Odisha News: ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଇଡ଼କଲ ଅଡିଟୋରିୟମରେ ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ (ଏଏଚପି)ର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଥିଲେ।

ସମୁଦାୟ ୧୧୬ ଜଣ ହିତାଧିକାରୀ ସେମାନଙ୍କ ଆବଣ୍ଟନ ପତ୍ର ପାଇଛନ୍ତି। ଚନ୍ଦ୍ରଶେଖରପୁର ଏଏଚପି ପାଇଁ ୪୭, ନୀଳମାଧବ ଆବାସ ଏଏଚପି ପାଇଁ ୩୬ ଓ ସୁବୁଦ୍ଧିପୁର ବରୁଣେଇ ଏନକ୍ଲେଭ ଏଏଚପି ପାଇଁ ୨୮ ଜଣ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ପ୍ରଦାନ କରାଯାଇଛି।

ସମାବେଶକୁ ସମ୍ବୋଧିତ କରି ଡ. ମହାପାତ୍ର ବସ୍ତିବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, ରାଜଧାନୀରେ ଘର ମାଲିକ ହେବା ଅନେକଙ୍କ ପାଇଁ ସ୍ୱପ୍ନ। ବିଡିଏର ସୁଲଭ ଆବାସ ଯୋଜନା ମାଧ୍ୟମରେ ଆମେ ସହରାଞ୍ଚଳଗରିବଙ୍କୁ ଆଶ୍ରୟ ଦେବା ସହ କେବଳ ବାସଗୃହ ନୁହେଁ ବରଂ ଉନ୍ନତ ମାନର ଜୀବନ ଧାରଣ କୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ପ୍ରକଳ୍ପଗୁଡ଼ିକ ଉନ୍ନତ ଜୀବନଯାପନ ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ମୌଳିକ ସୁବିଧା ରହିଛି।

ଆଜିର ଏହି କାର୍ଯ୍ୟକ୍ରମରେ, ଲଟେରୀ ବ୍ୟବସ୍ଥା ମାଧ୍ୟମରେ ସ୍ୱଚ୍ଛ ଭାବରେ ଗୃହ ଆବଣ୍ଟନ କରାଯାଇଥିଲା।ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଡିଏର ବରିଷ୍ଠ ଅଧିକାରୀ ଓ ଓଏମସିର ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ଥିଲେ।

ଚନ୍ଦ୍ରଶେଖରପୁର ମୌଜ଼ାରେ ୨୦ ଏକର ପରିମିତ ଜାଗାରେ ୨୬୦୦ଟି ଗୃହ ନିର୍ମାଣ ପାଇଁ ଯୋଜନା ହୋଇଅଛି ଏବଂ ତନ୍ମଧ୍ୟରୁ ୮୨୦ ଟି ଘରର ନିର୍ମାଣ ସମ୍ପୂର୍ଣ ହୋଇପାରିଛି । ଏଠାରେ ଅଦ୍ୟାବଧି ୬୯୦ ଟି ଘରର ଆବଣ୍ଟନ ହୋଇସାରିଛି ଏବଂ ଆଜି ୪୭ଟି ଯୋଗ୍ୟ ହିତାଧିକାରୀ ପରିବାରକୁ ଘର ଆବଣ୍ଟନ କରାଯାଇଛି I ଅବଶିଷ୍ଟ ୧୮୬୩ ଗୃହ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ ।

କେୟାର ହସ୍ପିଟାଲ ନିକଟସ୍ଥ ନୀଳମାଧଵ ବସ୍ତିର ଏ ୮.୧୮ ଡେସିମିଲ୍ ଜାଗାରେ ୧୨୦୦ ଟି ଗୃହ ନିର୍ମାଣ କରାଯିବ ପାଇଁ ଯୋଜନା ରଖାଯାଇଛି I ଏଥିରୁ ୯୬୦ଟି ଗୃହର କାର୍ଯ୍ୟ ଶେଷ ହୋଇଛି ଏବଂ ୫୦୭ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇଛି I ଆଜି ଏଠାରେ ୩୬ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇ ଦିଆଯାଇପାରିଛି I ଅବଶିଷ୍ଟ ୬୫୭ଟି ପରିବାରକୁ ପର୍ଯ୍ୟାୟ କ୍ରମେ ଘର ଯୋଗାଇ ଦିଆଯିବ ।

ସୁବୁଧିପୁରଠାରେ ବରୁଣେଇ ଏନକ୍ଲେଭ୍ ରେ ମୋଟ ୩୪୨ ଟି ଘର ନିର୍ମାଣ ପାଇଁ ଯୋଜନା କରାଯାଇଥିବାବେଳେ ସମସ୍ତ ୩୪୨ ଟି ଘରର ନିର୍ମାଣ ହୋଇସାରିଛି । ଆଜି ୨୮ଟି ଯୋଗ୍ୟ ପରିବାରକୁ ଏଠାରେ ଗୃହ ଯୋଗାଇ ଦିଆଯିବ ଏବଂ ବଳକା ୧୩୫ଟି ଗୃହ କୁ ପର୍ଯ୍ୟାୟ କ୍ରମେ ଆବଣ୍ଟନ କରାଯିବ ।

ସେହିଭଳି ସତ୍ୟନଗରଠାରେ ଥିବା ଶାନ୍ତିପଲ୍ଲୀ ବସ୍ତିକୁ ୧୦ ଏକର ଜାଗାରେ ପୁନଃ ନିର୍ମାଣ କରାଯାଇ ୧୩୦୦ଟି ଗୃହ ନିର୍ମାଣ କରାଯିବାର ଲକ୍ଷ ରଖାଯାଇଛି । ଅଦ୍ୟାବଧି ଏଠାରେ ୫୬୦ ଟି ଗୃହର କାର୍ଯ୍ୟ ଶେଷ ହୋଇସାରିଛି ଏବଂ ୪୫୧ଟି ଯୋଗ୍ୟ ପରିବାରକୁ ଗୃହ ଆବଣ୍ଟନ କରାଯାଇଛି I ଆଜି ୩ଟି ପରିବାରକୁ ଏହି କେଶରୀ ରେସିଡେନ୍ସି ରେ ଘର ଆବଣ୍ଟନ କରାଯାଇଛି ଏବଂ ଅବଶିଷ୍ଟ ୮୪୬ ପରିବାରକୁ ପର୍ଯ୍ୟାୟ କ୍ରମେ ଗୃହ ଆବଣ୍ଟନ କରାଯିବ।


Reporterspen