Odisha news: ଟୋଲ୍‌ଗେଟ୍ ଧରିବ ଗାଡ଼ି ବୀମା, ଜରିମାନା ସହ ଜେଲ ଦଣ୍ଡ

Reporterspen

Odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଗାଡ଼ି ବୀମା ନଥିଲେ ଟୋଲ୍‌ଗେଟ୍‌ରେ ଜଣାପଡ଼ିବା ସହିତ ଉଲ୍ଲଂଘନକାରୀଙ୍କୁ ସ୍ୱୟଂକ୍ରିୟ ପ୍ରଣାଳୀରେ ଏହା ଧରାଯିବ । ଗାଡ଼ି ମାଲିକଙ୍କ ପାଖକୁ ଇ-ଚାଲାଣ ଯିବ । ଇ-ଡିଟେକସନ୍ ପ୍ରକ୍ରିୟାରେ ଏହା କାର୍ଯ୍ୟ ହେବ । ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ ମସିହାରୁ ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ଟୋଲଗେଟ୍ ଗୁଡ଼ିକରେ ମୋଟର ଯାନର ବୈଧ ଦସ୍ତାବିଜ ଅଛି ଯାଂଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ରାଜ୍ୟର ୨୨ଟି ଟୋଲ୍‌ଗେଟ୍‌ରେ ଏହା କାର୍ଯ୍ୟକାରୀ ହେବ । ପ୍ରଥମ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ । ସେହିପରି ଦ୍ୱିତୀୟ ଥର ପାଇଁ ଧରାପଡ଼ିଲେ ୪ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ । ଉଭୟ ଦଣ୍ଡାଦେଶ ଏକା ସହିତ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଜି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, “ମୋଟରଯାନରେ ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ୍ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ଆସନ୍ତା ଫେବୃୟାରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବ ।

ସୂଚନା ଅନୁସାରେ, ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ ମସିହାରୁ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ବିକଶିତ କରି ଟୋଲଗେଟ୍ ଦେଇ ଯାତାୟତ କରୁଥିବା ମୋଟରଯାନଗୁଡ଼ିକର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ ତାହା ଜାଣିବାକୁ ପଦକ୍ଷେପ ନେଇଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଟୋଲଗେଟ୍ ସହ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ସମ୍ମିଳିତ କରାଇ ପରୀକ୍ଷାମୂଳକ ଭାବେ ଏହାର କାର୍ଯ୍ୟକାରିତା ଯାଂଚ କରିଥିଲେ । ଟୋଲଗେଟ୍ ଦେଇ ଯାତାୟତ କରୁଥିବା ସମସ୍ତ ମୋଟର ଯାନଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ୍ ପୋର୍ଟାଲକୁ ବିକଶିତ କରିଛନ୍ତି । ଯାହାକି ମୋଟରଯାନର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ସରକାରଙ୍କ ‘ବାହନ’ ପୋର୍ଟାଲକୁ ଯାଂଚ କରି ଗାଡ଼ିର ବୈଧ ଦସ୍ତାବିଜ ଅଛି କି ନାହିଁ ତାହା ଦର୍ଶାଇବ । ଏହାପରେ ଖିଲାପୀ ଗାଡ଼ି ମାଲିକଙ୍କ ନିକଟକୁ ଇ-ଚାଲାଣ (ଜୋରିମାନା) ପଠାଯିବ । ପରିବହନ ବିଭାଗ ସଂପୃକ୍ତ ଖିଲାପୀ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଉଲ୍ଲେଖଯୋଗ୍ୟ, ଏବେ ରାଜ୍ୟରେ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲଗେଟ୍ ଦେଇ ଦୈନିକ ପ୍ରାୟ ୩୦ହଜାର ଗାଡ଼ି ଯାତାୟତ କରୁଛି । ଏହି ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ସମସ୍ତ ଗାଡ଼ିକୁ ଯାଂଚ କରିବା ମଧ୍ୟ ସହଜ ହେବ । ବିଶେଷକରି ଖଣି ଓ ଶିଳ୍ପାଂଚଳରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ସରକାରଙ୍କ ପାଇଁ ସହଜ ହେବ । ରାଜ୍ୟ ସରକାରଙ୍କ ମୋଟର ଯାନ ଆଇନ ଅନୁସାରେ ସମସ୍ତ ଗାଡ଼ିରେ ବୀମା ବାଧ୍ୟତାମୂଳକ । ଯଦି କୌଣସି ଗାଡ଼ି ବିନା ବୀମାରେ ରାସ୍ତାରେ ଯାତାୟତ କରେ ସଂପୃକ୍ତ ଗାଡ଼ିର ମାଲିକଙ୍କୁ ୨ହଜାର ଟଙ୍କା ଜୋରିମାନା ଓ ୩ମାସ ଜେଲ୍ ଅବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ । ଯଦି ବାରମ୍ବାର ଖିଲାପୀ ପ୍ରମାଣିତ ହେବେ ତାଙ୍କଠୁ ଜେଲ୍ ସହ ୪ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ।


Reporterspen