‘ଜୈବିକ କୃଷି ମନୁଷ୍ୟ ଓ ପ୍ରକୃତି ନିମନ୍ତେ ହିତକାରୀ’

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସମ୍ପ୍ରତି କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ସଂଘଟିତ ହୋଇଛି, ଯାହା ବିସ୍ଫୋରିତ ଜନସଂଖ୍ୟାର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ୧୯୬୦ ଦଶକରେ ଆମ ଦେଶରେ କୃଷି କ୍ଷେତ୍ରରେ ଆରମ୍ଭ ହୋଇଥିବା ସବୁଜ ବିପ୍ଳବ ଭାରତ ପରି ବିକାଶଶୀଳ ଦେଶମାନଙ୍କରେ ପୁଷ୍ଟିହୀନତା ସମସ୍ୟାକୁ ସମାଧାନ କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା।

ଏହି ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାର ଜୈବ-ଇଞ୍ଜିନିୟରିଂ ପଦ୍ଧତିରେ ବିକଶିତ ଅଧିକ ଅମଳକ୍ଷମ ବିହନର ବ୍ୟବହାର ଜଡିତ ଥିଲା, ଯାହା ରାସାୟନିକ ସାର, କୀଟନାଶକ ଏବଂ ବର୍ଦ୍ଧିତ ଜଳସେଚନର ପ୍ରୟୋଗ ଦ୍ୱାରା କୃଷି ଉତ୍ପାଦନରେ ଅଭିବୃଦ୍ଧି ଘଟାଇଲା । କିନ୍ତୁ ଏବେ ହୃଦୟଙ୍ଗମ କରାଯାଉଛି ଯେ ଏହି ସବୁଜ ବିପ୍ଳବ ପ୍ରକ୍ରିୟାରେ ପରିବେଶ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି, ମଣିଷ ଓ ଅନ୍ୟ ଜୀବଜନ୍ତୁ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଛି ଏବଂ ମୃତ୍ତିକାର ଗୁଣାତ୍ମକ ମାନରେ ଅବକ୍ଷୟ ଘଟିଛି । ଅତଏବ, ଏପରି କୃଷି ପଦ୍ଧତି ଅସହନୀୟ ଏବଂ ଏହାର ନିରନ୍ତରତା ମଧ୍ୟ ଅନିଶ୍ଚିତ ।

ଏହି ପରିପ୍ରେକ୍ଷୀରେ ଭାରତର ପାରମ୍ପରିକ ଜୈବିକ କୃଷି ପୁଣି ଥରେ ଆଲୋଚନା ଓ ଗ୍ରହଣ ହେବାର ବିଷୟବସ୍ତୁ ପାଲଟିଛି । ଏହା କୃଷି ଉତ୍ପାଦନର ମୂଲ୍ୟ ହ୍ରାସ କରେ ଏବଂ ମୃତ୍ତିକାର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣି ଗୁଣବତ୍ତା ବଜାୟ ରଖିବା ସହ ପ୍ରଦୂଷଣ ଦୂର କରେ । ଜୈବିକ କୃଷି ସାମଗ୍ରୀର ଚାହିଦା କ୍ରମଶଃ ବିଶ୍ୱ ବଜାରରେ ବୃଦ୍ଧି ପାଇବାରେ ଲାଗିଛି । ଓଡିଶା ପରିବେଶ ସମିତି ଅନୁକୁଲ୍ୟରେ ଜୈବିକ କୃଷି – ଭବିଷ୍ୟତର ମାର୍ଗ ପ୍ରସଙ୍ଗ ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରି ବିଶେଷଜ୍ଞମାନେ ଏ ପ୍ରସଙ୍ଗରେ ନିଜସ୍ଵ ମତ ବ୍ୟକ୍ତ କରିଛନ୍ତି ।

