odisha assembly: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବନ୍ଦ ହୋଇଯାଇଛି। ବାଚସ୍ପତି ସୁରମା ପାଢୀ ଆଜି ଅପରାହ୍ଣରେ ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୂଲତବୀ ଘୋଷଣା କରିଛନ୍ତି। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା। ଯେଉଁଥିରେ ୩୦ଟି କାର୍ଯ୍ୟ ଦିବସ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଆହୁରି ୧୨ଟି କାର୍ଯ୍ୟ ଦିବସ ବାକି ରହିଥିବା ବେଳେ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି।
ନଭେମ୍ବର ୨୬ ତାରିଖରେ ଅଧିବେଶ ଆରମ୍ଭ ହୋଇଥିଲା। ଏଥିରେ ସମୁଦାୟ ୧୨ ଦିନ ଅଧିବେଶନ ବସିଥିଲା। ବିଧାନସଭା ଅଧିବେଶନ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏହି ୧୨ ଦିନରୁ ୭ ଦିନ ଥିଲା ସରକାରୀ କାର୍ଯ୍ୟଦିବସ। ପ୍ରଥମ ଦିନରେ ୬ ଜଣ ପୂର୍ବତନ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ୧୨ ଦିନରେ ୧୭୫୦ଟି ତାରକାଯୁକ୍ତ ପ୍ରଶ୍ନ ଏବଂ ୨୨୯୫ଟି ଅଣତାରକା ପ୍ରଶ୍ନ ପଚରାଯାଇଥିଲା। ଗୃହ ମଧ୍ୟରେ ପ୍ରଶ୍ନ କାଳ ସମୟରେ ୨୪ଟି ପ୍ରଶ୍ନର ଉତ୍ତର ରଖିଥିଲେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ। ସମୁଦାୟ ଅଧିବେଶନରେ ୮ଟି ମୁଲତବି ପ୍ରସ୍ତାବ ବିରୋଧୀ ଦଳ ଆଣିଥିଲେ। ଏଥିରୁ ୬ଟି ମୁଲତବୀ ପ୍ରସ୍ତାବରେ ଆଲୋଚନା ହୋଇଥିଲା। ବିଭିନ୍ନ ମନ୍ତ୍ରୀ ଓ ବିଭାଗ ତରଫରୁ ୩୩ଟି ଦସ୍ତାବିଜ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ସମୟରେ ବିଧାନସଭାର କମିଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ୩ଟି ରିପୋର୍ଟକୁ ଏହି ଅଧିବେସନରେ ଉପସ୍ଥାପନ କରାଯାଇଥିଲା। ଗୋଟିଏ ଅଧ୍ୟାଦେଶକୁ ଗୃହରେ ଉପସ୍ଥାପନ କରାଯାଇଥିବା ବେଳେ ୪ଟି ସରକାରୀ ବିଧେୟକ ଅଣାଯାଇଥିଲା। ସେଥିରୁ ୩ଟିକୁ ଗୃହ ପାରିତ କରିଥିଲା। ୫ଟି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ୧୦ ଜଣ ଘରୋଇ ସଦସ୍ୟ ଘରୋଇ ବିଧେୟକ ଆଗତ କରିଥିଲେ। ୨ଟି ଘରୋଇ ସଂକଳ୍ପ ଉପରେ ଗୃହରେ ଆଲୋଚନା କରାଯାଇଥିଲା।
ଅନେକ ପ୍ରସଂଗ ସହିତ ଏହାକୁ ଏକ ଦୀର୍ଘକାଳୀନ ଅଧିବେଶନ ଭାବରେ ସରକାର ସୂଚିତ କରିଥିଲେ। ପ୍ରଥମ ଦିନ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବା ସହ ଗୃହର କାର୍ଯ୍ୟ ସରଗରମ ରହିଥିଲା। କିନ୍ତୁ ଧିରେଧିରେ ସରକାରୀ କାର୍ଯ୍ୟଦିବସ ଗୁଡିକରେ ଗୃହରେ ଏମିତି କୌଣସି ଉଲ୍ଲେଖନୀୟ ଆଲୋଚନା ହୋଇପାରିନଥିଲା। ସରକାରଙ୍କ ପକ୍ଷରୁ ତିନୋଟି ସରକାରୀ ବିଧେୟକ ଏହି ଅଧିବେଶନରେ ଆଗତ ହୋଇଥିଲା। ଯେଉଁ ଦୁଇଟିକୁ ବିଧାନସଭା ଏହି ୧୨ଟି କାର୍ଯ୍ୟ ଦିବସରେ ପାରିତ କରିଛନ୍ତି। ଅନ୍ୟ ପକ୍ଷରେ ୧୦ଟି ବେସରକାରୀ ବିଧେୟକ ଏହି ଅବସରରେ ଆଗତ ହୋଇଛି। ବିଧାନସଭା ଅଧିବେଶନରେ ସୁଭଦ୍ରା ଯୋଜନା, ଆଳୁ ସଂକଟ, ବିଶ୍ୱବିଦ୍ୟାଳୟକୁ ସ୍ୱାୟତ୍ତତା, ସାମ୍ବାଦିକଙ୍କ ପାଇଁ ବୀମା, ଆଦାନୀ ପ୍ରସଙ୍ଗ, ମହିଳାଙ୍କ ପ୍ରତି ହିଂସା ଆଦି ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ।