Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଜମି କିଣାବିକା କରୁଥିବା ବ୍ୟକ୍ତିଙ୍କୁ ଦଲାଲଙ୍କ କବଳରୁ ମୁକ୍ତ କରିବା ଲାଗି ସମସ୍ତ ସବ୍-ରେଜେଷ୍ଟ୍ରୀ କାର୍ଯ୍ୟାଳୟରେ ସିସିଟିଭି ଲଗାଇଛନ୍ତି ସରକାର। ଏହି ସିସିଟିଭିର ନିୟନ୍ତ୍ରଣ ରହିଛି କଟକସ୍ଥିତ ପଞ୍ଜିକରଣ ଇନ୍ସପେକ୍ଟର ଜେନେରାଲ୍ ( ଆଇଜିଆର୍)ଙ୍କ କାର୍ଯ୍ୟାଳୟରେ। ଅର୍ଥାତ୍ ଏଣିକି କର୍ମଚାରୀ ହୁଅନ୍ତୁ କି ଦଲାଲ ଯିଏ କିଣା ବିକା କରୁଥିବା ଲୋକଙ୍କୁ ହଇରାଣ କରୁଥାଏ ତାହା ବିପକ୍ଷରେ ପ୍ରମାଣ ଆଉ ଦୂରରେ ରହିବ ନାହିଁ। ଆଇଜିଆର୍ ଚାହିଁଲେ ନିଜ କାର୍ଯ୍ୟାଳୟରୁ ଡୋସ୍ ପ୍ରମାଣକୁ ଯୋଗାଡ଼ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇପାରିବେ। ଏପରି ବ୍ୟବସ୍ଥା ପ୍ରଥମଥର ପାଇଁ ଭାରତବର୍ଷରେ ଉପଯୋଗ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ‘ଏପରି ଏକ ବ୍ୟବସ୍ଥା ସାରା ଭାରତରେ ପ୍ରଥମ। ଏହାଦ୍ୱାରା ସମସ୍ତ ୩୧୩ଟି ଜମିଜମା ପଞ୍ଜିକରଣ କାର୍ଯ୍ୟାଳୟର ସଜୀବ ଭିଡିଓ ଆଇଜିଆର୍ଙ୍କ ପାଖରେ ଉପଲବ୍ଧ ହେବ। ପୁଣି ଗୋଟିଏ କାର୍ଯ୍ୟାଳୟରେ ୬ଟି ସିସିଟିଭି ଲଗାଯାଇଛି। ସବ୍ ରେଜିଷ୍ଟ୍ରାରଙ୍କଠାରୁ ଆରମ୍ଭ କରି ଇ-ପଞ୍ଜିକରଣ ସ୍ଥଳ ଏବଂ କର୍ମଚାରୀ ବସୁଥିବା ଅଞ୍ଚଳକୁ ନିରୀକ୍ଷଣରେ ଏହି ସିସିଟିଭି ରଖିବ’।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଜିଲ୍ଲା ସ୍ତରୀୟ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧୀନରେ ଏହି ଜମିଜମା ପଞ୍ଜିକରଣ କାର୍ଯ୍ୟାଳୟସବୁ କାର୍ଯ୍ୟ କରିଥାଏ। ଜଣେ ସବ୍ ରେଜିଷ୍ଟ୍ରାର୍ ଏହି କାର୍ଯ୍ୟାଳୟର ଅଧିକାରୀ ଭାବେ ପଞ୍ଜିକରଣକୁ ସ୍ୱିକୃତୀ ପ୍ରଦାନ କରିଥାଆନ୍ତି। ତେବେ ଏହି କାର୍ଯ୍ୟାଳୟକୁ ଆସୁଥିବା କ୍ରେତା ବା ବିକ୍ରେତା ଅନେକ ସମୟରେ ଦଲାଲଙ୍କ ଦ୍ୱାରା ପୀଡ଼ିତ ହୋଇଥାଆନ୍ତି। ବିନା ଲାଞ୍ଚରେ କାର୍ଯ୍ୟାଳୟ କାର୍ଯ୍ୟ କରେ ନାହିଁ ବୋଲି ଚର୍ଚ୍ଚା ହୁଏ। ଏହିସବୁ ଅଭିଯୋଗକୁ ଆଧାର କରି ସମସ୍ତ କାର୍ଯ୍ୟାଳୟକୁ କେନ୍ଦ୍ରୀୟ ନିରୀକ୍ଷଣ କରିବା ବ୍ୟବସ୍ଥା କରାଯାଇଛି। କଟକସ୍ଥିତ ରାଜସ୍ୱ ପାର୍ଷଦ ସଦସ୍ୟଙ୍କ କାର୍ଯ୍ୟାଳୟ କୋଠାରେ ଏହି ନିରୀକ୍ଷଣ ସେଲ୍ କାର୍ଯ୍ୟ କରିବ।
ସମ୍ପୂର୍ଣ୍ଣ ସ୍ୱଚ୍ଛତା, ରକ୍ଷା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟ କରିବ େବାଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା କିଣାବିକା ସରିବା ପରେ ସମ୍ପୃକ୍ତ କ୍ରେତା ଓ ବିକ୍ରେତାଙ୍କଠାରୁ କାର୍ଯ୍ୟାଳୟ ପରିଚାଳନା ସମ୍ବନ୍ଧରେ ମତାମତ ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏକ ସ୍ୱତନ୍ତ୍ର ଫର୍ମ ଯୋଗେ ଉଭୟ ନିୀଜର ମତାମତ ଦାଖଲ କରିପାରିବେ। ସାମାନେ ଚାହିଁଲେ ସିଧାସଳଖ ଏସ୍ଏମ୍ଏମସ୍ ମାଧ୍ୟମରେ ଆଇଜିଆର୍ଙ୍କୁ ନିଜର ମତ ଓ ମନ୍ତବ୍ୟ ଦେଇପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଆପଣା ଯାଇଛି। ଏହାପରେ ଧୀରେ ଧୀରେ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଏହି ବ୍ୟବସ୍ଥା ଲାଗୁ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।