Odisha assembly :ଭୁବନେଶ୍ୱର (ରିପୋଟର୍ସ ପେନ୍) : ପିଡିଏସ କାର୍ଡ ଯୋଗେ ଗହମ ବଣ୍ଟନ ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଗତି କରୁଛି। କେନ୍ଦ୍ର ସରକାର ଗହମ ଯୋଗାଣ କରୁଥିଲେ ମଧ୍ୟ ରାଜ୍ୟ ସରକାର ଉଠାଣ ପାଇଁ ଉପଯୁକ୍ତ ପରିବହନ ଗାଡି ପାଇପାରୁନଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଗହମ ପହଞ୍ଚାଇବା ସଫଳ ହୋଇପାରୁନାହିଁ। ଖୋଦ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହକୁ ଏ ବାବଦରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ୨୦୨୪ ମସିହା ଅକ୍ଟୋବର ମାସରୁ କେନ୍ଦ୍ର ସରକାର ଖାଉଟି ମାନଙ୍କୁ ଗହମ ଓ ଚାଉଳ ପ୍ରଦାନ ପାଇଁ ଆବଣ୍ଟନ ପତ୍ର ଜାରି କରିଛନ୍ତି। ଏହି ଆବଣ୍ଟନ ପତ୍ର ଅନୁଯାୟୀ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ଅଧିନସ୍ଥ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ମଧ୍ୟରୁ ୯୦ ପ୍ରତିଶତ ଚାଉଳ ଓ ୧୦ ପ୍ରତିଶତ ଗହମ ପ୍ରଦାନ ପାଇଁ କହିଛନ୍ତି। ଏହି ଅନୁପାତ ଅନୁସାରେ ରାଜ୍ୟକୁ ଏକ ଲକ୍ଷ ୬୭ ହଜାର ୭୪୫ ମେଟ୍ରିକ ଟନ ଚାଉଳ ଏବଂ ୧୯ ହଜାର ୯୦୬ ମେଟ୍ରିକ ଟନ ଗହମ ପ୍ରଦାନ କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଏହି ଖାଦ୍ୟଶସ୍ୟ ବଣ୍ଟନ ପାଇଁ କୁହାଯାଇଛି।
ଏ ଅନୁସାରେ ରାଜ୍ୟ ସରକାର ମଧ୍ୟ ଜିଲ୍ଲାୱାରୀ ବଣ୍ଟନ ପତ୍ର ଜାରି କରିଛନ୍ତି। ମାସିକ ୧୯ ହଜାର ୯୦୬ ମେଟ୍ରିକ ଟନ ଗହମ ଉଠାଣ ପାଇଁ ଜିଲ୍ଲାୱାରୀ ବଣ୍ଟନ ପତ୍ରରେ କୁହାଯାଇଛି। ଏହି ଗହମ ଭାରତୀୟ ଖାଦ୍ୟ ନିଗମର ଭଣ୍ଡାର ଘରେ ମହଜୁଦ ରହିଛି। କିନ୍ତୁ ତାହାକୁ ଉଠାଣ ପାଇଁ ପରିବହନ ବ୍ୟବସ୍ଥା ସ୍ଥିର ହୋଇନାହିଁ। ଏଣୁ ବଣ୍ଟନ ବ୍ୟବସ୍ଥାକୁ ସ୍ଥଗିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।