Odisha Vigilance: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଲୋକସେବା ଭବନ କନ୍ଭେନ୍ସନ ହଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ୍ୟ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡିବ ନାହିଁ, ଧିରେ ଧିରେ ଏହା ବ୍ୟକ୍ତିଗତ ସ୍ତରରେ ଓ ସମାଜ ସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ। ଭାରତୀୟ ସମାଜରେ ଦୁର୍ନୀତିର କୁପ୍ରଭାବ ଯେ କେତେ ଥିଲା, ଏହା ଜାଣିବାକୁ ରକେଟ ବିଜ୍ଞାନର ଜ୍ଞାନ ଆବଶ୍ୟକତା ନାହିଁ। ଏ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସାଧାରଣ ସଭାରେ କହିଥିଲେ ଯେ ମୁଁ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀ ମାତ୍ର ୧୫ ପଇସା ପାଉଛି। ଏଠାରେ ପ୍ରଶ୍ନ ହୁଏ, ଯେ ବାକି ୮୫ ପଇସା କାହା ପକେଟକୁ ଯାଉଥିଲା। ଏହାର ଉତ୍ତର ଆପଣମାନେ ସମସ୍ତେ ଜାଣିଛନ୍ତି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁର୍ନୀତି ନିବାରଣ ବିଭାଗର ଆଜି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ଏବଂ ଆୟବହିର୍ଭୁତ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ। ଆମ ସରକାର ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି କରି ଓଡିଶା ଭିଜିଲାନ୍ସକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍ପି ପଦବୀ ଓ ୨୪ ଟି ନୂତନ ଡିଏସ୍ପି ପଦବୀ ବୃଦ୍ଧି କରାଯିବ। ଏସବୁ ପଦବୀ ଗୁଡିକ ଭିଜିଲାନସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବ। ତଦନ୍ତ ଏବଂ ଅନୁସନ୍ଧାନରେ ସହାୟତା କରିବା ପାଇଁ ୧୬ ଜଣ ସବ୍ଇନସିପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହା ସହିତ ଆଗାମୀ ଦିନରେ ୨୪ ଜଣ ଚାଟାର୍ଡ ଆକାଉଣ୍ଟାଟ ଓ ବ୍ୟାଙ୍କିଙ୍ଗ ଓ ସାଇବର ବିଶେଷଜ୍ଞ ମଧ୍ୟ ବିଭାଗରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନ ହୋଇଛି। ଭିଜିଲାନ୍ସ ଟିମର ଗତିଶୀଳତା ବୃଦ୍ଧି କରିବା ପାଇଁ ୧୩୫ଟି ନୂତନ ମୋଟରସାଇକେଲ, ୧୫୦ଟି ନୂତନ ଡେସ୍କଟପ/ଲାପଟପ ଯୋଗାଇ ଦିଆଯିବ ଏଥି ସହିତ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର ନିର୍ଦ୍ଦେଶାଳୟ ମଧ୍ୟରେ ପ୍ରତିଷ୍ଠା କରାଯିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୨୦୧୪ରେ ଯେତେବେଳେ ପ୍ରଥମଥର ପାଇଁ ପାଇଁ ପାର୍ଥିତ୍ଵ କରିଥିଲେ ସେ ସମୟରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ। ବିଭିନ୍ନ ଦୁର୍ନୀତି ଓ ସ୍କାମ୍ରେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଦେଶ ବୁଡି ରହିଥିଲା। ସାଧାରଣ ଜନତା ଏହି ଦୁର୍ନୀତିର ଭାରରେ ଅଣନିଶ୍ବାସୀ ହୋଇଯାଇଥିଲେ।
୨୦୧୪ରେ ଶାସନ ଡୋରୀ ହାତକୁ ନେବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ହିଁ ଆରମ୍ଭ କରିଦେଇଥିଲେ ଦୁର୍ନୀତି ବିରୋଧରେ ମହାସଂଗ୍ରାମ। ଯାହା ଆଜିବି ଚାଲୁ ରହିଅଛି। ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଆଜି ଦିଲ୍ଲୀରୁ ଯେଉଁ ସହାୟତା ରାଶି ହିତାଧିକାରୀଙ୍କ ପାଖକୁ ଆସୁଛି ଏହା ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଡିବିଟି ମାଧ୍ୟମ ହେଉଛି ଦୁର୍ନୀତି କୁ ରୋକିବା ପାଇଁ ପ୍ରମୁଖ ଅସ୍ତ୍ର। ଆଜି ଦୁର୍ନୀତିଖୋର ଯେତେ ବଡ ହୋଇଥାଉ ନା କାହିଁକି। ତା ପାଇଁ ଦୁଇଟି ସ୍ଥାନ ରହିଛି। ଜେଲ୍ ଅଥବା ବିଦେଶ। ବିଦେଶରେ ବି ସେମାନେ ସୁରକ୍ଷିତ ନୁହନ୍ତି। ଆଇନ୍ ବଳରେ ଦେଶକୁ ଆଣି ଜେଲ୍ ପଠାଇବାର ସବୁ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି।