ଭୁବନେଶ୍ୱର, (ରିପୋଟର୍ସ ପେନ୍): ଓଡ଼ିଶାରୁ ସିମ୍ ବକ୍ସ ରାକେଟ ଧରାପଡିବା ପରେ ସାଇବର ଠକେଇ ନେଇ ପୋଲିସ ଲୋକଙ୍କୁ ସତର୍କ କରିଛି । ପୋଲିସ ଓ ଆରଟିଓ ନାଁରେ ନକଲି ଇ-ଚାଲାଣ ଆସୁଥିବାରୁ ଏନେଇ ସତର୍କତା ଅବଲମ୍ବନ କରିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି । ଓଡ଼ିଶା ପୋଲିସ ତା’ର ଏକ୍ସ ହ୍ୟାଣ୍ଡେଲରେ ଲେଖିଛି ଯେ, ଟ୍ରାଫିକ ଚାଲାଣ ଦେବା ପୂର୍ବରୁ ସର୍ବଦା ୟୁଆରଏଲ୍କୁ ଯାଞ୍ଚ କରନଦ୍ତୁ । ଇ-ଚାଲାଣ ସ୍କାମ ବିରୋଧରେ ସଜାଗ ରୁହନ୍ତୁ ।
ବିନା ହେଲମେଟ୍ରେ ଗାଡ଼ି ଚଳାଇଲେ, ଟ୍ରାଫିକ୍ ନିୟମ ଅବମାନନା କଲେ ଏବେ ଗାଡ଼ି ମାଲିକଙ୍କ ପାଖକୁ ଇ-ଚାଲାଣ ଯାଉଛି । ଆପଣ ଯଦି ଗାଡ଼ି ଚଳାଉଛନ୍ତି କିମ୍ବା ଆପଣଙ୍କ ନାଁରେ କୌଣସି ଗାଡ଼ି ଅଛି ତେବେ ସାବଧାନ ହୋଇଯାଆନ୍ତୁ । ଆପଣଙ୍କ ପାଖକୁ ଆସିପାରେ ନକଲି ଇ-ଚାଲାଣ । ଆପଣ ଏହାର ଟଙ୍କା ଭରିଲେ ଆକାଉଣ୍ଟରୁ ଟଙ୍କା କଟିବ ହେଲେ ପରିବହନ ବିଭାଗ ପାଖକୁ ନଯାଇ ସାଇବର ଠକଙ୍କ ପାଖକୁ ଚାଲିଯିବ ।
ଟେକ୍ନୋଲୋଜି ଯେତେ ଉନ୍ନତ ହେଉଛି ତା ସହ ତାଳ ଦେଇ ସାଇବର ଠକ ଆଗକୁ ବଢୁଛନ୍ତି । ଭାରତରେ ସାଇବର ସ୍କାମ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ସାଇବର ଠକ ଏକ ନୂଆ କୌଶଳରେ ଲୋକଙ୍କୁ ଠକି ଚାଲିଛନ୍ତି । ଫୋନକୁ ପଠାଉଛନ୍ତି ନକଲି ଇ-ଚାଲାଣ ମେସେଜ୍ । ପରିବହନ ବିଭାଗର ନକଲି ୱେବସାଇଟ୍ ଜାଲିଆତି କରି ସାଇବର ଠକ ଟଙ୍କା ଲୁଟୁଛନ୍ତି ।
ଟ୍ରାଫିକ ଚାଲାଣ ଦେବା ପୂର୍ବରୁ ସର୍ବଦା URL କୁ ଯାଞ୍ଚ କରନ୍ତୁ । ଇ- ଚାଲାଣ ସ୍କାମ୍ ବିରୁଦ୍ଧରେ ସଜାଗ ରୁହନ୍ତୁ । pic.twitter.com/yKAe1JUtej
— Odisha Police (@odisha_police) August 20, 2024
ସୂଚନା ଅନୁସାରେ, ସାଇବର ଠକମାନେ ପଠାଉଥିବା ମେସେଜ୍ ଟ୍ରାଫିକ୍ ପୋଲିସ ଓ ଆରଟିଓ ବୋଲି ଲେଖାରହୁଛି । କିନ୍ତୁ ଏହା ଟ୍ରାଫିକ୍ ପୋଲିସ କିମ୍ବା ଆରଟିଓର ନୁହେଁ । ସ୍କାମର ପଠାଇଥିବା ମେସେଜରେ କୁହାଯାଇଛି ଯେ, ଗାଡି ଚାଳକମାନେ ଟ୍ରାଫିକର ନିୟମ ଉଲଘଂନ କରିଛନ୍ତି ।ଏଥିପାଇଁ ଜରିମାନା ଦେବାକୁ ପଡିବ । ଏଥିରେ ଏକ ଲିଙ୍କ୍ ମଧ୍ୟ ଆସୁଛି, ଯେଉଁଥିରେ ଚାଳକଙ୍କୁ ଲିଙ୍କରେ କ୍ଲିକ କରି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଉଛି ।
ତେବେ ଲିଙ୍କରେ କ୍ଲିକ୍ କରିବା ଦ୍ୱାରା ଆରଟିଓର ଏକ ନକଲି ୱେବସାଇଟ୍ ଖୋଲିଥାଏ । ସେଥିରେ ବ୍ୟକ୍ତିଗତ ଏବଂ ବ୍ୟାଙ୍କର ଡକ୍ୟୁମେଂଟ ଦେବା ପାଇଁ ସୂଚନା ଦିଆଯାଇଥାଏ । ସେହି ଲିଙ୍କ ଉପରେ କ୍ଲିକ କରିବା ଦ୍ୱାରା ହ୍ୟାକର୍ସ ମୋବାଇଲ ଡିଭାଇସ ଦ୍ୱାରା ସମସ୍ତ ତଥ୍ୟ ସହଜରେ ନେଇ ଆକାଉଂଟରୁ ସଙ୍ଗେ ସଙ୍ଗେ ଟଙ୍କା ଉଠାଇନେଇଥାନ୍ତି ।