ପରିବେଶ ସମିତିର ସଭାପତି ଡ଼. ସୁନ୍ଦର ନାରାୟଣ ପାତ୍ରଙ୍କର ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ବନ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବାମା ଶଙ୍କର ରଥ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ପ୍ର. ରଥ ତାଙ୍କ ବକ୍ତବ୍ୟରେ ଜୈବିକ କୃଷିର ଉପାଦେୟତା ବର୍ଣ୍ଣନା କରି କହିଲେ ଯେ ଏହା କୃଷି ଉତ୍ପାଦନର ସ୍ଥିରତା ରକ୍ଷା କରିବା ସହ ମୃତ୍ତିକାର ଜୈବିକ ସଂରଚନା ସୁରକ୍ଷିତ ରଖେ, ପ୍ରଦୂଷଣ ଦୂର କରେ, ଜିନୀୟ ବିବିଧତା ସଂରକ୍ଷଣ କରେ, ପ୍ରାକୃତିକ ଉପାୟରେ କୀଟ ନିୟନ୍ତ୍ରଣ କରେ ଏବଂ କୃଷି ଉତ୍ପାଦନ ମୂଲ୍ୟରେ ହ୍ରାସ ଘଟାଏ ।

ଏହି ପ୍ରକ୍ରିୟାରେ କୃଷକମାନେ ପୂର୍ବରୁ ବହୁଳ ଭାବରେ ଆଦୃତ, ପାରମ୍ପରିକ ପଦ୍ଧତିର ଅବଲମ୍ବନ କରନ୍ତି, ଯାହା କୌଣସି କ୍ଷତିକାରକ, ଅପ୍ରାକୃତିକ ସାମଗ୍ରୀର ବିନିଯୋଗ କରେ ନାହିଁ । ସଭାପତି ଅଭିଭାଷଣରେ ଡ଼. ପାତ୍ର ବ୍ୟକ୍ତ କରିଥିଲେ ଯେ ମାନବସମାଜ ବର୍ତ୍ତମାନ ଏକ ପରିବେଶୀୟ ଘଡ଼ିସନ୍ଧି ମୁହୂର୍ତ୍ତ ମଧ୍ୟରେ ଗତି କରୁଛି । ଏପରି ସ୍ଥିତିରେ ଜୈବିକ କୃଷି ପରି ପରିବେଶଧର୍ମୀ, ସ୍ୱାସ୍ଥ୍ୟ ସୁରକ୍ଷାକାରୀ ପଦ୍ଧତିକୁ ଅଧିକରୁ ଅଧିକ ଜନପ୍ରିୟ କରିବା ସମସ୍ତଙ୍କର ଲକ୍ଷ୍ୟ ହେଉ । ସମ୍ପାଦକ ଡ଼. ଜୟକୃଷ୍ଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ସାମ୍ପ୍ରତିକ ସମୟରେ ଯେତେବେଳେ ପରିବେଶର ଗୁଣାତ୍ମକ ମାନ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ମାନବଜାତିର ପ୍ରାଥମିକତା ହୋଇଛି, ସେତେବେଳେ ଜୈବିକ କୃଷିର ଅବଲମ୍ବନ ଉଭୟ ମାନବଜାତି ଏବଂ ପ୍ରକୃତି ନିମନ୍ତେ ହିତକାରୀ ସାବ୍ୟସ୍ତ ହେବ ।

ଉପସଭାପତି ଡ଼. ଲାଲା ଏକେ ସିଂହ ଅତିଥି ପରିଚ଼ୟ ପ୍ରଦାନ କରିଥିଲେ ଏବଂ ପୂର୍ବତନ ପିସିସିଏଫ୍ ଡ଼. ବିଜୟ କେତନ ପଟ୍ଟନାୟକ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କୃଷି ବିଜ୍ଞାନୀ ଏକାଦଶୀ ନନ୍ଦୀ ବିଷୟ ବିଶେଷଜ୍ଞ ରୂପେ ମତାମତ ପ୍ରଦାନ କରି ମୃତ୍ତିକାରେ ଜୈବିକ ପଦାର୍ଥର ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ଡ଼. ଦିଲ୍ଲୀପ ରାୟ, ଡ଼. ସୁଧାକର କର, ଡ଼. ହେମନ୍ତ କୁମାର ମିଶ୍ର, ଡ଼. ଚିତ୍ତ ରଞ୍ଜନ ମିଶ୍ର, ଡ଼. ସୁରଭି ଜୈନ ଏବଂ ବିକାଶ ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରି ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ହାଇବ୍ରିଡ଼ ପଦ୍ଧତିରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବହୁ ପରିବେଶବିତ୍ ଏବଂ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।


Reporterspen

Leave a Reply