Odisha News: ପ୍ରଭାବଶାଳୀଙ୍କ ଦଖଲରେ ଥିବା ଜମି ଆଦିବାସୀଙ୍କୁ ମିଳିବ: ମନ୍ତ୍ରୀ

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜ୍ୟରେ ଆଦିବାସୀଙ୍କ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରୁ ଫେରାଇବାକୁ ସରକାର ପ୍ରୟାସ କରୁଛନ୍ତି। ଓଡ଼ିଶା ଭୂ-ସଂସ୍କାର ଆଇନର ୧୯୬୦ର ଧାରା ୨୩କ ବଳରେ ଆଦିବାସୀଙ୍କ ଜମିକୁ ମାଡିବସିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରି ଏସସି-ଏସଟିଙ୍କୁ ସେମାନଙ୍କ ଜମିକୁ ଫେରାଇ ଦିଆଯାଉଛି। ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୫୪ଟି ମାମଲା ବିଚାରଧିନ ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ଏକ ପ୍ରଶ୍ନର ଜବାବରେ ଗୃହରେ ଉତ୍ତର ରଖିଛନ୍ତି।

ଆଜି ମୟୂରଭଞ୍ଜର ଉଦଳା ବିଧାୟକ ଭାସ୍କର ମଢେଇ ଆଦିବାସୀଙ୍କ ଜମିଜମା ବାବଦରେ ପ୍ରଶ୍ନୋତ୍ତର କାଳରେ ଏକ ପ୍ରଶ୍ନ କରିଥିଲେ। ଅଧିକାଂଶ ଅଞ୍ଚଳରେ ଏସସି-ଏସଟିଙ୍କ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିମାନେ ଦଖଲ କରି ଦେୱାନ ମକଦ୍ଦମା କରି ନିରିହ ଆଦିବାସୀଙ୍କୁ ହତାସ ଓ ମାନସିକ ନିର୍ଯାତନା ଦେଇ ଜମି ନ ଫେରାଇବା ପାଇଁ ବହୁତ କୌଶଳ ଅବଲମ୍ବନ କରୁଛନ୍ତି। ତାଙ୍କୁ ଉଚିତ ନ୍ୟାୟ ଦାବି କରି ଶ୍ରୀ ମଢେଇ ପ୍ରଶ୍ନ ରଖିଥିଲେ।

ଜବାବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ଦେଇ କହିଥିଲେ କି ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ର ଧାରା ୨୩ ଅନୁଯାୟୀ ଯଦି ଏସସି-ଏସଟି ଜମିକୁ କୌଣସି ପ୍ରଭାବଶାଳୀ ବ୍ୟକ୍ତିମାନେ ଓଡ଼ିଶା ଭୂ-ସଂସ୍କାର ଆଇନର ଧାରା ୨୨କୁ ଉଲ୍ଲଂଘନ କରି ଜମି କିଣନ୍ତି, ତାହା ହେଲେ ରାଜସ୍ୱ ଅଧିକାରୀ ସେଭଳି ଜମି ବିକ୍ରିକୁ ବେଆଇନ ଘୋଷଣା କରି ସେହି ଜମିକୁ ଏସସି-ଏସଟି ବର୍ଗର ଲୋକଙ୍କୁ ଫେରାଇ ଦେଇଥାଆନ୍ତି। ଏହି କ୍ରମରେ ସମଗ୍ର ରାଜ୍ୟରେ ୮୮୧ଟି ମାମଲା ବିଚରାଧିନ ରହିଥିବା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ସେହିପରି ଅନୁସୂଚିତ ଅଞ୍ଚଳରେ 2/1956ର ଧାରା ୩-ଏ ଅନୁଯାୟୀ ରାଜ୍ୟରେ ୧୯୬୯୦ଟି ମାମଲା ଚିହ୍ନଟ ହୋଇଛି।

ରାଜ୍ୟର ଅନୁସୂଚିତ ଅଞ୍ଚଳରେ ରେଗୁଲେସନ ୨/୧୯୫୬ର ଧାରା ୩ବି ଅନୁଯାୟୀ ୧୯୫୬ ମସିହା ଅକ୍ଟୋବର ୪ ତାରିଖ ଠାରୁ ୨୦୦୦ ମସିହା ମଧ୍ୟରେ ଯେଉଁ ସବୁ ଆଦିବାସୀ ଜମି ଅଣଆଦିବାସୀମାନେ ଦଖଲ କରୁଛନ୍ତି। ସେ ବିଷୟରେ ଉପଜିଲ୍ଲାପାଳଙ୍କୁ ପୁଙ୍ଖାନୁପୁଙ୍ଖ ବିଚାର କରିବା ପାଇଁ କ୍ଷମତା ଦିଆଯାଇଛି। ଯଦି ଏହି ଜମିର ହସ୍ତାନ୍ତର ପ୍ରକ୍ରିୟାରେ ଆଇନର କୌଣସି ବିଚ୍ୟୁତି ଘଟିଥାଏ, ତାହାହେଲେ ସେହି ହସ୍ତାନ୍ତର ପ୍ରକ୍ରିୟାକୁ ଉପଜିଲ୍ଲାପାଳ ଅସିଦ୍ଧ ଘୋଷଣା କରିପାରିବେ। ଉକ୍ତ ଜମିକୁ ଏହାର ମୂଳ ଆଦିବାସୀ ମାଲିକକୁ ଜମି ଫେରାଇ ପାରିବେ। ଏହି କ୍ରମରେ ରାଜ୍ୟରେ ୧୨୨୭୯ଟି  ମାମଲା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି।


Reporterspen