ଭିଜିଲାନ୍ସ ଜାଲରେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ଅଧିକାରୀ ଫଶିଛନ୍ତି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ,ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରାଯାଇଛି ।

ପ୍ରଦୀପଙ୍କ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର ଓ ଚନ୍ଦ୍ରଖେଶରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଘର, ଆଗରପଡ଼ାରେ ଥିବା ପୈତୃକ ଘର ଓ କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଭୁବନେଶ୍ୱରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଆପାର୍ଟମେଣ୍ଟ, ପାଣ୍ଡରାରେ ଗୋଟିଏ ଫ୍ଲାଟ ଓ ଢେଙ୍କାନାଳରେ ଗୋଟିଏ କ୍ରସର ଥିବା ଜଣାଯାଇଛି ।

ସେହିପରି ପ୍ରଦୀପଙ୍କୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ୪୨ଟି ପ୍ଲଟ୍‌,୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ଗୋଟିଏ କାର, ୨ଟି ବାଇକ୍‌, ବ୍ୟାଙ୍କ ଓ ଡାକଘରେ ୮୮ ଲକ୍ଷର ଜମା ମଧ୍ୟ ଠାବ ହୋଇଛି । ବାବୁଙ୍କର ଏପରି ସଂପତ୍ତିି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ସେହିପରି ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ପ୍ରଦୀପଙ୍କ ପୁଅ ନାଁରେ ଥିବା ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିବା ସୂଚନା ରହିଛି । ପ୍ରଦୀପଙ୍କ ଯାଜପୁର ଓ ଖୋର୍ଦ୍ଧାରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି ।

ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ଭୋର ପ୍ରାୟ ୪ଟା ସମୟରେ ୧୨ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ୯ ଡିଏସପି ସହ ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ତଳେ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ୮୫ଟି ପ୍ଲଟ୍‌, ଜଳେଶ୍ୱରରେ ୫ ମହଲା କୋଠ , ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା , ୩୩୪.୫୫ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ସୁନା ବିସ୍କୁଟ, ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା ଜବତ କରାଯାଇଥିଲା ।


Reporterspen

Leave a Reply