Odisha Police: ସରକାର ବଦଳିଲେ, ବଦଳିଗଲା ପୋଲିସର ଆଚାର-ବ୍ୟବହାର

Reporterspen

Odisha Police: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବିଜେଡି ସରକାର ସମୟରେ ଥାନା-ଫାଣ୍ଡିରେ ସ୍ୱଚ୍ଛତା ଓ ପୋଲିସର ଆଚାର ବ୍ୟବହାରରେ ପରିବର୍ତ୍ତନ ଲାଗି ‘ମୋ ସରକାର’ ବ୍ୟବସ୍ଥା ଲାଗୁ ହୋଇଥିଲା । ଏହା ପରେ ଥାନା-ଫାଣ୍ଡିରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଆଚାର ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଥିଲା । ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ‘ମୋହନ ସରକାର ନୁହେଁ ବରଂ ଲୋକଙ୍କ ସରକାର’ ବୋଲି କହୁଛନ୍ତି । ଏହି ଲୋକଙ୍କ ସରକାର ସମୟରେ ଥାନା-ଫାଣ୍ଡିରେ ଲୋକଙ୍କୁ ଉଚିତ ନ୍ୟାୟ ସହିତ ଭଲ ବ୍ୟବହାର ମିଳିବ ବୋଲି ଆଶା କରାଯାଉଥିଲା ।

ମାତ୍ର ଏବେ ଥାନା-ଫାଣ୍ଡିରେ ଖୋଲାଖୋଲି ଲାଞ୍ଚ ମାଗିବା ଓ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି । ଯଦି କେହି ପୋଲିସର ବ୍ୟବହାର ନେଇ ମୁହଁ ଖୋଲୁଛି, ‘ଆମକୁ ନିର୍ଦ୍ଦେଶ ଅଛି, ତମେ ଉପରେ କୁହ’ ବୋଲି ଚଢା ଗଳାରେ ଶୁଣିବାକୁ ମିଳୁଛି । ତେବେ ପୋଲିସକୁ ଏଭଳି ନିର୍ଦ୍ଦେଶ ଦେଇଛି କିଏ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନା ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ? ଗତ ଦୁଇଦିନ ମଧ୍ୟରେ ଦୁଇ ଜିଲ୍ଲାର ଦୁଇଟି ଥାନାରେ ଲୋକଙ୍କୁ କରାଯାଇଥିବା ବ୍ୟବହାର ଓ ମାନସିକ ନିର୍ଯାତନା ଲୋକଙ୍କ ସରକାରର ମୁଖା ଖୋଲି ଦେଇଛି ।

ସୂଚନା ଅନୁସାରେ, ଗତକାଲି ମଳୟ ମହାନ୍ତି ନାମକ ଜଣେ ଯୁବକ ଅଫିସ କାମରେ ନିଜ କାର ଯୋଗେ ଢେଙ୍କାନାଳ ଯାଇଥିଲେ । ପରଜଙ୍ଗ ଥାନା ନିକଟରେ ତାଙ୍କ କାର ଆଗକୁ ଏକ ବାଇକ ପଶି ଆସିବାରୁ ଦୁର୍ଘଟଣା ଘଟିଥିଲା । ବାଇକରେ ଥିବା ଦମ୍ପତ୍ତି ଆହତ ହୋଇଥିଲେ । ମାନବିକତା ଦୃଷ୍ଟିରୁ ସେ ତାଙ୍କୁ ତୁରନ୍ତ ହସପିଟାଲ ନେଇ ଚିକିତ୍ସିତ କରିଥିଲେ । ଏହି ସମୟରେ ପୋଲିସ ପହଞ୍ଚି କାରକୁ ଥାନାକୁ ନେଇଥିଲା । ହେଲେ ବାଇକକୁ ତାଙ୍କ ଲୋକଙ୍କୁ ତୁରନ୍ତ ଫେରାଇ ଦେଇଥିଲା । ଏନେଇ ଦୁର୍ଘଟଣାରେ ଆହତଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନଥିଲା । କାରଣ ବାଇକର କୌଣସି କାଗଜପତ୍ର ନଥିବା କୁହାଯାଉଛି । ହେଲେ ପୋଲିସ କାରକୁ ଜବତ କରିବା ସହ କାର ଚାଳକଙ୍କ ପକ୍ଷରୁ ଜଣକୁ ଅଟକ ରଖିଥିଲା ।

