Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍): ଓଡ଼ିଶା ରାଜସ୍ୱ ବିଭାଗରୁ ହଟିବ ପୁରୁଣା ଆଇନ୍ । ବଦଳିବ ରିଲିଫ କୋଡ । ରିଲିଫ ଏକ ‘ଦୟା’ ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ରିଲିଫ କୋଡ ଅଧିକାର ଆଇନରେ ପରିଣତ ହେବ । ଜାନୁଆରୀ ପହଲାରୁ ଜନଗଣନା ହେବାର ଆଭାସ ମିଳୁଥିବାରୁ ଯଥାଶୀଘ୍ର ନୂଆ ରାଜସ୍ବ ଗ୍ରାମ ପ୍ରସ୍ତାବ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ରାଜସ୍ୱ ସେବାର କାମ କେତେ ଠିକ୍ ଭାବେ ଗରିବ ଲୋକଙ୍କ ପାଖରେ ପହଞ୍ଚିଛି ସେ ନେଇ ଲୋକସେବା ଭବନରେ ସମୀକ୍ଷା କରି ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା । ଏଣିକି ସ୍କୁଲ, କଲେଜ କର୍ତ୍ତୃପକ୍ଷ ତହସିଲ କାର୍ଯ୍ୟାଳୟ ଦୌଡ଼ିବା ବଦଳରେ ତହସିଲ କର୍ମଚାରୀ ତାଙ୍କ ପାଖକୁ ଯିବେ । ବିଭିନ୍ନ ପ୍ରମାଣ ପତ୍ର କାହିଁକି ବିଳମ୍ବ ହେଉଛି, ତାକୁ ସରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତିଦ୍ବନ୍ଦ୍ବି ନଥିବା ମାମଲା କାହିଁକି ବିଳମ୍ବ ହେଉଛି ? ପେଣ୍ଡିଙ୍ଗ କେସ ଯେମିତି ରହିବ ନାହିଁ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୩୧ ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଲୋକଙ୍କୁ ସେବା ଯୋଗାଇବାରେ କୌଣସି ବାହାନାକୁ ବରଦାସ୍ତ କରାଯିବ ନାହିଁ । ଯଦି କୌଣସି ସମସ୍ୟା ହେଉଛି, ତେବେ ସେ ନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ଅଧିକାରୀଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ରାଜସ୍ୱ ଆଇନ ସଂଶୋଧନ କରାଯାଇ ସରଳୀକରଣ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁ ଆଇନ ଗୁଡିକର ପ୍ରାସଙ୍ଗିକତା ନାହିଁ ସେଗୁଡିକ ରଦ୍ଦ ହେବ । ଯେଉଁଠି ସଂଶୋଧନ ଆବଶ୍ୟକତା ଅଛି, ସେହି ଆଇନ ସଂଶୋଧନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।