ ଅର୍ପଣ କରାଯାଇଥାଏ । ମା’ କାଳରାତ୍ରୀଙ୍କର ତିନି ଚକ୍ଷୁ ଓ ତାଙ୍କ କେଶ ମୁକୁଳା ରହିଥାଏ । ତାଙ୍କ ଶରିର ରଙ୍ଗ ଘନ କଳା ଅନ୍ଧକାର ସଦୃଶ ।
ମହାଗୌରୀଙ୍କ ପୂଜା : ନବରାତ୍ରୀର ଅଷ୍ଟମ ଦିନରେ ମା’ମହାଗୌରୀଙ୍କ ପୂଜା ହୋଇଥାଏ । ଏହାଙ୍କ ପୂଜା ଦ୍ୱାରା ମଧ୍ୟ ରାହୁ ପ୍ରଭାବ କ୍ଷୁର୍ଣ୍ଣ ହୋଇଥାଏ । ଏହାଙ୍କ ପୂଜା ଦ୍ୱାରା ଭକ୍ତଙ୍କୁ ଅଭୟ ଓ ସୌନ୍ଦର୍ଯ୍ୟ ବରଦାନ ମିଳିଥାଏ । ଜୀବନରେ ସୁଖ,ସମୃଦ୍ଧି ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ମା ମହାଗୌରୀଙ୍କୁ ନାରିକେଳ ବା ନଡ଼ିଆ ଅର୍ପଣ କରାଯାଇଥାଏ ।
ସିଦ୍ଧିଦାତ୍ରୀଙ୍କ ପୂଜା : ନବରାତ୍ରୀର ଅନ୍ତିମ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜା ହୋଇଥାଏ । ମା’ ହେଉଛନ୍ତି ସବୁ ପ୍ରକାରର ସିଦ୍ଧିର ଦାତ୍ରୀ । ମା’ ସିଂହବାହିନୀ ଓ ତାଙ୍କର ୪ ହସ୍ତ । ମା’ ସିଦ୍ଧିଦାତ୍ରୀଙ୍କ ପୂଜା ଦ୍ୱାରା କେତୁ ସମ୍ବନ୍ଧିତ ସବୁ ଦୋଷ ଦୁର ହୋଇଥାଏ । ମା’ଙ୍କ ଆରାଧନା ଦ୍ୱାର ସବୁ କଷ୍ଟ ଦୁଃଖ ଦୁର ହୋଇଥାଏ ଓ ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହୋଇଥାଏ । ବାଧା ଦୁର ହୁଏ ଓ ସୁଖ ତଥା ମୋକ୍ଷ ପ୍ରାପ୍ତିହୁଏ । ଅପ୍ରାକୃତିକ ଘଟଣାରୁ ସୁରକ୍ଷା ପାଇଁ ମା’ଙ୍କୁ ଭୋଗରେ ରାଶି ଅର୍ପଣ କରାଯାଏ ।