ତେବେ ତୁରନ୍ତ ଆଇନଗତ କାର୍ଯ୍ୟ ସାରି ତାଙ୍କୁ ଯିବାକୁ ଦେବା ଲାଗି କହିବାରୁ ଥାନା ଦାୟିତ୍ୱରେ ଥିବା ଜଣେ ସବ-ଇନ୍ସପେକ୍ଟର (ମହାନ୍ତି) ଖୋଲାଖୋଲି ଭାବେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ କହିଥିଲେ, ମୋତେ ୨୦ ହଜାର ଦିଅ ଓ ଆହତଙ୍କୁ କିଛି ଖର୍ଚ୍ଚ ଦିଅ । ପରେ ଗାଡି ନେଇ ପଳା । ଏନେଇ ସେ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ବେଳେ ଇନ୍ସପେକ୍ଟର ଛୁଟିରେ ଥିବା ଜଣାପଡିଥିଲା । ତେବେ ସେ ଟଙ୍କା ଦେବାକୁ ମନା କରିବାରୁ ପୋଲିସ ତାର ଅସଲ ରୂପ ଦେଖାଇଥିଲା । ଆହତଙ୍କ ଗାଁ ଲୋଙ୍କୁ ଡାକି ଥାନାରେ ଏକଜୁଟ କରିବା ସହ ଏତଲା ଦେବାକୁ ବାଧ୍ୟ କରିଥିଲା । ଏପରିକି ମଳୟଙ୍କୁ ଅପରାଧୀ ଭଳି ବ୍ୟବହାର କରିଥିଲା । ଯୋତା, ଇନ୍ ଖୋଲି ଅପରାଧୀ ଭଳି ଏକ କୋଣରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଥାନାରେ ତାଙ୍କୁ ମାନସିକ ନିର୍ଯାତନ ଦିଆଯାଇଥିଲା ।

ସେହିପରି ଦୁଇଦିନ ତଳେ ଯାଜପୁର ଜିଲ୍ଲା ବୈରୀ ଥାନାରେ ମଧ୍ୟ ଜଣେ ଯୁବକଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ସହ ଆଶାଳୀନ ବ୍ୟବହାର କରିଥିଲା । ଛତିଆର ସଂଜୟ ଲେଙ୍କାଙ୍କ ସହ ଜଣେ ଯୁବକଙ୍କର ଫୋନରେ ପାଟିତୁଣ୍ଡ ହୋଇଥିଲା । ଦୁହେଁ ଦୁହିଁଙ୍କୁ ଗାଳି କରିଥିଲେ । ଏନେଇ ଯୁବକ ଜଣକ ବୈରୀ ଥାନାରେ ସଂଜୟଙ୍କ ନାଁରେ ବନ୍ଧୁକ ଦେଖାଇବା ଓ ହତ୍ୟା ଧମକ ଦେବା ନେଇ ଅଭିଯୋଗ କରିଥିଲେ । ପୋଲିସ ଡାକିବାରୁ ସଂଜୟ ଥାନାରେ ପହଞ୍ଚିଥିଲେ । ଥାନା ଅଧିକାରୀ ଶରତ ନାୟକ କିଛି ବୁଝିବା ଆଗରୁ ହଠାତ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରି ବାଡି ଆଣି ପିଟିବାକୁ ମଧ୍ୟ କହିଥିଲେ । ଥାନା ଅଧିକାରୀ ଏଭଳି ବ୍ୟବହାର କରିଥିଲେ ଯେ, ଜଣେ ଭଦ୍ର ସମାଜର ଲୋକ ଏହାକୁ ସହ୍ୟ କରିବା ମୁସ୍କିଲ ।

ଏହି ଦୁଇଟି ଘଟଣାରେ ପୀଡିତମାନେ ପୋଲିସର କଦର୍ଯ୍ୟ ବ୍ୟବହାରକୁ ବିରୋଧ କରିଥିଲେ । ହେଲେ ସବୁଠି ସମାନ ଉତ୍ତର ଆସିଥିଲା ‘ଆମକୁ ନିର୍ଦ୍ଦେଶ ଅଛି, ତମେ ଉପରେ କୁହ’ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଥାନା-ଫାଣ୍ଡିରେ ଲୋକଙ୍କୁ ଏଭଳି ବ୍ୟବହାର କରିବାକୁ କିଏ ନିର୍ଦ୍ଦେଶ ଦେଇଛି? ବିଜେଡି ସରକାର ସମୟରେ ଲୋକଙ୍କୁ ଥାନାରେ ପାଣି-ଚା’ ଦେବା ସହ ଉତ୍ତମ ବ୍ୟବହାର କରି ନ୍ୟାୟ ପ୍ରଦାନ କରିବାକୁ କୁହାଯାଇଥିଲା । ହେଲେ ଲୋକଙ୍କ ସରକାର ସମୟରେ ହଠାତ ଆଚାର ବ୍ୟବହାରରେ ପରିବର୍ତ୍ତନ ପଛରେ କାହା ନିର୍ଦ୍ଦେଶ ରହିଛି? ନା ପୂର୍ବ ସରକାରର ଚାଟୁକାର କରୁଥିବା ଏଭଳି କିଛି ଅଫିସର ପୋଲିସ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଠା କରୁଛନ୍ତି? ପୋଲିସ ଡିଜି ଓ ମୁଖ୍ୟମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେବା ସହ ଏଭଳି ଅଫିସରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।


Reporterspen